ନବଙ୍କୁ ହତ୍ୟା ପଛରେ ବ୍ୟକ୍ତିଗତ ଆକ୍ରୋଶ, ୧୧୮ ଦିନ ପରେ ଚାର୍ଜସିଟ୍ ଦାଖଲ

ଝାରସୁଗୁଡ଼ା/କଟକ : କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳିକରି ହତ୍ୟା କରିବା ପଛରେ ବ୍ୟକ୍ତିଗତ ଆକ୍ରୋଶ ହେଉଛି ଏକମାତ୍ର କାରଣ। ମନ୍ତ୍ରୀଙ୍କୁ ଗୋପାଳ ୪ଟି ଘଟଣାରେ ବିରୋଧ କରିଥିଲା। ମନ୍ତ୍ରୀଙ୍କ ସମର୍ଥକଙ୍କ ବିରୋଧରେ ବି ସେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ପରେ ନବ ଦାସ ଓ ତାଙ୍କ ସମର୍ଥକଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ଅନୁଭବ କରିବାକୁ ଗୋପାଳ ମନ୍ତ୍ରୀଙ୍କୁ ଗୁଳିମାରି ହତ୍ୟା କଲା।

୫୪୪ ପୃଷ୍ଠା ଦୀର୍ଘ ଚାର୍ଜସିଟ୍‌ରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ କରିବାକୁ ଯାଇ ଏମିତି ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ। ତେବେ ଗୋପାଳ ମାନସିକ ଅସୁସ୍ଥ ଥିବା ନେଇ ଯାହା ଚର୍ଚ୍ଚା ଚାଲିଥିଲା, ତାହା ଠିକ୍ ନୁହେଁ। ବରଂ ସେ ସୁସ୍ଥ ମସ୍ତିଷ୍କରେ ରହି ମନ୍ତ୍ରୀଙ୍କୁ ହତ୍ୟା ନିଷ୍ପତ୍ତି ନେଇଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ଶୁକ୍ରବାର ଦିନ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ରମେଶ ଦୋରାଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ଝାରସୁଗୁଡ଼ାରେ ପହଞ୍ଚି ପ୍ରଥମେ ଜେଏମ୍‌ଏଫ୍‌ସିଙ୍କ ଅଦାଲତକୁ ଯାଇଥିଲେ। ମାତ୍ର ଜେଏମ୍‌ଏଫ୍‌ସିଙ୍କ ଅନୁପସ୍ଥିତି କାରଣରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବନ୍ଦ ଲଫାପାରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

ଆକ୍ରୋଶର ଠୋସ୍ କାରଣ ସଂପର୍କରେ କ୍ରାଇମବ୍ରାଞ୍ଚ ନିରବ
ନବଙ୍କ ସହିତ ଚାରି ଘଟଣାରେ ମୁହାଁମୁହିଁ ହୋଇଥିଲା ଗୋପାଳ
ମନ୍ତ୍ରୀ ଓ ସମର୍ଥକଙ୍କ ଆଡ଼ୁ ବିପଦ ଥିବା ଜାଣି ହତ୍ୟାକଲା
ଗୋପାଳ ମାନସିକ ରୋଗୀ ନଥିଲା, ଯୋଜନାବଦ୍ଧ ଭାବେ ମାରିଛି
ଆଇଆଇସିଙ୍କ ସମେତ ୨ ପୁଲିସକୁ ହତ୍ୟା ଉଦ୍ୟମ କରିଥିଲା ଗୋପା​ଳ

ହେଲେ, ଗୋପାଳ ମନରେ ଆକ୍ରୋଶ ସୃଷ୍ଟି ହେବାର ଠୋସ୍ କାରଣ(ଚାରିଟି ଯାକ ଘଟଣାର ପୂର୍ଣ୍ଣ ବିବରଣୀ ନାହିଁ)ଟି କ’ଣ? ଏମିତି କଣ ଘଟିଲା ଯେ ଗୋପାଳ ମନ୍ତ୍ରୀଙ୍କ ଆଡ଼ୁ ଜୀବନ ପ୍ରତି ବିପଦ ଆଶଙ୍କା କରୁଥିଲା? ସର୍ବୋପରି ନବଙ୍କ ଏହି ସମର୍ଥକ ବା ସହଯୋଗୀମାନେ କିଏ? ଗୋପାଳଙ୍କ ବୟାନ ଆଧାରରେ କ୍ରାଇମବ୍ରାଞ୍ଚ ଏମାନଙ୍କୁ ଚିହ୍ନଟ କରିଥିବା କହିଛି। ଅଥଚ ସେମାନଙ୍କ ନାମ କାହିଁକି ନେଇନାହିଁ?

ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ କ୍ରାଇମବ୍ରାଞ୍ଚ ପାଖରେ ବାଧା କେଉଁଠି? ସର୍ବୋପରି ଏମାନେ ଏଭଳି କେଉଁ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିଲେ ଯେ ଯାହାକୁ ଗୋପାଳ ଧରିଥିଲେ? ଏସବୁ ସଂପର୍କରେ କ୍ରାଇମବ୍ରାଞ୍ଚ ତାଙ୍କ ଚାର୍ଜସିଟ୍‌ରେ କୌଣସି ତଥ୍ୟ ଉଲ୍ଲେଖ କରିନାହାନ୍ତି। ଅନ୍ୟପକ୍ଷରେ ଦୀର୍ଘ ୧୧୮ ଦିନ ତଦନ୍ତ କରିବା ପରେ ବି କ୍ରାଇମବ୍ରାଞ୍ଚ ଜଣାଇଛି ଯେ ଏହି ଚାର୍ଜସିଟ୍ ଚୂଡ଼ାନ୍ତ ନୁହେଁ। ଏବେ ବି କିଛି ରିପୋର୍ଟ ଓ ସ୍ପଷ୍ଟୀକରଣ ଆସିବା ବାକି ରହିଥିବାରୁ ମାମଲାର ତଦନ୍ତ ଜାରି ରହିଛି। ଅର୍ଥାତ୍ ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଉପରୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପୂରା ପରଦା ହଟାଇ ପାରିନାହାନ୍ତି।

ତେବେ ଆହୁରି ଏକ ଚାଞ୍ଚଲ୍ୟକର ଘଟଣା ଚାର୍ଜସିଟ୍‌ରେ ସାମ୍ନାକୁ ଆସିଛି। ତାହା ହେଲା, ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିବା ସମୟରେ ଗୋପାଳ ବ୍ରଜରାଜନଗର ଥାନା ଆଇଆଇସି ପି.କେ. ସ୍ୱାଇଁ ଓ ଜୀବନ କୁମାର ନାୟକଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରିଥିଲା। ଏଥିସହିତ ଗୋପାଳ ବିରୋଧରେ ଭାରତର ପିଙ୍ଗଳ କୋଡ୍‌ର ଦଫା ୩୦୭, ୩୦୨ ଏବଂ ୨୭(୧) ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ବଳରେ ମାମଲା ରୁଜୁ କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଆସନ୍ତା ରବିବାର ୧୨୦ ଦିନ ପୂରୁଛି। ଏହାପୂର୍ବରୁ ଶୁକ୍ରବାର କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌ରେ ତଦନ୍ତକାରୀ ଅଧିକାରୀଙ୍କ ସମେତ ମୋଟ ୮୯ ଜଣ ସାକ୍ଷୀଙ୍କ ବୟାନ, ୩-ଡି ଫ‌ାରୋ କ୍ୟାମେରା ଦ୍ବାରା ହୋଇଥିବା ସ୍ପଟ୍‌ ରେକର୍ଡିଂ, ଏଲ୍‌ଭିଏ ପରୀକ୍ଷା ରିପୋର୍ଟ, ଅଭିଯୁକ୍ତ ଗୋପାଳର ପଲିଗ୍ରାଫ, ନାର୍କୋ ଟେ‌ଷ୍ଟ ରିପୋର୍ଟ ଓ ଡିଏମ୍‌ଇଟିଙ୍କ ପକ୍ଷରୁ ଗଠିତ ଟିମ୍‌ ଦ୍ବାରା ହୋଇଥିବା ଗୋପାଳର ମାନସିକ ସ୍ଥିତି ଯାଞ୍ଚ ରିପୋର୍ଟ ରହିଛି। ବୈଜ୍ଞାନିକ ଉପାୟରେ ଏହି ଅପରାଧକୁ ପ୍ରମାଣ କରିବାକୁ ଯାଇ କ୍ରାଇମ୍‌ବ୍ରାଞ୍ଚ କିଭଳି ରାଜ୍ୟ ବାହାରର ଏକାଧିକ ବିଶେଷଜ୍ଞଙ୍କର ସହାୟତା ନେଇଥିଲା, ସେ ସଂପର୍କରେ ତଦନ୍ତକାରୀ ଅଧିକାରୀ ବିଶଦ ତଥ୍ୟ ଅବତାରଣା କରିଛନ୍ତି। ଏହାବାଦ୍‌ ଅଭିଯୁକ୍ତର ଅପରାଧ ସିଦ୍ଧ କରିବା ପାଇଁ ତଦନ୍ତକାରୀ ଅଧିକାରୀ ଉନ୍ନତ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି, ଏହି ମାମଲାରେ ରହିଥିବା ବିଭିନ୍ନ ଦିଗ ଉପରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ୧୦ଟି ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ଝାରସୁଗୁଡ଼ା, ଭୁବନେଶ୍ବର, ବ୍ରହ୍ମପୁର ଓ ରାଜ୍ୟ ବାହାରେ ତଦନ୍ତ କରିଛନ୍ତି। ଅଭିଯୁକ୍ତ ଗୋପାଳ ଦାସର ବ୍ୟକ୍ତିଗତ ଆକ୍ରୋଶକୁ ବାଦ୍‌ଦେଇ ହତ୍ୟାର ଅନ୍ୟ କୌଣସି କାରଣ ସଂପର୍କରେ ତଥ୍ୟ ଓ ପ୍ରମାଣ ମିଳି ପାରିନାହିଁ।

NDTV

ଆହୁରି ସ୍ପଷ୍ଟ ଭାବେ କହିଲ, ମିଳିଥିବା ପ୍ରମାଣ (ମୌଖିକ, ତଥ୍ୟ ଭିତ୍ତିକ, ସାଇବର ଫରେନ୍‌ସିକ ଓ ବାଲାଷ୍ଟିକ୍‌ ରିପୋର୍ଟ) ଆଧାରରେ ଦିବଂଗତ ନବ ଦାସଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ ଦାସ ହତ୍ୟା କରିଥିବା ପୂରା ସ୍ପଷ୍ଟ। ସ୍ବର୍ଗତ ଦାସ ଓ ତାଙ୍କ ସମର୍ଥକଙ୍କ ଦ୍ବାରା ଗୋପାଳ ଧମକଚମକର ଶିକାର ହୋଇଥିଲା ଓ ତାଙ୍କ ଜୀବନ ପ୍ରତି ଭୟ ସୃଷ୍ଟି ହୋଇଥିଲା। ଏହାପରେ ହତ୍ୟା କରିବାକୁ ଗୋପାଳ ମାନସିକସ୍ତରରେ ଚିନ୍ତା କରିଥିଲା। ଏଥିପାଇଁ ସେ ଯୋଜନା କରିଥିଲା ଓ ନିଜେ ମନ୍ତ୍ରୀଙ୍କ ସାମ୍ନାକୁ ଆସି ହତ୍ୟା କରିଥିଲା।

ଅନ୍ୟପକ୍ଷରେ ରିପୋର୍ଟରେ କୁହାଯାଇଛି ଯେ ତଦନ୍ତ ଆରମ୍ଭରୁ ଗୋପାଳ ମାନସିକ ରୋଗୀ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ। କଟକ ବଡ଼ ଡାକ୍ତରଖାନା ମାନସିକ ରୋଗ ପ୍ରତିଷ୍ଠାନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଝାରସୁଗୁଡ଼ା ଆସି ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଥିଲେ। ଗୋପାଳର ସେଭଳି ମାନସିକ ଅସ୍ଥିରତା ନ ଥିବା ଏହି ଟିମ୍‌ ମତ ରଖିଥିଲେ। ଗୋପାଳର ସହକର୍ମୀ ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗୋପାଳ ସମ୍ପର୍କରେ ପଚରାଉଚରା କରିଥିଲା। ଗୋପାଳର ସେଭଳି ମାନସିକ ବିକୃତି ନ ଥିବା କ୍ରାଇମବ୍ରାଞ୍ଚ ଟିମ୍ ଜାଣିପାରିଥିଲା। ଅର୍ଥାତ୍ ସେ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସେଭଳି କୌଣସି ବିକୃତି ନ ଥିବା ସ୍ପଷ୍ଟ। ଏଣୁ ଗୋପାଳ ସୁସ୍ଥ ମସ୍ତିସ୍କରେ ଓ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ନବ ଦାସଙ୍କୁ ହତ୍ୟା କରିଥିଲା।ହେଲେ ‌ଗୋପାଳର ମାନସିକ ସ୍ଥିତି ଯାଞ୍ଚ ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ନିମ୍‌ହାନ୍ସ ଓ ଏଫ୍‌ବିଆଇରେ ଆବେଦନ ସମ୍ପର୍କରେ ଜାରି କରାଯାଇଥିବା ବିବୃତି ସଂପର୍କରେ ରିପୋର୍ଟରେ କୌଣସି ତଥ୍ୟ ଉପସ୍ଥାପନ କରାଯାଇ ନାହିଁ।

ସ୍ମରଣଯୋଗ୍ୟ, ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସଙ୍କୁ ଜାନୁଆରି ୨୯ ତାରିଖ ପୁଲିସ ଏଏସ୍‌ଆଇ ଗୋପାଳ ହତ୍ୟା କରିବା ପରେ ସେହିଦିନ ହିଁ କ୍ରାଇମବ୍ରାଞ୍ଚ ତଦନ୍ତଭାର ଗ୍ରହଣ କରିଥିଲା। ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ମୋଟ ୮୯ଜଣଙ୍କୁ ପଚରାଉଚରା କରିଥିଲା। ଏଥିରେ ଝାରସୁଗୁଡ଼ା ପୁଲିସ ଓ ବ୍ରଜରାଜନଗର ଅଞ୍ଚଳ ବାସିନ୍ଦା ବି ଅଛନ୍ତି। ସେମାନଙ୍କୁ ଘଟଣାର ସାକ୍ଷୀ ଭାବେ ନିଆଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା ବନ୍ଧୁକ ସମେତ ଜୀବନ୍ତ କାଟ୍ରିଜ, ଖାଲି କାଟ୍ରିଜ୍ କ୍ୟାସ୍ ଆଦି ଜବତ କରିଛି। ହତ୍ୟାକାଣ୍ଡକୁ ନେଇ ଗୋପାଳର ବୟାନର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଗୋପାଳର ଏଲ୍‌ଭିଏ(ଲେୟାର୍‌ଡ୍‌ ଭଏସ୍ ଆନାଲିସିସ୍) ପରୀକ୍ଷା, ପଲିଗ୍ରାଫ୍ ପରୀକ୍ଷା, ନାର୍କୋ ପରୀକ୍ଷା କରିଥିଲା। ନିର୍ଦ୍ଦିଷ୍ଟ ଭାବେ ଯେଉଁ ଚାରିଟି କାରଣ ପାଇଁ ନବ ଦାସଙ୍କ ସହ ଶତ୍ରୁତା ଥିବାରୁ ତାଙ୍କୁ ସେ ହତ୍ୟା କରିଥିବା ବୟାନ ଦେଇଥିଲା, ଏହାର ସତ୍ୟାସତ୍ୟ ଉପରୋକ୍ତ ପରୀକ୍ଷା ମାଧ୍ୟମରେ ସ୍ପଷ୍ଟ ହୋଇଥିଲା। ଏସବୁ ସଂପର୍କରେ କୋର୍ଟରେ ଅତରିକ୍ତ ଚାର୍ଜସିଟ୍ ଦାଖଲ ସମୟରେ ତଥ୍ୟ ସଂଲଗ୍ନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର