ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବୁଧବାର ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରୁ ଗୋପାଳକୁ ମୁକ୍ତ କରିବାକୁ ଓକିଲ ପିଟିସନ୍‌ ଦାଖଲ କରିଥିଲେ। ଏଥିରେ ଗୋପାଳର ମାନସିକ ଅବସ୍ଥା ଠିକ ନଥିବା ଉ‌‌ଲ୍ଲେଖ କରାଯାଇଛି। ଏହି ପିଟିସନ୍‌ ଯୋଗୁଁ ଗୋପାଳ ବିରୋଧରେ ଆଜି ହେବାକୁ ଚାର୍ଜ‌ଫ୍ରେମ୍‌ ହୋଇପାରିନାହିଁ। ଅନ୍ୟପକ୍ଷରେ ଗୋପାଳଙ୍କ ପକ୍ଷ ରଖିବା ପାଇଁ ନୂଆ ଓକିଲ ନିଯୁକ୍ତ ହୋଇଥିବାରୁ କୋର୍ଟଙ୍କୁ ଆଉ କିଛି ସମୟ ମଗାଯାଇଥିଲା। ଦାୟର ହୋଇଥିବା ପିଟିସନ୍‌ର ଶୁଣାଣି ପାଇଁ କୋର୍ଟ ଆସନ୍ତା ୨୧ ତାରିଖ ଧାର୍ଯ୍ୟ କରିଛନ୍ତି।

Advertisment

ଆଜି ଗୋପାଳ ପକ୍ଷରୁ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ମହେଶ ଜେନା ଓ ଏସ୍‌.କେ. ସ୍ବାଇଁ ମାମଲା ପରିଚାଳନା କରିବା ପାଇଁ ଆସିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋପାଳର ଓକିଲ ଶ୍ରୀ ଜେନା କହିଛନ୍ତି, କ୍ରାଇମ୍‌ବ୍ରାଞ୍ଚର ତଦନ୍ତରେ ଗୋପାଳର ବାଇପୋଲାର ଡିଜ୍‌ଅର୍ଡର ଥିବା କଥା କୁହାଯାଇଛି। ଏହା ସହିତ ମାନସିକ ରୋଗ ପାଇଁ ସେ ଔଷଧ ବି ଖାଉଛି। ତେଣୁ କ୍ରାଇମ୍‌ବ୍ରାଞ୍ଚ ଯାହା ଅଭିଯୋଗ ଦାଖଲ କରିଛି ସେଥିରୁ ଗୋପାଳକୁ ମୁକ୍ତ କରିବାକୁ ପିଟିସନ ଦାୟର କରାଯାଇଛି। ଯଦି କୋର୍ଟ ପିଟିସନ୍‌କୁ ଗ୍ରହଣ କରନ୍ତି ତେବେ ଗୋପାଳ ଏହି ମାମଲାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ। ଯଦି କୋର୍ଟ ଅଗ୍ରାହ୍ୟ କରନ୍ତି ତେବେ ହାଇକୋର୍ଟ ଓ ସୁପ୍ରିମକୋର୍ଟକୁ ମଧ୍ୟ ଯିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ଆଜି ଗୋପାଳକୁ ଝାରସୁଗୁଡ଼ା ଏଡିଜେ କୋର୍ଟକୁ ଅଣାଯିବା ସମୟରେ ଗୋପାଳର ପୁଅ ଓ ପୁତୁରା ମଧ୍ୟ ଉପସ୍ଥିତ ଥିଲେ।

‘ହତ୍ୟା ପୂର୍ବରୁ ପ୍ରସ୍ତୁତ ହୋଇଥିଲା କି ଚାର୍ଜସିଟ୍‌’

ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତର ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିବାରେ ଲାଗିଛି। ହତ୍ୟାକାଣ୍ଡ ପୂର୍ବରୁ ହିଁ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ପ୍ରସ୍ତୁତ କରିସାରିଥିଲା ବୋଲି ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବହିଦାର ଅଭିଯୋଗ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ପ୍ରଥମ ପୀଡ଼ିତ ସାକ୍ଷ୍ୟ ଭାବେ ନବ କିଶୋର ଦାସଙ୍କୁ ରଖାଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ହାତରେ ମୃତକ ବୋଲି ଲେଖାଯାଇଛି। ହତ୍ୟା ମାମଲାର ୧୨୦ ଦିନ ପରେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରିଥିବା ବେଳେ ‘ପୀଡ଼ିତ ସାକ୍ଷ୍ୟ ମୁଦ୍ରିତ ହୋଇଛି ଏବଂ କାହିଁକି ହାତ ଲେଖା ରହିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏହି ମାମଲାର ତଦନ୍ତ ସମୟରେ ନବ ଦାସ ଜୀବିତ ଥିଲେ ତେବେ କାହିଁକି ତାଙ୍କର ଡାଇଂ ଡିକ୍ଲାରେସନ୍‌ କରାଗଲାନି ତାହା ଏବେ ବିବାଦ ସୃଷ୍ଟି କରିଛି। ଯଦି ନବ ଦାସଙ୍କ ମୃତ୍ୟୁ ହୋଇସାରିଥିଲା ତେବେ ମୃତକଙ୍କୁ କିଭଳି ସାକ୍ଷ୍ୟ ଭାବେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ରେ ରଖିଲା ତାହା ବି ଦ୍ବନ୍ଦ୍ବ ସୃଷ୍ଟି କରିଛି।