ଆଶ୍ଚର୍ଯ୍ୟ କଲା ନବ ଦାସଙ୍କ ଗାଡ଼ି ତାଲିକା ! ୨୦୧୮ରୁ ୨୦୨୦ ମଧ୍ୟରେ ପରିବାର ସଦସ୍ୟ କିଣିଛନ୍ତି ୮୦ଟି ଗାଡ଼ି

ତୁଷାରକାନ୍ତି ବେହେରା ସବୁଠୁ ଗରିବ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସବୁଠାରୁ ଧନୀ ମନ୍ତ୍ରୀ କିଏ ? ରାଜ୍ୟ ସରକାରଙ୍କ ୱେବସାଇଟ ଅନୁସାରେ ଏ ପ୍ରଶ୍ନର ଉତ୍ତର – ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ଥାବର, ଅସ୍ଥାବର ସମ୍ପତ୍ତି କଥା ଛାଡନ୍ତୁ, ନବ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ଗାଡିର ତାଲିକା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବିଶ୍ବର ଅନ୍ୟତମ ଦାମୀ ଗାଡ଼ି ମର୍ସଡିଜ୍ ରହିଛି ତାଙ୍କ ପାଖରେ। ମର୍ସଡିଜ୍ ଏସ-କ୍ଲାସର ମେ-ବ୍ୟାକ୍ ଏସ-୫୬୦ ମଡେଲ ତାଙ୍କ ନିକଟରେ  ଥିବା ଦର୍ଶାଇଛନ୍ତି ସେ ।  ତାଙ୍କ ପାଖରେ ଥିବା କାରର ଦାମ ହେଉଛି ୧ କୋଟି ୯୬ ଲକ୍ଷ ୭୮ ହଜାର ଟଙ୍କା, ଅର୍ଥାତ ପାଖାପାଖି ଦୁଇ କୋଟି ଟଙ୍କା । ନବଙ୍କ ସମ୍ପତି ତାଲିକାରୁ ଆଉ ଏକ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ୨୦୧୮, ୧୯, ୨୦ ଏହି ତିନି ବର୍ଷରେ ୮୦ଟି ଟ୍ରକ, ହାଇୱା, ଜେସିବି ପରି ବ୍ୟବସାୟିକ ଗାଡି ସେ କିଣିଥିବା ଦର୍ଶାଇଛନ୍ତି । ଏହି ତିନି ବର୍ଷରେ ସେ ଭାରତ ବେଞ୍ଜର ୩୦ଟି, ଟାଟା ମୋଟର୍ସର ୪୦ଟି ଏବଂ ମହିନ୍ଦ୍ରାର ୫ଟି ଗାଡି କିଣିଛନ୍ତି । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ଏସବୁ ତାଙ୍କ ପରିବାର ସଦସ୍ୟଙ୍କର ଏବଂ ସେମାନେ ବିଭିନ୍ନ ବ୍ୟବସାୟ କରନ୍ତି । ଆୟକର ମଧ୍ୟ ଠିକ୍ ଭାବରେ ଦାଖଲ କରନ୍ତି ।

ସମ୍ପତ୍ତି ତାଲିକା ପ୍ରଦାନ କରିଥିବା ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ କମ ସମ୍ପତ୍ତିର ମାଲିକ ହେଉଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ମାତ୍ର ୩୩ ଲକ୍ଷ ଟଙ୍କା ବୋଲି ଦର୍ଶାଇଛନ୍ତି । ଏହା ବ୍ୟତୀତ ପଂଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ୧୦ କୋଟି ୩୫ଲକ୍ଷ ଟଙ୍କା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୪ କୋଟି ୨୪ ଳକ୍ଷ ଟଙ୍କା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ୭ କୋଟି ୩୧ ଲକ୍ଷ ଟଙ୍କାର ମାଲିକ ବୋଲି ଦର୍ଶାଇଛନ୍ତି ।

ଦୁର୍ନୀତି ବିରୋଧରେ ଲଢେଇ ପାଇଁ କିଛି ଦିନ ତଳେ ସମସ୍ତ ଜନ ପ୍ରତିନିଧି ଓ ଅଫିସର ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି ତଥ୍ୟ ସର୍ବସାଧାରଣଙ୍କ ଜାଣିବା ପାଇଁ ପବ୍ଲିକ ଡୋମେନରେ ରଖାଯିବ ବୋଲି ମଧ୍ୟ କହିଛନ୍ତି ନବୀନ ।

ସମ୍ବନ୍ଧିତ ଖବର