କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ବିଶ୍ବେଶ୍ବର, ଜିଲ୍ଲାରୁ ବେଲଗାମ ଖଣି ଲୁଟ୍ ହେଉଥିବା ନେଇ ଉଦବେଗ ପ୍ରକାଶ

ବାରିପଦା: ମୟୂରଭଞ୍ଜରୁ ବହୁ ପରିମାଣରେ ଖଣିଜ ସମ୍ପଦ ହରିଲୁଟ ହେଉଛି। ଖଣି କମ୍ପାନିଗୁଡ଼ିକ ପୁଲିସ ସହାୟତାରେ ବ୍ରିଟିଶ ଶାସନଠାରୁ ମଧ୍ୟ ଅଧିକ ନିର୍ଦ୍ଦୟ ଭାବରେ ସାଧାରଣ ଜନତାଙ୍କୁ ଦମନ କରି ବହୁଳ ମାତ୍ରାରେ ଖଣି ଖାଦାନ ଲୁଟ୍ କରୁଛନ୍ତି । ସ୍ଥାନୀୟ କାର୍ଯ୍ୟରତ ଶ୍ରମିକମାନଙ୍କୁ ବହିଷ୍କାର କରି ମେସିନ ମାଧ୍ୟମରେ କାମ କରୁଛନ୍ତି । ମୟୂରଭଞ୍ଜ ସାଂସଦ ଭାବେ ଏ ବାବଦରେ ବାରମ୍ବାର ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ବିଶ୍ବେଶ୍ବର ଟୁଡୁ।

ଏନେଇ ଗତକାଲି ମୟୂରଭଞ୍ଜ ସାଂସଦ ତଥା ରାଷ୍ଟ୍ରୀୟ ସମ୍ପାଦକ ବିଶ୍ଵେଶ୍ବର ଟୁଡୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ସବିଶେଷ ଜଣାଇଛନ୍ତି। ସେହିପରି ଜୋରଜବରଦସ୍ତ ପରିବହନ ଏବଂ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଉଥିବାରୁ ସାଧାରଣ ଜନତା ଅତିଷ୍ଠ ହୋଇଗଲେଣି। ପାରିପାର୍ଶ୍ବିକ ଉନ୍ନତି ଯଥା ପିଇବା ପାଣି, ରାସ୍ତା, ଆଲୁଅ ଓ ଡାକ୍ତରଖାନାର ବ୍ୟବସ୍ଥା ନକରିବା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ବୋଲି ସାଂସଦ ଶ୍ରୀ ଟୁଡୁ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଏନେଇ ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପତ୍ର ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସାଂସଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର