ଝାରସୁଗୁଡ଼ା : ନବ ଦାସ ହତ୍ୟା ମାମଲାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌ ସାମ୍ନାକୁ ଆସିବା ପରେ ଅନେକ କିଛି ପ୍ରସଙ୍ଗ ଏବେ ସାମ୍ନାକୁ ଆସିଛି। ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ନବ ଦାସଙ୍କୁ ହତ୍ୟା କରିଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। କିନ୍ତୁ ଏହି ଘଟଣାରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ସ୍ତ୍ରୀ ମିନତି ଦାସ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ବୟାନ ଏବେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଉପରେ ଅଙ୍ଗୁଳି ଉଠାଇଛି। ବିଶାଳ ତାଙ୍କ ବୟାନରେ କହିଛନ୍ତି, ‘ମୋ ବାପାଙ୍କୁ ପ୍ରି ପ୍ଲାନ୍ ମର୍ଡର କରାଯାଇଛି। କାରଣ ବ୍ରଜରାଜନଗରରେ ମୋର ବାପାଙ୍କ ବିରୋଧୀ ଥିଲେ।’

Advertisment

ସେହିପରି ସ୍ବର୍ଗତ ଦାସଙ୍କ ପତ୍ନୀ ମିନତି ମଧ୍ୟ ତାଙ୍କ ବୟାନରେ କହିଛନ୍ତି, ‘ମୋ ସ୍ବାମୀଙ୍କୁ ପ୍ରି ପ୍ଲାନ୍‌ ମର୍ଡର କରାଯାଇଛି। କାରଣ ଏହା ଆଗରୁ ମୋତେ ମୋ ସ୍ବାମୀ ତାଙ୍କର ବହୁତ ଶତ୍ରୁ ଅଛନ୍ତି ବୋଲି କହିଥିଲେ।’ ନବ ଦାସ ହତ୍ୟା ଘଟଣା ପରଠାରୁ ଏହି ଦିଗ ପ୍ରତି ସମସ୍ତେ ଅଭିଯୋଗ କରୁଥିବା ବେଳେ ଗୋପାଳ ପଛରେ କିଏ ବୋଲି ପ୍ରଶ୍ନ ଉଠାଇ ଆସିଛନ୍ତି। ସେପଟେ, କ୍ରାଇମ୍‌ବ୍ରାଞ୍ଚ ଏହି ଷଡ଼୍‌ଯନ୍ତ୍ର ଦିଗରେ ତଦନ୍ତ କରି ନଥିବା ନେଇ ବି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି।