ନବ ଦାସ ହତ୍ୟାକାଣ୍ଡକୁ ୩ ମାସ ପୂରିଲା, ଏଯାଏ କାରଣ କହିଲାନି କ୍ରାଇମ୍‌ବ୍ରାଞ୍ଚ

ଝାରସୁଗୁଡ଼ା : ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଗୁଳିକରି ହତ୍ୟା କରାଯିବା ଘଟଣାକୁ ଇତି ମଧ୍ୟରେ ୩ ମାସ ପୂରିଲାଣି। ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ହେଲେ ଗୋପାଳ କାହିଁକି ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ହତ୍ୟା କଲା, ଏହା ପଛରେ କଣ ଷଡ୍‌ଯନ୍ତ୍ର ରହିଥିଲା, ହତ୍ୟା ରାଜନୈତିକ ନା ବ୍ୟବସାୟିକ ଭଳି ତମାମ୍‌ ପ୍ରଶ୍ନ ଆଜିବି ଅସମାହିତ ହୋଇ ରହିଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ବ ହାତକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି। କିନ୍ତୁ ଅଦ୍ୟାବଧି କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ଖୋଜି ନପାଇବା ପୁଲିସ ବ୍ୟବସ୍ଥା ପ୍ରତି ବି ପ୍ରଶ୍ନବାଚୀ ଛିଡ଼ାକରିଛି।

ନବଙ୍କ ବିୟୋଗ ପରେ ଝାରସୁଗୁଡ଼ା ଆଉ ଦିନ କେଇଟାରେ ଉପନିର୍ବାଚନ ଦେଖିବାକୁ ଯାଉଛି। ବିଜେଡି ପକ୍ଷରୁ ନବଙ୍କ ଝିଅ ଦୀପାଳି ପ୍ରାର୍ଥୀ ହୋଇଛନ୍ତି। ତେବେ, ଦୀପାଳି ତାଙ୍କ ବାପା ନବ ଦାସଙ୍କୁ ହତ୍ୟା କରାଯିବା ଘଟଣାର ତଦନ୍ତ ଉପରେ ମୁହଁ ଖୋଲୁନଥିବା ଦର୍ଶାଇ ବିରୋଧୀ ସମାଲୋଚନା କରୁଛନ୍ତି। ନିର୍ବାଚନ ପ୍ରଚାର ସମୟରେ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଶାସକ ଦଳ ବିଜେଡିକୁ ଟାର୍ଗେଟ୍‌ କରୁଛନ୍ତି। ଏହି ପ୍ରସଙ୍ଗରେ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ବିବୃତି ଦେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଛି। ଅଥଚ ତାଙ୍କରି କ୍ୟାବିନେଟ୍‌ର ଜଣେ ମନ୍ତ୍ରୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ ହୋଇନପାରିବା ଦୁଃଖର ବିଷୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେପଟେ, ରାଜ୍ୟ ସରକ‌ାର ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ ଏଫ୍‌ବିଆଇର ସହାୟତା ନିଆଯାଇଥିବା ନେଇ ବିଧାନସଭାରେ ଉତ୍ତର ରଖିଥିଲେ।

ମାତ୍ର ଏଫ୍‌ବିଆଇକୁ ଯୋଗାଯୋଗ ହେଲା ନା ନାହିଁ, ଏଫ୍‌ବିଆଇ ତଦନ୍ତ କରିବାକୁ ରାଜି ହେଲା ନା ନାହିଁ ସେଦିଗରେ ବି ସରକାର ନିରବ ରହିଛନ୍ତି। କ୍ରାଇମବ୍ରାଞ୍ଚ ମଧ୍ୟ ବେଙ୍ଗାଲୁରୁସ୍ଥିତ ନିମ୍‌ହାନ୍ସକୁ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଆବେଦନ କରିଥିଲା। ମାତ୍ର ନିମହାନ୍ସ ଟିମ୍‌ କଟକ ଚୌଦ୍ବାର ଆସି ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିପାରିବନି ବୋଲି ୨ ଦିନ ତଳେ ସ୍ପଷ୍ଟ ଭାବେ ଜଣାଇଦେଇଛି। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ସମୟରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବାଠାରୁ ନେଇ ପାଇଖାନା ଟାଙ୍କି ଭାଙ୍ଗି ଭିତରୁ ଗୋପାଳର ହାତଲେଖା ଚିଠି ଜବତ କରିଛି। ତଥାପି ମଧ୍ୟ ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲା ଏହି ପ୍ରସଙ୍ଗ ନେଇ କ୍ରାଇମବ୍ରାଞ୍ଚ କୌଣସି ସ୍ପଷ୍ଟ ସୂଚନା ଦେଇପାରିନି ବୋଲି ଆଲୋଚନା ହେଉଛି।

କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଏପରିକି ଚଳିତ ଉପନିର୍ବାଚନରେ ବି ଝାରସୁଗୁଡ଼ା ଗସ୍ତରେ ଆସୁଥିବା ଏହି ୨ ଦଳର ନେତା ନବ ଦାସ ହତ୍ୟାକାଣ୍ଡରୁ ହିଁ ନିର୍ବାଚନୀ ପ୍ରସଙ୍ଗ ଆରମ୍ଭ କରୁଛନ୍ତି। ଯାହାକୁ  ନେଇ ଝାରସୁଗୁଡ଼ା ରାଜନୀତି ଅଧିକ ସରଗରମ ହେବାରେ ଲାଗିଛି। ଅପରପକ୍ଷେ, ନବ ଦାସଙ୍କ ବିୟୋଗ ପରେ ଝାରସୁଗୁଡ଼ା ରାଜନୀତିରେ ଅନେକ କିଛି ପରିବର୍ତ୍ତନ ବି ଦେଖାଦେଲାଣି। ଦଳ ଡିଆଁରୁ ନେଇ ଦଳ ଭିତରେ ଅସନ୍ତୋଷର ଗୁଞ୍ଜରଣ, ବ୍ୟବସାୟ କ୍ଷେତ୍ରରେ ନବଙ୍କ ପରି ପତିଆରା ବୃଦ୍ଧିର ପ୍ରତିଯୋଗିତା ଏବେ ଚର୍ଚ୍ଚାର ବିଷୟ ପାଲଟିଲାଣି।

ସମ୍ବନ୍ଧିତ ଖବର