ଝାରସୁଗୁଡ଼ା : ନବ ଦାସ ହତ୍ୟା ମାମଲାରେ ବୁଧବାର ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ହାଜର ହୋଇଥିଲା। କୋର୍ଟ ପାହାଚ ଚଢ଼ୁ ଚଢ଼ୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲା ଗୋପାଳ। କୋର୍ଟ ମଧ୍ୟରେ ବି ଦୋଷ ସ୍ବୀକାର କରିବ ବୋଲି କହିଥିଲା। ତେବେ ଗୋପାଳର କେହି ଆଇନ୍‌ଜୀବୀ ନଥିବାରୁ ଷ୍ଟେଟ୍‌ ଡିଫେନ୍ସ କାଉନ୍‌ସିଲ ନରେଶ ନାୟକଙ୍କୁ ଗୋପାଳ ପାଇଁ ଲଢ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ମାମଲା ଶୁଣାଣି ହେବ ବୋଲି କହିଥିଲେ। ଏଡିଜେଙ୍କ କୋର୍ଟରେ ଆସନ୍ତା ୯ ତାରିଖରେ ଏହି ମାମଲାରେ ଗୋପାଳ ବିରୋଧରେ ଚାର୍ଜ ଫ୍ରେମ୍‌ କରାଯିବ ବୋଲି ଏସ୍‌ଡିସି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଗୋପାଳକୁ ହାଜର କରାଯିବା ସମୟରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ହାଜିରା ପରେ ଜେଲ୍‌ କର୍ତ୍ତୃପକ୍ଷ ଗୋପାଳକୁ ପୁଣିଥରେ ଚୌଦ୍ବାର ଜେଲ୍‌କୁ ନେଇ ଯାଇଥିଲେ।

Advertisment

ଗତ ୧୩ ତାରିଖରେ ଗୋପାଳକୁ ଜେଏମ୍‌ଏଫ୍‌ସି ଝାରସୁଗୁଡ଼ାଙ୍କ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ବୁଧବାର ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜିରା ରହିଥିଲା। ଆଜି କୋର୍ଟରେ ଗୋପାଳ ବିରୋଧରେ ଚାର୍ଜ ଫ୍ରେମ୍‌ ମଧ୍ୟ ହୋଇଥାନ୍ତା। ଆଜି ସକାଳୁ ଜେଲ୍‌ କର୍ତ୍ତୃପକ୍ଷ ଗୋପାଳକୁ ଆଣି ଝାରସୁଗୁଡ଼ାରେ ପହଞ୍ଚିବା ପରେ ଦିନ ପ୍ରାୟ ସାଢ଼େ ୧୧ଟାରେ ତାକୁ କୋର୍ଟକୁ ଅଣାଯାଇଥିଲା। ପୂର୍ବଥର ଭଳି ଚଳିତ ଥର ମଧ୍ୟ ମାତ୍ର ୫ ମିନିଟ୍‌ରେ ହାଜିରା ଶେଷ ହେବା ପରେ ଗୋପାଳକୁ ଫେରାଇ ନିଆଯାଇଥିଲା। ‌ତେବେ ଆଜି କୋର୍ଟରେ ବିଚାରପତିଙ୍କ ସାମ୍ନାରେ ଦୋଷ ମାନିବାକୁ ପ୍ରସ୍ତୁତ ଥିବା ନେଇ ଗୋପାଳ କହିଥିବା ବରିଷ୍ଠ ଆଇନ୍‌ଜୀବୀ ସତ୍ୟ ନାରାୟଣ ବହିଦାର କହିଛନ୍ତି। ଶ୍ରୀ ବହିଦାରଙ୍କ କହିବାନୁସାରେ, ଚାପର ବଶବର୍ତ୍ତୀ ହୋଇ ଗୋପାଳ ଏଭଳି କିଛି କହିଛି। କିନ୍ତୁ ବର୍ତ୍ତମାନ ସମୟରେ ଦୋଷ ସ୍ବୀକାର କରି ପାରିବେନି ଓ ଯାହା କହିବେ ଚାର୍ଜ ସମୟରେ କହିବେ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ସେପଟେ, କୋର୍ଟରେ ସାକ୍ଷ୍ୟ ପ୍ରମାଣ ଯାହା ପୁଲିସ୍‌ ଦାଖଲ କରିଛି, ସେହି ଆଧାରରେ ମାମଲା ଟ୍ରାୟଲକୁ ଯିବା ପରେ ଗୋପାଳ ପାଇଁ ମାମଲା ଲଢ଼ିବେ ବୋଲି ଏସ୍‌ଡିସି ଶ୍ରୀ ନାୟକ କହିଛନ୍ତି।