ଝାରସୁଗୁଡ଼ା/କଟକ : ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସକୁ ଆଜି କଡ଼ା ସୁରକ୍ଷା ବଳୟ ଭିତରେ କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା।‌ ଏହି ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଗୋପାଳର ୧୬୪ ବୟାନ ରେକର୍ଡ କରାଯାଇଥିବା ବେଳେ ପୂରା ଘଟଣାର ଭିଡିଓଗ୍ରାଫି କରାଯାଇଛି। ଏହାରି ଭିତରେ ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଞ୍ଚ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜାଣିପାରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯେଉଁ କାରଣରୁ ଗୋପାଳର ରିମାଣ୍ଡ ଅବଧିକୁ ବୃଦ୍ଧି କରାଯାଇନାହିଁ।

Advertisment

କ୍ରାଇମବ୍ରାଞ୍ଚ ଅଧିକ ରିମାଣ୍ଡ ନେଇ କୌଣସି ଆବେଦନ ନକରିବା ପରେ ତାକୁ ଝାରସୁଗୁଡ଼ା ଉପକାରାଗାରକୁ ସ୍ଥାନାନ୍ତର କରିଦିଆଯାଇଛି। ତେଣୁ ଏହି ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ତଦନ୍ତକାରୀ ଟିମ୍‌ ସୂଚନା ପାଇସାରିଥିବା ଜଣାପଡ଼ିଛି। ସେପଟେ, ଅଭିଯୁକ୍ତ ଗୋପାଳର ସୁରକ୍ଷା ଦୃଷ୍ଟିରୁ ତାକୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରିବା ପାଇଁ ଜେଲ୍‌ ବିଭାଗ ପକ୍ଷରୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ସେପଟେ, ଖୁବ୍‌ ଶୀଘ୍ର ଗୋପାଳକୁ ଚୌଦ୍ବାର ଜେଲ୍‌ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଛି।

publive-image
ସୂଚନା ଅନୁସାରେ, ଗତକାଲି ଗୋପାଳର ନାର୍କୋ ଟେଷ୍ଟ ପରେ ତାକୁ ଗୁଜରାଟରୁ ରାୟପୁରକୁ ବିମାନ ଯୋଗେ ଓ ସେଠାରୁ ଝାରସୁଗୁଡ଼ାକୁ ସଡ଼କ ପଥରେ ଅଣାଯାଇଥିଲା। ରାତି ପ୍ରାୟ ସାଢ଼େ ୧୨ଟା ବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ାରେ ପହଞ୍ଚିବା ପରେ ରାତିରେ ଏୟାରପୋର୍ଟ ଥାନାରେ ଗୋପାଳକୁ ରଖାଯାଇଥିଲା। ଆଜି ସକାଳୁ ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍‌ ଦିନ ପ୍ରାୟ ସାଢ଼େ ୧୦ଟାରେ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି ଅଦାଲତରେ ପହଞ୍ଚିଥିଲା। କୋର୍ଟରେ ତାକୁ ହାଜର କରାଯିବା ପରେ ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିଲା। ଏହି ସମୟରେ ଉଭୟ କୋର୍ଟ ଓ ଜେଲ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଗୋପାଳକୁ କୋର୍ଟରେ ହାଜର କରାଯିବା ସମୟରେ ତାହାର ୧୬୪ ବୟାନ୍‌ ରେକର୍ଡ କରାଯାଇଥିଲା। ଏହି ସମୟରେ କ୍ରାଇମବ୍ରାଞ୍ଚ ଟିମ୍‌ ନାର୍କୋ ଟେଷ୍ଟ ରିପୋର୍ଟ ମଧ୍ୟ ଦାଖଲ କରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ। ଯଦିଓ ବର୍ତ୍ତମାନ ସୁଦ୍ଧା ପୁଲିସ୍‌ କି କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟାଇପାରିନାହାନ୍ତି, ତଥାପି କେଉଁ କାରଣରୁ ଗୋପାଳ ଏଭଳି କାଣ୍ଡ ଭିଆଇଲା ସେନେଇ ନାର୍କୋ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ ରହିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ମାତ୍ର ମାମଲା ସମ୍ବେଦନଶୀଳ ହୋଇଥିବାରୁ ରିପୋର୍ଟରେ କଣ ରହିଛି ‌ତାହାକୁ ସାର୍ବଜନୀନ କରାଯାଇପାରିବ ‌ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନବ ଦାସ ହତ୍ୟା ଘଟଣାକୁ ଇତି ମଧ୍ୟରେ ୧୬ ଦିନ ବିତି ସାରିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ୧୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିଛି। ଏହି ସମୟରେ ହାତ ଲେଖା ଚିଠି ଉଦ୍ଧାର ଘଟଣାରୁ ନେଇ ମାନସିକ ସ୍ଥିତି ପରୀକ୍ଷା ଓ ନାର୍କୋ ଟେଷ୍ଟ ବି ଶେଷ ହୋଇଛି।

publive-image

ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଉପ କାରାଗାରକୁ ୩୦ ତାରିଖରେ ପ୍ରଥମ ଥର ଆସିବା ପରେ ନିଜକୁ ଅସୁରକ୍ଷିତ ମନେ କରିଥିଲା। ସେହି ଜେଲରେ ସ୍ଥାନୀୟ ଅଞ୍ଚଳର ଅନେକ ଅପରାଧୀ ଶ୍ରେଣୀୟ ବ୍ୟକ୍ତି ଥିବାରୁ ସେମାନେ ତା ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବା ସମ୍ପର୍କରେ ଲିଖିତ ଆକାରରେ ଜେଲ୍ ଅଧୀକ୍ଷକଙ୍କୁ ଗୋପାଳ ଜଣାଇଥିଲା। ଜେଲ୍ ଅଧୀକ୍ଷକ ଏ ସଂକ୍ରାନ୍ତରେ ଭୁବନେଶ୍ବରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟକୁ ଅବଗତ କରିଥିଲା। ତେବେ ଜେଲ୍ ବିଭାଗର ଏକ ଟିମ୍ ଚୌଦ୍ବାର ଜେଲକୁ ସୁରକ୍ଷା ଦୃଷ୍ଟିରୁ ଚୟନ କରିବା ସହିତ ଚୌଦ୍ବାର ଜେଲ୍ ଗସ୍ତ କରି ସ୍ଥିତି ଯାଞ୍ଚ କରିଛି। କେଉଁ ସେଲରେ ତାଙ୍କୁ ରଖାଯିବ, ସେ ନେଇ ଅନୁଧ୍ୟାନ କରାଯାଇ ଜେଲ୍ ବିଭାଗକୁ ଏକ ରିପୋର୍ଟ ଦିଆଯାଇଛି। ଗୋବିନ୍ଦ ସାହୁ ଜେଲ୍ ଭିତରେ ଆତ୍ମହତ୍ୟା କରିଥିବା ବେଳେ ଗୋପାଳ ସୁରକ୍ଷା ମାଗିବାରୁ ଜେଲ୍ ବିଭାଗ ଏଭଳି ପଦକ୍ଷେପ ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୯ ତାରିଖରେ ଝାରସୁଗୁଡ଼ାର ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପ୍ରଥମେ ବ୍ରଜରାଜନଗର ପୁଲିସ୍‌ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିଥିବା ବେଳେ ପରେ ମାମଲା କ୍ରାଇମ୍‌ବ୍ରାଞ୍ଚ ହାତକୁ ଯାଇଛି।