ଚନ୍ଦ୍ରଶେଖରପୁର : ସରଳ, ନିଷ୍କପଟ ଓ ସାଧାରଣ ଜୀବନଯାପନ କରିବା ହେଉଛି ସବୁଠୁ ବଡ଼ ଆଧ୍ୟାତ୍ମିକ ଅନୁଭୂତି। ମନରେ ଆବିଳତା ଏବଂ କୌଣସି ବିଷୟରେ ପୂର୍ବଧାରଣା ରଖୁ ନ ଥିବା ହୃଦୟରେ ହିଁ ଅଲୌକିକତା ଲୁଚି ରହିଥାଏ। ଆବିଳତା ନ ଥିଲେ ଜଣେ ସାଧାରଣ ମଣିଷ ମଧ୍ୟ ଆଦିଯୋଗୀ ‘ଶିବ’ରେ ରୂପାନ୍ତରିତ ହୋଇପାରେ। ବୁଦ୍ଧିକୁ ମାଧ୍ୟମ କରି ବିଭିନ୍ନ ବିଷୟରେ ଅଧିକ ଜାଣିଲେ ମସ୍ତିଷ୍କ ପୂର୍ଣ୍ଣ ହୋଇଯାଏ ସତ ମାତ୍ର ହୃଦୟରେ ମାନବତା ନ ଥିଲେ ଏହା ନିରର୍ଥକ ହୋଇଯାଏ। ଜୀବନଜିଜ୍ଞାସାର ବିଭିନ୍ନ ପ୍ରସଙ୍ଗକୁ ନେଇ ଏଭଳି ଅନେକ ଗୁଢ଼ ତତ୍ତ୍ୱ ବିଷୟରେ ଅତି ସାବଲୀଳ ଭାଷାରେ ନିଜର ସାରଗର୍ଭକ ଆଶୀର୍ବଚନ ରଖିଛନ୍ତି ବିଖ୍ୟାତ ସଦ୍‌ଗୁରୁ ପଦ୍ମବିଭୂଷଣ ଜାଗି ବାସୁଦେବ।

Advertisment

publive-imageଆଜିଠାରୁ ଓଡ଼ିଶା ଡାଏରି ପକ୍ଷରୁ ହୋଟେଲ ମେ ଫେୟାର କନ୍‌ଭେନସନ୍‌ରେ ଆରମ୍ଭ ହୋଇଥିବା ‘ଅଲୌକିକ କଳିଙ୍ଗ ସାହିତ୍ୟ ଉତ୍ସବ’ରେ ଯୋଗଦେଇ ସଦ୍‌ଗୁରୁ ନାମରେ ଖ୍ୟାତ ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ଜାଗି ବାସୁଦେବଙ୍କ ସାନ୍ନିଧ୍ୟ ଲାଭ କରିବା ଏବଂ ତାଙ୍କ ମୁହଁରୁ ଉପଦେଶ ଶୁଣିବା ପାଇଁ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ଏବଂ ଶିକ୍ଷିତ ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଖ୍ୟାତନାମା ଲେଖିକା ଅରୁନ୍ଧତୀ ସୁବ୍ରମଣ୍ୟମଙ୍କ ସହ ପ୍ରଶ୍ନୋତ୍ତର ମାଧ୍ୟମରେ ସଦ୍‌ଗୁରୁ ଯୋଗ, ତନ୍ତ୍ର, ଜୀବନ, ଚେତନା ଓ ଆଦିଯୋଗୀ ଶିବଙ୍କ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ନିଜର ବିଚାର ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ବିଶ୍ୱର ମାନବ ଇତିହାସରେ ଏହା ପୂର୍ବରୁ ନିଜର ଅସ୍ତିତ୍ୱ ସଂପର୍କରେ ଏତେ ସଂଖ୍ୟାରେ ଲୋକେ ଚିନ୍ତା କରୁ ନ ଥିଲେ। ବହୁ ସଂଖ୍ୟକ ଲୋକ ଏବେ ପ୍ରଶ୍ନ ପଚାରୁଛନ୍ତି। ଯଦି ପ୍ରକୃତରେ ଜଣେ ମୌଳିକ ପ୍ରଶ୍ନ ପଚାରିବା ଆରମ୍ଭ କରିବ ତେବେ ପ୍ରଥମେ ବିଭିନ୍ନ ଧର୍ମରେ ବର୍ଣ୍ଣିତ ‘ସ୍ୱର୍ଗ’ର ପରିକଳ୍ପନା ଭାଙ୍ଗି ଚୂରମାର୍‌ ହୋଇଯିବ। ଆମକୁ କୁହାଯାଇଛି ସ୍ୱର୍ଗରେ ପରୀମାନେ ବାସ କରନ୍ତି। ସେଠାରେ ଅସୁମାରୀ ଆନନ୍ଦ ଓ ଉଲ୍ଲାସ ଥାଏ। ମାତ୍ର ସ୍ୱର୍ଗ ଦେଖିବାକୁ ପ୍ରଥମେ ଦେହ ତ୍ୟାଗ କରିବାକୁ ପଡ଼ିବ। ତେଣୁ ଏକ ପରିକଳ୍ପିତ ସ୍ଥାନର ପ୍ରାପ୍ତିି ଆଶାରେ ଜୀବନକୁ ରହସ୍ୟ ମଧ୍ୟକୁ ଠେଲିଦେବା ଅପେକ୍ଷା ଈଶ୍ୱରଙ୍କ ପ୍ରଦତ୍ତ ଏହି ଚମତ୍କାର ଜୀବନକୁ ସରଳ ଓ ସାବଲୀଳ ଢଙ୍ଗରେ ବଞ୍ଚିବା ଅତ୍ୟନ୍ତ ଉପାଦେୟ ବୋଲି ମତ ଦେଇଥିଲେ ସଦ୍‌ଗୁରୁ।

ଯୋଗୀର ସଂଜ୍ଞା ବର୍ଣ୍ଣନା କରିବାକୁ ଯାଇ ସେ କହିଲେ ଯେ ‘ଯୋଗ’ର ଅର୍ଥ ହେଲା ସଂଯୁକ୍ତ ହେବା। ଯୋଗୀ ସିଏ ଯିଏ ଈଶ୍ୱରଙ୍କ ସହ ସଂଯୁକ୍ତ ହୋଇପାରିଛି। ତୁମେ ଜଗତ୍‌ ବା ବ୍ରହ୍ମାଣ୍ଡ ସହ ପ୍ରତିଯୋଗିତା କରିବା ନିରର୍ଥକ। ବରଂ ତୁମେ ଚାହିଁଲେ ବ୍ରହ୍ମାଣ୍ଡ ପାଲଟି ଯାଇପାରିବ। ଜଗତରେ କେବଳ ତୁମେ ହିଁ ବଞ୍ଚିଛ ବୋଲି ଭାବିବା ଅର୍ଥ ନିଃସଙ୍ଗ ହୋଇଯିବା। ଯିଏ ନିଃସଙ୍ଗ ହୋଇ ରହିବ ସେ ବିଷଣ୍ଣ ହିଁ ହେବ। ଏ ପ୍ରକାରର ନିଃସଙ୍ଗତାରୁ କିଛି ମିଳେ ନାହିଁ। ନିଜକୁ ଜଗତ୍‌ ସହିତ ସଂଯୁକ୍ତ ହେବାରୁ ଯେଉଁ ଏକାକିତ୍ୱ ପ୍ରାପ୍ତ ହୁଏ ତାହା ହିଁ ଆମର ଇପ୍‌ସିତ ହେବା ଉଚିତ।

ଅଲୌକିକତା ସଂପର୍କରେ ପ୍ରଶ୍ନର ଉତ୍ତର ଦେଇ ସଦ୍‌ଗୁରୁ କହିଲେ ଯେ ନିଜକୁ ସ୍ୱତନ୍ତ୍ର ବୋଲି ଭାବିବା ହିଁ ଏକପ୍ରକାର ଅସୁସ୍ଥତା। ଗୁରୁ, ଧର୍ମଗ୍ରନ୍ଥ ଏବଂ ନାନା ପ୍ରକାର ଧାର୍ମିକ ଅନୁଷ୍ଠାନ ତା’କୁ ବିଭ୍ରାନ୍ତ କରନ୍ତି। ତେଣୁ ଜଣେ ସୁସ୍ଥ ମଣିଷ ବିନା କୌଣସି ପୂର୍ବଧାରଣାରେ ନିଜେ ପ୍ରକୃତରେ ଯାହା ତାହା ହିଁ ଦେଖିପାରେ ତେବେ ତାହା ହିଁ ତା’ ପାଇଁ ଆଧ୍ୟାତ୍ମିକ ଉପଲବ୍ଧି ବୋଲି ସେ ମତ ବ୍ୟକ୍ତ କରିଥିଲେ। ପୁରାଣ ବର୍ଣ୍ଣିତ ପ୍ରଭୁ ରାମଚନ୍ଦ୍ରଙ୍କ ବ୍ୟକ୍ତିତ୍ୱର ଉଦାହରଣ ଦେଇ ସେ କହିଲେ ଯେ ବିଭିନ୍ନ ପରିସ୍ଥିତିରେ ମଧ୍ୟ ସ୍ଥିତପ୍ରଜ୍ଞ ହୋଇରହିପାରୁଥିବା ମନୁଷ୍ୟ ହିଁ ପ୍ରଭୁ ରାମଙ୍କ ସହିତ ତୁଳନୀୟ। ରାମଚନ୍ଦ୍ର ଜୀବନକାଳ ମଧ୍ୟରେ ଅନେକ ବିପତ୍ତି ଦେଇ ଗତି କରିିଥିଲେ ମଧ୍ୟ ଅବିଚଳିତ ହୋଇ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ତେଣୁ ଜୀବନରେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ସ୍ଥିର ଚିତ୍ତରେ ବଞ୍ଚିବା ହେଉଛି ଜଣେ ଅଲୌକିକ ବ୍ୟକ୍ତିତ୍ୱର ପ୍ରମାଣ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ଆଦିଯୋଗୀ ଶିବ କୌଣସି କଥାବସ୍ତୁ କିମ୍ବା ତଥାକଥିତ ଦେବତା ନୁହନ୍ତି। ଏହା ହେଉଛି ଅସୀମିତ ପ୍ରେକ୍ଷାପଟର ସ୍ଥିତି, ବାସ୍ତବତା। ଏହା ମାନବ ସମାଜର ମୌଳିକତା ତଥା ସଂରଚନାର ମୂଳବସ୍ତୁ। ଏହା ଅକଳ୍ପନୀୟ। ଏହାର ଦିବ୍ୟସତ୍ତାକୁ କେବଳ ଅନୁଭବ କରିହେବ। ଏପରି ଭାବରେ ଆଧ୍ୟାତ୍ମିକତା ଓ ଜୀବନ ଦର୍ଶନ ଅନେକ ରହସ୍ୟ ଉପରେ ସଦ୍‌ଗୁରୁ ମତ ରଖିବା ସହ ଉପସ୍ଥିତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଉଦ୍‌ଘାଟନୀ ସମାରୋହରେ ବିଶିଷ୍ଟ କବି ତଥା ସମାଲୋଚକ ଅଶୋକ ବାଜପେୟୀ, ବିଶିଷ୍ଟ କବି ତଥା କ୍ଷୁଦ୍ରଗଳ୍ପ ଲେଖକ କେକି ଏନ୍‌ ଦାରୁଓ୍ଵାଲା ଓ ଅଲୌକିକ କଳିଙ୍ଗ ଉତ୍ସବର ନିର୍ଦ୍ଦେଶକ ରଶ୍ମିରଂଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ବାଜପେୟୀ କହିଥିଲେ ଯେ ସାହିତ୍ୟ ଅନ୍ଧାରରୁ ମଧ୍ୟ ସତ୍ୟକୁ ଉଦ୍‌ଭାସିତ କରିଥାଏ। ସତ୍ୟର ଉନ୍ମୋଚନ କରିବା ଏବଂ ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରିବାରେ ସାହିତ୍ୟର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି ପୌରାଣିକ କଥାବସ୍ତୁ ଓ ବାସ୍ତବତାକୁ ନ ଯୋଡ଼ିବା ଉପରେ ମତ ରଖିଥିଲେ ଶ୍ରୀ ଦାରୁଓ୍ଵାଲା। ଆଜି ପ୍ରଥମ ଦିବସରେ ବିଭିନ୍ନ ଭାଷାର କବିତା ପାଠତ୍ସୋବ ଇନ୍ଦ୍ରଧନୁଷ, ଭକ୍ତି କବିତା ପାଠ, ଓଡ଼ିଆ କବିତାକୁ ନେଇ ସ୍ୱତନ୍ତ୍ର ଅଧିବେଶନ ଓ ଏକ ମୁଶେରା ଅଧିବେଶନ ଅନୁଷ୍ଠିତ ହୋଇଥିଲା।