ରାୟଗଡା: ଗତ କିଛି ଦିନ ତଳେ ବିଜେଡି ସୁପ୍ରିମୋ ରୟଗଡାର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କୁ ଦଳର ରାଜ୍ୟ ସଂଗଠନର ଉପସଭାପତି ଭାବେ ମନୋନୀତ କରିଥିବାରୁ ଜିଲ୍ଲାବାସୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଛନ୍ତି। ବୁଧବାର ଉପସଭାପତି ଏନ ଭାସ୍କର ରାଓ ରାୟଗଡ଼ା ଗସ୍ତରେ ଆସିଥିବା ବେଳେ ତାଂକୁ ସ୍ଥାନୀୟ ରିଲାଏନସ୍ ଛକ ନିକଟରୁ ଶହ ଶହ ବିଜେଡି କର୍ମୀ ସ୍ବାଗତ କରିଥିଲେ। ଶ୍ରୀ ରାଓ ପହଞ୍ଚିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଛକମାନଙ୍କରେ ଫୁଲତୋଡା ଧରି ତାଂକୁ ସମ୍ବର୍ଦ୍ଧନା ଜ୍ଞାପନ କରୁଥିବା ଦେଖିବାକୁ ମିଳିଥିଲା। ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଏନ ଭାସ୍କର ରାଓଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିବ। ଜିଲ୍ଲାର ତିନୋଟି ଆସନକୁ ଯେପରି ବିଜେଡି ହାତେଇବ ସେନେଇ ଶ୍ରୀ ରାଓ କର୍ମୀଙ୍କୁ ନେଇ ଏକ ବଡ ଧରଣର ବୈଠକ କରି ବ୍ଲୁ ପ୍ରିଣ୍ଟ ତିଆରି କରିବେ ବୋଲି ଜଣାପଡିଛି।
୨୦୨୪ରେ ପୁଣି ବିଜେଡିକୁ ଶାସନ ଗାଦିରେ ବସାଇବାକୁ ଶ୍ରୀ ରାଓଙ୍କ ପ୍ରୟାସ ରହିବା ନେଇ ଦଳ ଆଶା ବାନ୍ଧିଛି। କେବଳ ଜିଲ୍ଲା ନୁହେଁ ବରଂ ରାଜ୍ୟର ସମସ୍ତ ଆସନରେ ଯେପରି ବିଜେଡି ଜିତିବ ସେଥିରେ ମଧ୍ୟ ତାଂକର ଭୂମିକା ରହିବ ବୋଲି କୁହାଯାଇଛି। ବିଶେଷକରି ରାୟଗଡା ନିର୍ବାଚନ ମଣ୍ଡଳୀରେ ଯେପରି ବିଜେଡି ବିଜୟ ହେବ ତାକୁ ସେ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି। ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହେବା ପରେ ସବୁ ଗୋଳମାଳ ହୋଇଯାଇଥିଲା। ତେବେ ଏନ୍ ଭାସ୍କର ରାଓ ରାୟଗଡାରେ ପହଞ୍ଚିବା ପରେ ନିଜସ୍ବ ବାସଭବନରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା। ସେହି ବୈଠକରେ ସେକର୍ମୀଙ୍କୁ ଆଗକୁ ସଫଳତାର ମନ୍ତ୍ର ଦେଇଥିଲେ।