ଝାରସୁଗୁଡ଼ା : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଏକ ନୂଆ ଦିଗ ସାମ୍ନାକୁ ଆସିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକାଉଣ୍ଟାଣ୍ଟ୍‌ ଭାବେ କାର୍ଯ୍ୟରତ ମନୋଜ ବରିହା, ନବ ଦାସଙ୍କ ନାଁରେ ଗୋପାଳକୁ ଧମକ‌ାଇଥିଲେ। ଗାନ୍ଧୀନଗରର ଫରେନ୍‌ସିକ ସାଇନ୍ସ ନିର୍ଦ୍ଦେଶାଳୟରେ ହୋଇଥିବା ପଲିଗ୍ରାଫ୍‌ ଟେଷ୍ଟର ରିପୋର୍ଟରେ ଏଭଳି ଦର୍ଶାଯାଇଛି। ଯଦି ମନୋଜ ‌ବରିହା ଗୋପାଳକୁ ଭୟଭୀତ କରାଇଥିଲେ ତେବେ ତାଙ୍କୁ କାହିଁକି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କଲାନି କି ତାଙ୍କୁ ସହଅଭିଯୁକ୍ତ ଭ‌ାବେ ଜେରା କରାଯାଇନାହିଁ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଶ୍ରୀ ବରିହା ଗଣମାଧ୍ୟମକୁ କହିଛନ୍ତି, ‘ଗୋପାଳ ସହ କେବଳ ତାଙ୍କର ଭଲ ସମ୍ପର୍କ ଥିଲା। ‌କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ବୟାନରେ, ତାଙ୍କୁ କେବଳ ସେତିକି ପଚରାଯାଇଥିଲା। ମାତ୍ର ଏସବୁ କଥା କେମିତି ଆସିଲା ସେ କୋର୍ଟରେ ପଚାରିବେ।

Advertisment

ଗୋପାଳ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ବୟାନ ଅନୁସାରେ, ‘ମୁଁ, ମନୋଜ ବରିହା ଓ ମୋ ବଡ଼ଭାଇ ମିଶି ଭୋଜିଭାତ କରୁଥିଲୁ। ସେହିଦିନ ମନୋଜ ବରିହା ମୋତେ କହିଥିଲା ଯେ, ଦାଦା(ନବ ଦାସ) ତୁମ ଉପରେ ରାଗିଛନ୍ତି, ତୁମେ ଟିକେ ଦେଖିକି ଚଳିବ, ତୁମ ଜୀବନ ପ୍ରତି ବିପଦ ଅଛି। ସେହି କଥା ଶୁଣି ମୋ ପେଣ୍ଟରେ ଝାଡ଼ା ପରିସ୍ରା ପଡ଼ିଗଲା। ଧୀରେଧୀରେ ମୋ ଜୀବନକୁ ଭୟ ଆସିଲା।
ଏହି ତଥ୍ୟକୁ ବଳ ମିଳିଛି। କାରଣ ପଲିଗ୍ରାଫ୍‌ ଟେଷ୍ଟରେ ଗୋପାଳକୁ ପଚରାଯାଇଥିବା ପ୍ରଥମ ସେଟ୍‌ ପ୍ରଶ୍ନର ନବମ ନମ୍ବରରେ ‘କ୍ୟା ମନୋଜ ନେ ଆପ୍‌କୋ ନବ କିଶୋର ଦାସ କେ ନାମ୍‌ସେ ଡରାୟା ଥା’ ବୋଲି ପଚରାଯାଇଥିଲା। ଗୋପାଳ ହଁ ବୋଲି ଉତ୍ତର ରଖିଥିବା ଜଣାପଡ଼ିଛି। ଗୋପାଳକୁ ଗିରଫ କରାଯିବା ପରେ ତାର ପଲିଗ୍ରାଫ୍‌ ଟେଷ୍ଟ ପାଇଁ ଫେବ୍ରୁଆରି ୯ରୁ ୧୨ ତାରିଖ ଯାଏ ଗାନ୍ଧୀନଗର ସ୍ଥିତ ନିର୍ଦ୍ଦେଶାଳୟରେ ରଖାଯାଇଥିଲା। ଗୋପାଳକୁ ୧୩ଟି ଲେଖାଏଁ ୨ ସେଟ୍‌ ପ୍ରଶ୍ନ ପଚରାଯାଇଥିଲା।

ସେପଟେ କ୍ରାଇମ୍‌ବ୍ରାଞ୍ଚକୁ ମନୋଜ ଦେଇଥିବା ବୟାନ ଅନୁସାରେ ୨ ବର୍ଷ ତଳେ ଗାନ୍ଧୀଛକରେ ଗୋପାଳ ସହ ତାଙ୍କ ପରିଚୟ ହୋଇଥିଲା । ଏହାପରେ ଦିନେ ଜଣେ ହୋଟେଲ ମାଲିକଙ୍କ ଅଭିଯୋଗ ଶୁଣିବା ପରେ ସେ ଗୋପାଳ ନିକଟକୁ ଯାଇଥିଲେ। ସେଠାରେ ଗୋପାଳର ବଡ଼ ଭାଇ ବି ଉପସ୍ଥିତ ଥିଲେ। ସେଠାରେ ସେ ଗୋପାଳକୁ କହିଥିଲେ, ‘କାହିଁକି ତୁମେ ହୋଟେଲରେ ଖାଉଛ, ପାର୍ସଲ ଆଣୁଛ, ମାତ୍ର ଟଙ୍କା ଦେଇନାହଁ? ଏପରିକି ତୁମେ ମନ୍ତ୍ରୀଙ୍କ ପିଲାମାନଙ୍କୁ ବାଡ଼ାପିଟା କରୁଛ, ଯେଉଁଥିପାଇଁ ମନ୍ତ୍ରୀ ତୁମ ଉପରେ ରାଗିଛନ୍ତି, ତୁମେ ଟିକେ ଦେଖିକି ଚଳିବ। ସେ କହିଲା କି ମୁଁ ଏ ସବୁ ଜିନିଷ ଛାଡ଼ିଦେବି। ଗତ ଜାନୁଆରି ୨ ତାରିଖ ଦିନ ମୁଁ ଘଟଣାସ୍ଥଳରେ ନଥିଲି।’ ପଲିଗ୍ରାଫ୍‌ ଟେଷ୍ଟକୁ ନେଇ ଗୋପାଳ ପାଇଁ ନିଯୁକ୍ତ ହୋଇଥିବା ଷ୍ଟେଟ୍‌ ଡିଫେନ୍ସ କାଉନ୍‌ସେଲ ନରେଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପଲିଗ୍ରାଫ ଟେଷ୍ଟ ରିପୋର୍ଟ କନକ୍ଲୁସିଭ୍‌ ପ୍ରୁଫ୍‌ ନୁହେଁ ଓ ତାକୁ ନେଇ କନଭିକ୍ସନ ହୋଇପାରିବନାହିଁ। ପଲିଗ୍ରାଫ୍‌ ଟେଷ୍ଟରେ ହଁ ଓ ନାଁରେ ଉତ୍ତର ରୁହେ। ତେଣୁ ଗୋପାଳ ସେଥିରେ ବ୍ୟାଖ୍ୟା କରିବାର ସୁଯୋଗ ନଥିଲା। ଯାହା ପ୍ରଶ୍ନ ଦିଆଯାଇଥିଲା, ତାହାର ଉତ୍ତର ସେ ଦେଇଛି। ମନୋଜ ବରିହାକୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିବା କଥା, କିନ୍ତୁ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ସେନେଇ କୌଣସି ତଥ୍ୟ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।

ଗୋପାଳ ଖାଇବା ନେଉଥିଲା, ପଇସା ଦେଉନଥିଲା
ଝାରସୁଗୁଡ଼ା : ଗୋପାଳର ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ ଅନୁସାରେ, ଗୋପାଳ ୧୯୯୨ ମସିହାରେ କନେଷ୍ଟବଳ ଭାବେ ବ୍ରହ୍ମପୁରରେ ଯୋଗ ଦେଇଥିଲା। ୨୦୦୯ରେ ସେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇବା ପରେ ବଡ଼ମାଳ ଥାନାରେ ତାର ନିଯୁକ୍ତି ହୋଇଥିଲା। ସେହି ସମୟରେ ତାର ଦରମା ୬୪ ହଜାର ଟଙ୍କା ଥିଲା ଓ ୮-୧୦ ହଜାର ଟଙ୍କା ସେ ଦୁର୍ନୀତି କରି ପାଉଥିଲା। ମନୋଜଙ୍କର ବୟାନରେ ଉଲ୍ଲେଖ ରହିଛି, ‘ଗାନ୍ଧୀଛକର ୬ ନମ୍ବର ଢାବାକୁ ଯାଇଥିବା ବେଳେ ତା ମାଲିକ ସୁଶାନ୍ତ ସାହୁ କହିଲା କି ତୁମେ ଗୋପାଳ ଦାସକୁ ଭଲ ଭାବରେ ଜାଣିଛ, ତାଙ୍କୁ କହିଦେବ କି ସେ ପାର୍ସଲ ନେଉଛନ୍ତି ଓ ଖାଉଛନ୍ତି, ମାତ୍ର ପଇସା ଦେଉନାହାନ୍ତି। ବିଶ୍ବର ମଙ୍ଗଳ ପାଇଁ ନବ ଦାସଙ୍କୁ ହତ୍ୟା କରିଥିବା ନେଇ ଗୋପାଳ ବିଶ୍ବାସ କରୁଥିବା ବି ପଲିଗ୍ରାଫ୍‌ ଟେଷ୍ଟରେ ଉଲ୍ଲେଖ ରହିଛି।