୧୩ ଜୁଲାଇ ୨୦୨୦ ସୋମବାର ‘ସମ୍ବାଦ’ ଖବର କାଗଜର ପ୍ରଥମ ପୃଷ୍ଠାରେ ଦୈନିକ ସମ୍ବାଦ ଖବରକାଗଜର ମାନନୀୟ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ଆମ ଘରର ହାଲ୍ଚାଲ’ରେ ‘ରେଭେନ୍ସା ଚିନ୍ତା’ ଶୀର୍ଷକଟିକୁ ପଢ଼ି ଯେଉଁ ଆନନ୍ଦ ଅନୁଭବ କଲି ସମପରିମାଣରେ ରେଭେନ୍ସାକୁ ନେଇ ପୁରାତନ ଛାତ୍ରଛାତ୍ରୀମାନଙ୍କର ଉଦ୍ବେଗର କାରଣ ଜାଣି ମ୍ରିୟମାଣ ହେଲି। ହଠାତ୍ ମୋ ମାନସପଟରେ ଯାଜପୁରର ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଚିତ୍ର ଉଦ୍ଭାସିତ ହୋଇଗଲା। ଅତୀତର ସ୍ମୃତିକୁ ମୁଁ ଗୋଟି ଗୋଟି କରି ସାଉଁଟିବାରେ ଲାଗିପଡ଼ିଲି। ସୌମ୍ୟରଂଜନ ବାବୁଙ୍କର ଲେଖାଟି ଯଦି କୌଣସି ଛାତ୍ରଛାତ୍ରୀ ପଢ଼ିଥିବେ ନିଶ୍ଚିତ ରୂପେ ସେମାନଙ୍କର ମାନସପଟରେ ଏକ ନୂଆ ଆଶା ସଂଚାର ହୋଇଥିବ ବୋଲି ମୋର ପ୍ରତ୍ୟୟ ହେଉଛି। କ’ଣ ଏହା ତାଙ୍କର ଶବ୍ଦ ସଂଯୋଜନାର ଅପୂର୍ବ କଳା ନା ଅନୁଷ୍ଠାନର ନିଚ୍ଛକ ସତ୍ୟ ଘଟଣାର ପର୍ଦ୍ଦାଫାସ? ଲେଖାଟି ମୋତେ ଏତେ ପ୍ରଭାବିତ କରିଲା ଯେ ହଠାତ୍ ମନେମନେ ଭାବିଲି ମୁଁ ମୋ ପ୍ରିୟ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ବିଷୟରେ ଗୋଟିଏ ଆର୍ଟିକିଲ୍ ଲେଖିବି।
ଯାଜପୁର ଜିଲ୍ଲାର ଐତିହ୍ୟ ଓ ଗୌରବର ଅନ୍ୟତମ ପ୍ରତୀକ ହେଉଛି ନରସିଂହ ଚୌଧୁରୀ ମହାବିଦ୍ୟାଳୟ। ବିଶିଷ୍ଟ ଜମିଦାର ନରସିଂହ ଚୌଧୁରୀଙ୍କ ନାମରେ ମହାବିଦ୍ୟାଳୟଟି ୧୯୪୬ରେ ପ୍ରତିଷ୍ଠା ହୋଇଥିବାରୁ ସଂକ୍ଷିପ୍ତରେ ଏନ୍.ସି. କଲେଜ ରୂପେ ଜନାଦୃତ। ସ୍ବାଧୀନତା ପୂର୍ବରୁ ରାଜ୍ୟରେ ହାତଗଣତି କେତେଗୁଡ଼ିଏ ମହାବିଦ୍ୟାଳୟ ଗଢ଼ି ଉଠିଥିବା ବେଳେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାରୁ ଛାତ୍ରଛାତ୍ରୀମାନେ ଆସି ମହାବିଦ୍ୟାଳୟରେ ପଢ଼ୁଥିଲେ। ବହୁ ଘାତ ପ୍ରତିଘାତ ଅତିକ୍ରମ କରି ମହାବିଦ୍ୟାଳୟଟି ଆଜି ସ୍ବୟଂଶାସିତ ମହାବିଦ୍ୟାଳୟରେ ପରିଣତ ହୋଇପାରିଛି। ୧୯୪୬ ମସିହାରୁ ଏଯାବତ୍ ଲକ୍ଷାଧିକ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ଅଧ୍ୟୟନ କରି ଜିଲ୍ଲା, ପ୍ରଦେଶ, ଦେଶ ଓ ବିଦେଶର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ଅଳଙ୍କୃତ କରି ମହାବିଦ୍ୟାଳୟର ଶୋଭାବର୍ଦ୍ଧନ କରିପାରିଛନ୍ତି।
ପ୍ରତ୍ୟେକ ମେଧାବୀ ଛାତ୍ରଛାତ୍ରୀଙ୍କର ଏନ୍.ସି. କଲେଜରେ ପାଠ ପଢ଼ିବା ସ୍ବପ୍ନ ଓ ଗୌରବ ଥିଲା। ପ୍ରାୟ ପ୍ରତ୍ୟେକ ବର୍ଷ +୨ କିମ୍ବା +୩ର ବିଭିନ୍ନ ବର୍ଗରେ ଓଡ଼ିଶାର ରେଭେନ୍ସା, ବିଜେବି, ରମାଦେବୀ, ଜି.ଏମ୍. କଲେଜକୁ ଛାଡ଼ିଦେଲା ପରେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଉତ୍ତୀର୍ଣ୍ଣ ହାର ଓ ରାଜ୍ୟରେ ପ୍ରଥମ ୧୦ ଜଣରୁ ୨୦ ଜଣ ଭିତରେ ପ୍ରାୟ ୨/୩ ଜଣ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖି ମହାବିଦ୍ୟାଳୟକୁ ଗୌରବ ଆଣି ଦେଉଥିଲେ। ପ୍ରାୟ ୨୦୦୪ ମସିହା ଠାରୁ ଏ ଯାବତ୍ ମହାବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ବାତାବରଣରେ କ୍ରମାଗତ ହ୍ରାସ ପାଇବା ଚିନ୍ତା ଓ ପରିତାପର ବିଷୟ ପାଲଟିଛି। ଏଥିପାଇଁ ନିର୍ଦ୍ଦିଷ୍ଟ ଭାବରେ କାହାକୁ ଦୋଷ ଦେଇହେବ ନାହିଁ। ନରସିଂହ ଚୌଧୁରୀ ମହାବିଦ୍ୟାଳୟର ନାଲିକୋଠାକୁ ଦେଖିଲେ ସ୍ବତଃ ପ୍ରବୃତ ରାଜ୍ୟର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରେଭେନ୍ସା କଥା ମନକୁ ଆସିଯାଏ। ମାତ୍ର ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ କମି କମି ଆସିବା, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ପଦବି ପୂରଣ ନହେବା, ସ୍ଥାୟୀ ଅଧ୍ୟକ୍ଷ ନରହିବା ଯୋଗୁଁ ମେଧାବୀ ଛାତ୍ରଛାତ୍ରୀମାନେ ରାଜ୍ୟର ଅନ୍ୟାନ୍ୟ ମହାବିଦ୍ୟାଳୟ ହେଉ ଅବା ରାଜ୍ୟ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି।
ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ, ଅନୁଷ୍ଠାନ ମୁଖ୍ୟଙ୍କ ଖାମଖିଆଲି ମନୋଭାବ ଓ ପ୍ରିୟାପ୍ରିତି ତୋଷଣ ଆଜି ଏନ୍.ସି. କଲେଜକୁ ବଢ଼ିବାରେ ବାଧକ ସାଜିଛି। ପ୍ରାୟ ୩୦ରୁ ୩୫ ଭାଗ ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ସ୍ବୟଂଶାସିତ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଥା’ ମା’ କରି ଚଳେଇବାକୁ ପଡ଼ୁଛି। ରାଜ୍ୟରେ ଅଧ୍ୟାପକ ଅଧ୍ୟାପିକାଙ୍କର ଖାଲି ପଡ଼ିଥିବା ପଦବିକୁ ପୂରଣ କରିବା ଦିଗରେ ସରକାର ଆଦୌ ଯତ୍ନବାନ ହେଉ ନଥିବାରୁ ରାଜ୍ୟରେ ଲକ୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ଭାଗ୍ୟ ଓ ଅନୁଷ୍ଠାନର ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି।
୨୦୨୧ ମସିହାରେ ଆମ ମହାବିଦ୍ୟାଳୟ ଐତିହାସିକ ୭୫ତମ ବର୍ଷ ପୂର୍ତ୍ତି (ପ୍ଳାଟିନମ୍ ଜୁବ୍ଲି) ପାଳନ କରିବାକୁ ଯାଉଛି। ଏନ୍.ସି. କଲେଜକୁ ରାଜ୍ୟର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି। ପ୍ରାୟ ଦୁଇ ବର୍ଷ ତଳେ ହାତଗଣତି ୧୦/୧୫ ଜଣଙ୍କୁ ନେଇ ଏକ ଆଲୁମିନି କମିଟି ଗଠନ କରାଯାଇଛି। ପଦକ୍ଷେପଟି କ୍ଷୁଦ୍ର ହେଲେ ବି ସ୍ବାଗତଯୋଗ୍ୟ। ଏହାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଆଶାକରେ ମହାବିଦ୍ୟାଳୟର ଉଚ୍ଚ କର୍ତ୍ତୃପକ୍ଷ ନିଶ୍ଚିତ ରୂପେ ଏ ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିବେ।
ପଦ୍ମାକର ଗୁରୁ
ପୂର୍ବତନ ସଭାପତି, ଏନ୍.ସି. କଲେଜ ଛାତ୍ର ସଂସଦ
ମୋ: ୭୬୦୯୮୫୨୧୩୧