ନବ ଦାସ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା କୋଇଲା ଲିଙ୍କ୍

ଝାରସୁଗୁଡ଼ା/ ବ୍ରଜରାଜନଗର : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ସଂପର୍କରେ ଯେତିକି ଅଧିକ ଖୋଳତାଡ଼ ହେଉଛି, ସେତିକି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କର କୋଇଲା ବେପାର ଲିଙ୍କ୍ ଆଜି ଧରାପଡ଼ିଯାଇଛି।

ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଗାନ୍ଧୀ ଛକ ଫାଣ୍ଡି ଭିତରେ ଥିବା ଏହି ଭେର୍ନା କାର୍‌ (ଓଆର୍‌ ୧୫ ଏମ୍‌ ୪୨୬୩)କୁ ଜବତ କରିଛନ୍ତି। ଏହି କାର୍‌ ଗୋପାଳ ଦାସ ଚଢ଼ୁଥିଲେ। ଏହା ଭିତରୁ ଡାଏରି ଜବତ ହୋଇଛି, ଯେଉଁଥିରେ ଅନେକ କିଛି ରୋଚକ ତଥ୍ୟ ଥିବା କୁହାଯାଉଛି। ନିଜେ ଗୋପା​ଳ କାର୍‌ ଆଗ ସିଟ୍‌ରୁ କିଛି ଡାଏରି ଓ ପଛରୁ କିଛି କାଗଜପତ୍ର ନିଜେ ବାହାର କରି କ୍ରାଇମ୍‌ ବ୍ରାଞ୍ଚ ଅଫିସରମାନଙ୍କୁ ଦେଇଛନ୍ତି। ଯେଉଁ କଥାଟି ତଦନ୍ତକାରୀ ଅଧିକାରୀମାନଙ୍କୁ ଆଚମ୍ବିତ କରିଛି, ତାହା ହେଲା- ଉକ୍ତ କାର୍‌ଟି ଜଣେ କୋଇଲା କଣ୍ଟ୍ରାକ୍ଟର ବା ଠିକାଦାରଙ୍କର। ଏହି କାର୍‌ରେ ଗୋପାଳ ବିଭିନ୍ନ ସ୍ଥାନକୁ ଯାଆନ୍ତି। ହେଲେ କାହିଁକି ଓ କେଉଁ ସ୍ବାର୍ଥ ସାଧନ ହେଉଥିବା କାରଣରୁ ସଂପୃକ୍ତ କୋଇଲା ଠିକାଦାର ଏହି କାର୍‌କୁ ଗୋପାଳଙ୍କୁ ଦେଇଥିଲେ ଓ ଗୋପାଳଙ୍କ ସହିତ ତାଙ୍କର ସଂପର୍କ କେତେ ନିବିଡ଼, ତାହା ତଦନ୍ତସାପେକ୍ଷ। କେବଳ ସେତିକି ନୁହେଁ, ଏହି ହତ୍ୟାକାଣ୍ଡ ସହିତ ସଂପୃକ୍ତ କୋଇଲା ଠିକାଦାରଙ୍କର କିଛି ସଂପର୍କ ଅଛି କି ନାହିଁ, ତାହା ଉପରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଖୋଳତାଡ଼ ଆରମ୍ଭ କରିଛନ୍ତି। ଏଥିସହିକ ମନ୍ତ୍ରୀଙ୍କ ହତ୍ୟା ପଛରେ କୋଇଲା ମାଫିଆଙ୍କ ହାତ ନାହିଁ
ତ? ଏମିତି ଗୋଟିଏ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହେଲାଣି।

ଗୋପା​ଳଙ୍କ ସହିତ କୋଇଲା ବେପାରୀଙ୍କ ସଂପର୍କ ଥିଲା
କୋଇଲା ଠିକାଦାରଙ୍କ ଗାଡ଼ି ଚଢ଼ୁଥିଲେ ଗୋପାଳ
ଫାଣ୍ଡି ଭିତରେ ଥିବା କାର୍‌ରୁ ଡାଏରି, ଗୁରୁତ୍ବପୂର୍ଣ୍ଣ କାଗଜ ଜବତ
ଅଭିଯୁକ୍ତଙ୍କ କ୍ବାର୍ଟର୍ସ, ଫାଣ୍ଡିରେ ଦିନତମାମ ତନାଘନା

ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମନ୍ତ୍ରୀ ନବ ଦାସ ଗୁଳିକାଣ୍ଡର କାରଣ କଣ, ସେ ଚିତ୍ର ଅସ୍ପଷ୍ଟ ରହିଛି। ହତ୍ୟାକାଣ୍ଡକୁ ଆଜି ୬ ଦିନ ପୂରି ଯାଇଥିବା ବେଳେ ହତ୍ୟାର କାରଣ ଜାଣିବା ପାଇଁ ସଧାରଣରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଗତ ଦୁଇ ଦିନ ଧରି କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ପାଇଖାନା ଟାଙ୍କିରୁ ଗୋପାଳ ଫୋପାଡ଼ି ଥିବା କାଗଜ ଟୁକୁଡ଼ା ଓ ନବଙ୍କ ଦେହରେ ବାଜିଥିବା ଗୁଳି ଖୋଜିବାରେ ଲାଗିଥିଲା। ଗୋପାଳ ସମ୍ଭବତଃ ଆଶଙ୍କା କରୁଥିଲେ ଯେ ହତ୍ୟାକାଣ୍ଡ ପରେ ତାଙ୍କ ପ୍ରାଣ କେହି ନେଇଯାଇପାରନ୍ତି। ଏଣୁ ସେ ହତ୍ୟାର କାରଣ ଲେଖି ରଖିଥିଲେ ବୋଲି କୁହାଯାଉଛି ଏବଂ ପରେ ତାହାକୁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନାରେ ଚିରି ପକାଇ ଦେବା ସହିତ ଫ୍ଲସ୍ ମାରିଦେଇଥିଲେ।

ଶୁକ୍ରବାର କ୍ରାଇମବ୍ରାଞ୍ଚ ଏହି କାଗଜ ଟୁକୁଡ଼ା ପାଖରେ ନ ଅଟକି ଆଗକୁ ବଢ଼ିଛି। ତଦନ୍ତକାରୀ ଅଧିକାରୀମାନେ ଶୁକ୍ରବାର ଗୋପାଳର ବାସଗୃହ ଓ ଫାଣ୍ଡିରେ ଦିନ ତମାମ ଛାନ୍‌ଭିନ୍‌ କରିଛନ୍ତି। ଗୋପାଳ ଫାଣ୍ଡିରେ ରଖିଥିବା ବିଭିନ୍ନ କାଗଜପତ୍ର, ଡାଏରି, ସେ କାମ କରୁଥିବା ଲାପଟପ୍‌, କମ୍ପ୍ୟୁଟର ଗୁଡ଼ିକୁ କ୍ରାଇମ୍‌ ବ୍ରାଞ୍ଚ ଅଫିସର୍‌ମାନେ ପରୀକ୍ଷା ନିରୀକ୍ଷା କରିଛନ୍ତି। ତେବେ ଏଥିରୁ କି ତଥ୍ୟ ମିଳିଲା, ତାହା ଅଦ୍ୟାବଧି ସାର୍ବଜନୀନ ହୋଇନାହିଁ।

ଶୁକ୍ରବାର ପୂର୍ବାହ୍ନ ସାଢେ଼ ୧୧ଟାରେ କ୍ରାଇମ୍‌ ବ୍ରାଞ୍ଚ ଟିମ  ପୁଲିସ ସୁରକ୍ଷା ବଳୟ ଭିତରେ ଅଭିଯୁକ୍ତ ଗୋପାଳଙ୍କ ମୁହଁରେ କପଡ଼ା ଘୋଡ଼ାଇ ଓରିଏଣ୍ଟ ଥାନା ଅଞ୍ଚଳ ବୁଢ଼ୀଜାମ ସ୍ଥିତ କୋଇଲାଖଣିର କ୍ୱାର୍ଟର୍ସ ଯେଉଁଠି ଗୋପାଳ ରହୁଥିଲେ ସେଠାରେ ପହଞ୍ଚି ଥିଲେ। ଗୋପାଳଙ୍କ ଘର ଖୋଲି ତା ଭିତରେ ପ୍ରାୟ ସାଢ଼େ ୪ ଘଣ୍ଟା ଯାଞ୍ଚ କରିଥିଲେ। କ୍ରାଇମ୍‌ ବ୍ରାଞ୍ଚ ଟିମ୍‌  ସମସ୍ତ ଜିନିଷ ତନ୍ନତନ୍ନ କରି ଦେଖିଥିବା ବେଳେ ଘରେ ଥିବା ଔଷଧ ଷ୍ଟ୍ରିପ୍, ବିଭିନ୍ନ କାଗଜପତ୍ର, ଏହି ଘରକୁ ଆଉ କେଉଁମାନେ  ଆସୁଥିଲେ, ଘରେ ଆଉ ସବୁ କଣ କଣ ରହିଛି ତାର ତଥ୍ୟ ନେଇଥିଲେ। ଏଥିରେ ହତ୍ୟାକାଣ୍ଡର କାରଣ  ସମ୍ପର୍କିତ କିଛି ସୁରାକ ଥାଇପାରେ ବୋଲି ଭାବି ପ୍ରତ୍ୟେକ ଜିନିଷ ଖୋଲି ଦେଖିଥିଲେ। ଗୋପାଳ ଅଧିକାଂଶ ସମୟ ଗାନ୍ଧୀଛକ ଫାଣ୍ଡି ଭିତରେ ରହୁଥିଲେ। ବୁଢ଼ିଜାମ କ୍ୱାର୍ଟର୍ସକୁ ସେ ବହୁତ କମ ସମୟ ଯାଉଥିଲେ ବୋଲି କୁହାଯାଉଛି। ବିଶେଷକରି ତାଙ୍କ ପରିବାର ଲୋକ ଆସିଲେ ସେମାନେ ସେଠାରେ ରହୁଥିଲେ। ଘଟଣା ପୂର୍ବ ଦିନ ରାତିରେ ଗୋପାଳ ନାଇଟ ପାଟ୍ରୋଲିଂ ଦାୟିତ୍ବରେ ଥିଲେ। ତେଣୁ ସେଦିନ ସେ ରାତିରେ କ୍ୱାର୍ଟର୍ସକୁ ଯାଇଥିଲେ ନା ନାଇଁ ତାକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର