ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ

ଭୁବନେଶ୍ବର : ତାଳଚେରଠାରେ ମହାନଦୀ କୋଲ୍‌ ଫିଲ୍‌ଡ(ଏମ୍‌ସିଏଲ୍) ଦ୍ବାରା ପରିଚାଳିତ ହେବାକୁ ଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ଗତ ଦୁଇ ବର୍ଷ ହେବ କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ତେଣୁ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ନିବେଦନ କରିଛନ୍ତି।

ଶ୍ରୀ ଦାସ ଦର୍ଶାଇଛନ୍ତି ଯେ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ସହିତ ଏମ୍‌ସିଏଲ୍‌ର ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଏଥିରେ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜାଗା ଯୋଗାଇଦେବାକୁ ଥିବା ବେଳେ ଏମ୍‌ସିଏଲ୍‌ ୫୦୦ ଶଯ୍ୟା ଓ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବ। ୨୦୧୬-୧୭ ଶିକ୍ଷା ବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ନିଷ୍ପତ୍ତି ହୋଇଥିଲା। ମାତ୍ର ୨୦୧୯-୨୦ ମସିହାରୁ ମେଡିକାଲ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ‌ଶେଷ ହୋଇଥିବା ବେଳେ ଭିତ୍ତିଭୂମି କୌଣସି କାମରେ ଆସୁନାହିଁ। ମେଡିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆସିବା ସହିତ ଡାକ୍ତରଙ୍କ ଅଭାବ ଦୂର ହୋଇପାରିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର