ଭୁବନେଶ୍ବର : ନବ ଦାସଙ୍କ ହତ୍ୟାକାଣ୍ଡକୁ ୪୦ ଦିନ ବିତିବା ପରେ ବି ହତ୍ୟା ପଛର ଷଡ଼ଯନ୍ତ୍ର ଜଣାପଡ଼ୁ ନାହିଁ। ଏହି ମାମଲାରେ ପୁଲିସ୍ ୧୨୦(ବି) ଦଫା ଲଗାଇ ନାହିଁ। ସେଥିପାଇଁ ଷଡ଼ଯନ୍ତ୍ର ଦିଗ ଉପରେ ତଦନ୍ତ ହେଉନାହିଁ। ପୁଲିସ ସାଧାରଣ ଛୋଟମୋଟ ଘଟଣାରେ ୧୨୦(ବି) ଲଗାଉଥିବା ବେଳେ ଏଥିରେ କାହିଁକି ଲଗାଇନି ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।
ଗଣମାଧ୍ୟମକୁ ଶ୍ରୀ ମହାପାତ୍ର କହିଛନ୍ତି ଯେ ନବ ଦାସ ହତ୍ୟା ଘଟଣାର ତଦନ୍ତ ଗୋପାଳ କେନ୍ଦ୍ରୀକ ହେଉଥିବା ବେଳେ ଅନ୍ୟ ଦିଗକୁ କ୍ରାଇମବ୍ରାଞ୍ଚ ଗୁରୁତ୍ୱ ଦେଉନି। ଗୋପାଳକୁ ପାଗଳ ଆଖ୍ୟା ଦେବାକୁ କ୍ରାଇମବ୍ରାଞ୍ଚ ତଥା ରାଜ୍ୟ ସରକାର ଖୁବ୍ ବ୍ୟଗ୍ର। ମେଡିକାଲ ବୋର୍ଡ ରିପୋର୍ଟରେ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ କୋର୍ଟ ବି ସେଥିରେ ମୋହର ମାରିଛନ୍ତି। ଅପରପକ୍ଷେ ନବ ଦାସ ହତ୍ୟା ଘଟଣାର ଅଧ ଘଣ୍ଟା ଭିତରେ ଗୋପାଳ ଦାସ ପାଗଳ ବୋଲି ପ୍ରଚାର କରାଗଲା। ଗୋପାଳକୁ ସୁରକ୍ଷିତ ରଖିବା ପାଇଁ ଯେଉଁମାନେ କାହାଣୀ ରଚିଛନ୍ତି ସେମାନଙ୍କୁ ତଦନ୍ତ ପରିସରକୁ କାହିଁକି ଅଣାଯାଉନି? ଯେଉଁମାନେ ଏହି ଘଟଣାର ପ୍ଲାନ କରିଥିଲେ, ଦୁଇ ତିନି ଦିନ ପୂର୍ବରୁ ଗୋପାଳ କେଉଁଠି ଚଳପ୍ରଚଳ କରୁଥିଲା, ରାତି କାଟୁଥିଲା ତାହା କାହିଁକି ତଦନ୍ତ କରାଯାଉନି? ସତ ପଦାକୁ ନ ଆସିଲା ଯାଏ ରାଜ୍ୟ ସରକାର, ପୁଲିସ, କ୍ରାଇମବ୍ରାଞ୍ଚ ସମସ୍ତେ ସନ୍ଦେହ ଘେରରେ ରହିବେ।
ଅପରପକ୍ଷେ ନବଙ୍କ ଝିଅ ଦୀପାଳି ଦାସ ତଦନ୍ତରେ ସନ୍ତୁଷ୍ଟ ଥିବା କହୁଛନ୍ତି, ହେଲେ ଏହା କେବଳ ଦୀପାଳିଙ୍କ କେସ୍ ନୁହେଁ। ଏହା ସମ୍ପୂର୍ଣ୍ଣ ଓଡ଼ିଶାବାସୀଙ୍କ କେସ୍। ସତ ପଦାକୁ ଆସୁ ବୋଲି ଦୀପାଳି ବି ଚାହୁଁଥିବେ।
ଦୁଇ ଜଣ ଅଣଓଡ଼ିଆ ଅଫିସର୍ ଏହି ହତ୍ୟାକାଣ୍ଡର ପ୍ରକୃତ ତଦନ୍ତ ଚାହୁନାହାନ୍ତି। ସେମାନେ ହିଁ ପରଦା ପଛର ମୁଖ୍ୟ ନାୟକ। ସେଥିପାଇଁ ପୁଲିସ ଷଡ଼ଯନ୍ତ୍ର ଦିଗ ଉପରେ ତଦନ୍ତ କରୁନି ବୋଲି ଶ୍ରୀ ମହାପାତ୍ର ଆରୋପ ଲଗାଇଛନ୍ତି।