ସମ୍ବଲପୁର: ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ ଯେଉଁ ଟିମ୍ ନିଯୁକ୍ତି ଦେଇଛନ୍ତି, ତାର ନେତୃତ୍ବ ନେଉଛନ୍ତି ଖୋଦ୍ ଜଣେ ଅଭିଯୁକ୍ତ ପୁଲିସ୍ ଅଧିକାରୀ। ଏଡିଜି ଅରୁଣ ବୋଥ୍ରାଙ୍କ ଅଧୀନରେ ପ୍ରଥମେ କ୍ରାଇମ୍ ବ୍ରାଞ୍ଚର ୨ଟି ଟିମ୍ ଗଠନ ହୋଇଥିଲା। ସେଥିମଧ୍ୟରୁ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ତଦନ୍ତ କରୁଥିବା ପ୍ରଥମ ଟିମ୍ର ନେତୃତ୍ବ ନେଉଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ରମେଶ ଦୋରା। ହେଲେ ଶ୍ରୀ ଦୋରାଙ୍କ ବିରୋଧରେ ମିଛ ଜାତି ପ୍ରମାଣପତ୍ର ଦେଇ ଚାକିରି କରିବା ଅଭିଯୋଗ ରହିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଖୋଦ୍ କ୍ରାଇମ୍ବ୍ରାଞ୍ଚ ଓ ବରଗଡ଼ ପୁଲିସ୍ ଏ ସଂପର୍କିତ ରିପୋର୍ଟ ଦେଇଛନ୍ତି। ଶ୍ରୀ ଦୋରା ତେଲେଙ୍ଗା ଜାତି (ପଛୁଆବର୍ଗ)ର ହୋଇଥିବାବେଳେ ନିଜକୁ କଣ୍ଡଦୋରା (ଆଦିବାସୀ) ଦର୍ଶାଇ ଜାଲ୍ ଜାତି ପ୍ରମାଣପତ୍ର ଦାଖଲ କରି ପୁଲିସ୍ ଚାକିରି କରିଥିବା ଅଭିଯୋଗ ରହିଛି। ସେ ଯେଉଁ ଜାତି ପ୍ରମାଣପତ୍ର ଦାଖଲ କରି ପୁଲିସ୍ ଚାକିରି କରୁଛନ୍ତି ସେ ପ୍ରମାଣପତ୍ର ତାଙ୍କ କାର୍ଯ୍ୟାଳୟରୁ ଜାରି ହେବା ସଂପର୍କିତ କୌଣସି ତଥ୍ୟ ନଥିବା ବରଗଡ଼ ତହସିଲଦାରଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଏହି ବିଷୟ ଏବେ ବି ବିଭିନ୍ନ ଫୋରମ୍ରେ ବିଚାରାଧୀନ ରହିଛି।
ଶ୍ରୀ ଦୋରାଙ୍କ ବିରୋଧରେ କେବଳ ଏହି ଗୋଟିଏ ଅଭିଯୋଗ ନାହିଁ। ତାଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନର ଅଭିଯୋଗ ମଧ୍ୟ ରହିଛି ଯାହାର ତଦନ୍ତ ପାଇଁ ମାନବାଧିକାର ଆୟୋଗ ସମ୍ବଲପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଦୋରାଙ୍କ ସମେତ ୩ ଜଣ ପୁଲିସ୍ ଅଧିକାରୀଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ସଂପର୍କିତ ଏକ ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ମାନବାଧିକାର ଆୟୋଗ ମାମଲା ସଂଖ୍ୟା ୨୮୨୫, ତା. ୫.୧.୨୦୨୩କୁ ସମ୍ବଲପୁର ଏସ୍ପିଙ୍କ ପାଖକୁ ପଠାଇଛନ୍ତି। ଏସ୍ପି ଅଭିଯୋଗର ତଦନ୍ତ କରାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶରେ କହିଛନ୍ତି। ବୁର୍ଲା ଥାନା ଅନ୍ତର୍ଗତ ସାହାଜବାହାଲ ନିବାସୀ ସୁରେନ୍ଦ୍ର ମହାପାତ୍ର ଗତ ୧୨ ନଭେମ୍ବର ୨୦୨୧ରେ ସମ୍ବଲପୁରର ପୂର୍ବତନ ଅତିରିକ୍ତ ଏସ୍ପି (ବର୍ତ୍ତମାନର ସୁବର୍ଣ୍ଣପୁର ଏସ୍ପି) ଅମରେଶ ପଣ୍ଡା, ପୂର୍ବତନ ଟାଉନ୍ ଥାନା ଅଧିକାରୀ ରମେଶ ଦୋରା (ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି କଟକ), ପୂର୍ବତନ ଟାଉନ୍ ଥାନା ସବ୍ଇନ୍ସପେକ୍ଟର ବିଭୂତିଭୂଷଣ ଦଳାଇଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଥିଲେ।
ଡିଏସ୍ପି ରମେଶ ଦୋରାଙ୍କ ନାମରେ ଜାତି ଜାଲିଆତି ଠକେଇ ସମେତ ବିଭିନ୍ନ ଅଭିଯୋଗ
ସମ୍ବଲପୁର ଏସ୍ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର ଆୟୋଗ
ନିଜ ଅଭିଯୋଗରେ ଶ୍ରୀ ମହାପାତ୍ର ଦର୍ଶାଇଥିଲେ ଯେ ୨୦୧୮ରେ ମିଥ୍ୟା ମାମଲାରେ ତାଙ୍କୁ ସମ୍ବଲପୁର ଟାଉନ୍ ଥାନା ପୁଲିସ୍ ଗିରଫ କରିଥିଲା। ହେଲେ ତାଙ୍କୁ ଥାନାରେ ପ୍ରାୟ ୨୦ ଘଣ୍ଟା ଓ ଜେଲ୍ରେ ପରବର୍ତ୍ତୀ ୧୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇବାକୁ ଦିଆଯାଇ ନଥିଲା। ସେ ଦୁଇ ରାତି ଓ ଗୋଟିଏ ଦିନ ସଂପୂର୍ଣ୍ଣ ଉପବାସ ରହିଥିଲେ। ତତ୍କାଳୀନ ଟାଉନ୍ ଥାନା ଅଧିକାରୀ ଶ୍ରୀ ଦୋରା ଏବଂ ତତ୍କାଳୀନ ଏସ୍ଆଇ ବିବି ଦଳାଇଙ୍କୁ ଏଥି ପାଇଁ ସେ ଦୋଷାରୋପ କରିଛନ୍ତି। ୭ ବର୍ଷରୁ କମ୍ ଦଣ୍ଡଯୁକ୍ତ ମାମଲାରେ ପୁଲିସ୍ ତାଙ୍କୁ ଥାନାରୁ ଜାମିନ ଦେବାର ସାମ୍ବିଧାନିକ ବ୍ୟବସ୍ଥା ଥିଲେ ବି ବ୍ୟକ୍ତିଗତ ଆକ୍ରୋଶ କାରଣରୁ ଶ୍ରୀ ଦୋରା ତାଙ୍କ କ୍ଷେତ୍ରରେ ଏହା କରି ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ବର୍ତ୍ତମାନ ସୋନପୁର ଏସ୍ପିଥିବା ସମ୍ବଲପୁରର ତତ୍କାଳୀନ ଅତିରିକ୍ତ ଏସ୍ପି ଅମରେଶ ପଣ୍ଡା ଓଡ଼ିଶା ହାଇକୋର୍ଟଙ୍କ ନିେର୍ଦ୍ଦଶରେ ଶ୍ରୀ ଦୋରାଙ୍କ ବିରୋଧରେ ଶ୍ରୀ ମହାପାତ୍ର ଆଣିଥିବା ମିଛ ଜାତି ଅଭିଯୋଗର ତଦନ୍ତ କରି ସମ୍ବଲପୁର ଏସ୍ପିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଉକ୍ତ ରିପୋର୍ଟରେ ସେ ଓଲଟି ଅଭିଯୋଗକାରୀ ଶ୍ରୀ ମହାପାତ୍ରଙ୍କ ବିରୋଧରେ ମାନହାନୀସୂଚକ ମନ୍ତବ୍ୟ ଦେଇଥିଲେ। ରିପୋର୍ଟରେ ଶ୍ରୀ ପଣ୍ଡା ତାଙ୍କୁ ଜଣେ ଅସାଧୁ ଓ ବଦନାମ ବ୍ୟକ୍ତି ବୋଲି ଆଖ୍ୟା ଦେଇଥିଲେ। ଏହି ରିପୋର୍ଟ ପାଇବା ପରେ ଶ୍ରୀ ମହାପାତ୍ର ଅତିରିକ୍ତ ଏସ୍ପି ଶ୍ରୀ ପଣ୍ଡାଙ୍କ ବିରୋଧରେ ମଧ୍ୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାର ବିଚାର କରି ଆୟୋଗ ସମ୍ବଲପୁର ଏସ୍ପିଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି।