ଝାରସୁଗୁଡ଼ାକୁ ବିମାନ ଚଳାଚଳ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସ

ଭୁବ‌େନଶ୍ବର : ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ ହେବାର ୩୫ଦିନ ବିତିଯାଇଥିଲେ ହେଁ ମାତ୍ର ୫ଦିନ ବିମାନ ଉଡ଼ାଣ ହୋଇ ବନ୍ଦ ରହିଯାଇଛି। ‘ଉଡାନ୍‌’ ଯୋଜନାରେ ଭୁବନେଶ୍ବରରୁ ଝାରସୁଗୁଡ଼ା, ଝାରସୁଗୁଡ଼ାରୁ ରାୟପୁରକୁ ବିମାନ ସେବା ଯୋଗାଉଥିବା ଏୟାର ଓଡ଼ିଶା ବୈଷୟିକ ତ୍ରୁଟି ଦର୍ଶାଇ ବିମାନ ସେବା ବନ୍ଦ କରିଦେଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କାରଣଦର୍ଶାଅ ନୋଟିସ୍ ଜାରି କରି ରହିଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବିମାନ ସେବା ସ୍ବାଭାବିକ ହୋଇପାରିଲାନି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରି ଝାରସୁଗୁଡ଼ାକୁ ବିମାନ ଉଡ଼ାଣ ସ୍ବାଭାବିକ କରିବାକୁ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛନ୍ତି।

ସେହିପରି ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବାବେଳେ ଆଜି ପର୍ଯ୍ୟନ୍ତ ଏନେଇ ପଦକ୍ଷେପ ନିଆଯାଇନି। ଏନେଇ ମୁଖ୍ୟମନ୍ତ୍ରୀ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଛନ୍ତି।

ଆଜି ସଚିବାଳୟରେ ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସମୟରେ ତାଙ୍କ ସହ ଝାରସୁଗୁଡ଼ା ଓକିଲ ସଂଘ ସଭାପତି ରଘୁମଣି ପଟେଲ୍, ଝାରସୁଗୁଡ଼ା ବଣିକ ସଂଘର ଉପସଭାପତି ହୀରାଲାଲ ଲୋକଚନ୍ଦାନି, ଝାରସୁଗୁଡ଼ା ପ୍ରେସ୍ କ୍ଲବର ଉପସଭାପତି ମେହବୁବ୍ ମହତାବ, ଝାରସୁଗୁଡ଼ା ବରିଷ୍ଠ ନାଗରିକ ସଂଘର ସଭାପତି ବାଳଗୋବିନ୍ଦ ମିଶ୍ରଙ୍କ ‌ସମେତ ପିଣ୍ଟୁ ପାଢ଼ୀ, ପି.ରାମମୋହନ ରାଓ, ଶତ୍ରୁଘ୍ନ ମେହେର, ଶୈଳେଶ ଗିଦ୍ବାନୀ, ଚିତ୍ତରଂଜନ ମେହେର, ଦେବେନ କିଶୋର ପତି, ବିକାଶ ବାଧାନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର