ନବ ଦାସ ହତ୍ୟା ମାମଲା: ଅଡ଼ୁଆ ବଢ଼ାଇଲା କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌

ତଥ୍ୟରେ ଗୋଳମାଳ

ଝାରସୁଗୁଡ଼ା : ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ କ୍ରାଇମ୍‌ବ୍ରାଞ୍ଚ ଗୁରୁବାର ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା। ଅନ୍ୟ ପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ଗତ ମେ’ ୨୬ ତାରିଖ କୋର୍ଟରେ ଦାଖଲ ହୋଇଥିବା ୫୪୪ ପୃଷ୍ଠାର ଚାର୍ଜସିଟ୍‌ ସାମ୍ନାକୁ ଆସିଛି। ଚାର୍ଜସିଟ୍‌ରେ କ୍ରାଇମ୍‌ବ୍ରାଞ୍ଚର ଏକାଧିକ ପ୍ରସଙ୍ଗରେ ଗୋଳମାଳିଆ ତଥ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏପରିକି ଗୋଟିଏ ପୃଷ୍ଠାରେ କ୍ରାଇମ୍‌ବ୍ରାଞ୍ଚ ଦେଇଥିବା ତଥ୍ୟକୁ ଅନ୍ୟ ପୃଷ୍ଠାରେ ଭୁଲ୍‌ ବୋଲି କହିଛି। ମୋଟାମୋଟି କହିବାକୁ ଗଲେ ଚାର୍ଜସିଟ୍‌ରେ କ୍ରାଇମ୍‌ବ୍ରାଞ୍ଚ ଉଲ୍ଲେଖ କରିଥିବା ତଥ୍ୟରେ ମେଳ ଖାଉନାହିଁ। ଏହା ସହ ଝାରସୁଗୁଡ଼ା ପୁଲିସ୍‌ ଆର୍‌ଟିଆଇରେ ଦେଇଥିବା ତଥ୍ୟ ଓ ଚାର୍ଜସିଟ୍‌ରେ ଥିବା ତଥ୍ୟ ମଧ୍ୟ ଖାପଖାଉନି।

ଚାର୍ଜସିଟ୍‌ର ୩୯ ନମ୍ବର ପୃଷ୍ଠାର ପଞ୍ଚମ ପାରାରେ ନବ ଦାସଙ୍କୁ ଗୋପାଳ ହତ୍ୟା କରିବାକୁ କିଭଳି ଯୋଜନା କରିଥିଲା ତାହା କ୍ରାଇମ୍‌ବ୍ରାଞ୍ଚ ଦର୍ଶାଇଛି। ବ୍ରଜରାଜନଗର ଅଞ୍ଚଳରେ ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ନବ ଦାସଙ୍କୁ ଗୋପାଳ ଗୁଳି କରି ହତ୍ୟା କରିବାକୁ ଯୋଜନା କରିଥିଲେ ହେଁ ସୁଯୋଗ ପାଇନଥିଲା। ତେବେ ସେହି ଦିନଠାରୁ ଗୋପାଳ ସବୁବେଳେ ନିଜ ସର୍ଭିସ୍‌ ପିସ୍ତଲରେ ଗୁଳି ଭର୍ତ୍ତି କରି ରଖୁଥିଲା ବୋଲି କ୍ରାଇମ୍‌ବ୍ରାଞ୍ଚ ଦର୍ଶାଇଛି। କ୍ରାଇମ୍‌ବ୍ରାଞ୍ଚର ତଥ୍ୟ ଅନୁସାରେ, ସେଦିନ ଥିଲା ୨୦୨୨ ମସିହା ଡିସେମ୍ବର ୩୦ ତାରିଖ। ଯେଉଁ ଦିନ କି ବ୍ରଜରାଜନଗରର ଖଲିଆକାନିରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେପଟେ, କ୍ରାଇମ୍‌ବ୍ରାଞ୍ଚ ପୃଷ୍ଠା ସଂଖ୍ୟା ୪୨ର ପଞ୍ଚମ ପାରାରେ ଗୋପାଳକୁ କେବେ ବନ୍ଧୁକ ଓ ଗୁଳି ପ୍ରଦାନ କରାଯାଇଥିଲା ସେ ସମ୍ପର୍କରେ ଉଲ୍ଲେଖ କରିଛି। ୨୦୨୩ ମସିହା ଜାନୁଆରି ୯ ତାରିଖରେ ଝାରସୁଗୁଡ଼ା ରିଜର୍ଭ ଅଫିସ୍‌ରୁ ବୁଟ୍‌ ନମ୍ବର ଜେଡି-୪୨, ପଞ୍ଜୀକରଣ ସଂଖ୍ୟା ୧୬୩୩-୦୭୪୩ ଉଲ୍ଲେଖ ରହିଥିବା ୯ ଏମ୍‌ଏମ୍‌ର ସର୍ଭିସ୍‌ ପିସ୍ତଲ ଓ ୨୪ ରାଉଣ୍ଡ ଗୁଳି ପ୍ରଦାନ କରାଯାଇଥିଲା। ଯାହାକି ହତ୍ୟା ଘଟଣା ଅର୍ଥାତ୍‌ ଜାନୁଆରି ୨୯ ତାରିଖ ଯାଏ ଗୋପାଳ ନିକଟରେ ରହିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। ୩୯ ନମ୍ବର ପୃଷ୍ଠା ଅନୁସାରେ, ଗୋପାଳ ପାଖରେ ୩୦ ଡିସେମ୍ବରରୁ ବନ୍ଧୁକ ଓ ଗୁଳି ରହିଥିବା ବେଳେ ୪୨ ନମ୍ବର ପୃଷ୍ଠା ଅନୁସାରେ ଜାନୁଆରି ୯ ତାରିଖରୁ ଗୋପାଳ ପାଖରେ ବନ୍ଧୁକ ଓ ଗୁଳି ରହିଥିଲା। ଅର୍ଥାତ୍‌ ଗୋପାଳ ନିକଟରେ ବନ୍ଧୁକ ଓ ଗୁଳି କେବେଠାରୁ ରହିଥିଲା ସେନେଇ ଖୋଦ୍‌ କ୍ରାଇମ୍‌ବ୍ରାଞ୍ଚ ତଥ୍ୟ ହିଁ ବଡ଼ ବିଭ୍ରାନ୍ତି କଲାଣି।

ନବ ଦାସ ହତ୍ୟା ଘଟଣା ପରେ ସୂଚନା ଅଧିକାର କର୍ମୀମାନେ ଅଭିଯୁକ୍ତ ଗୋପାଳ ଦାସ ବିଷୟରେ ଜାଣିବାକୁ ରାଜ୍ୟ ସରକାର ଓ ଝାରସୁଗୁଡ଼ା ପୁଲିସ ନିକଟରେ ଆର୍‌ଟିଆଇ ଯୋଗେ ତଥ୍ୟ ମାଗିଥିଲେ। ଏହା ମଧ୍ୟରୁ ଗୋଟିଏ ରହିଥିଲା ଗୋପାଳ କେବେ କେଉଁ ଜିଲ୍ଲାରେ ଓ କେଉଁ କେଉଁ ସ୍ଥାନରେ ଚାକିରି କରିଥିଲା। ଯେଉଁଥିରେ ଗୋପାଳ ଦାସ ୨୦୦୯ ନଭେମ୍ବର ୧୪ରୁ ନେଇ ୨୦୧୩ ଜୁନ୍‌ ୧୯ ତାରିଖ ଯାଏ ବଡ଼ମାଳ ଥାନାରେ ଚାକିରି କରୁଥିଲା ବୋଲି ଝାରସୁଗୁଡ଼ା ଆଇୟୁସିଏଡବ୍ଲୁ ଡିଏସ୍‌ପି ତଥା ନୋଡାଲ୍‌ ଅଫିସର ଉତ୍ତର ରଖିଥିଲେ। କ୍ରାଇମ୍‌ବ୍ରାଞ୍ଚ ନିଜ ତଥ୍ୟରେ ଗୋପାଳ ଦାସ ନିର୍ବାଚନ ପୂର୍ବରୁ ବଡ଼ମାଳ ଥାନାଞ୍ଚଳରେ ହେଉଥିବା ପୁଲିସ ଗାଡ଼ି ଯାଞ୍ଚ ସମୟରେ କିଭଳି ନବ ଦାସଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା ଓ ଏହି ଘଟଣାକୁ ନେଇ ନବ ଦାସ କିଭଳି ରାଗିଯାଇଥିଲେ ଓ ତାଙ୍କ ସମର୍ଥକମାନେ ଗୋପାଳକୁ ଧମକ ଦେଇଥିଲେ ସେନେଇ କ୍ରାଇମ୍‌ବ୍ରାଞ୍ଚ ଉଲ୍ଲେଖ କରିଛି। ଏହି ଘଟଣା ପରେ ସେ ଭୟଭୀତ ହୋଇ ଗାଡ଼ି ଯାଞ୍ଚ ନକରି ଛାଡ଼ି ଦେଇଥିଲା। ତେବେ ୨୦୧୩ ମସିହାରେ ଝାରସୁଗୁଡ଼ାରେ କୌଣସି ନିର୍ବାଚନ ନଥିବା ବେଳେ ୨୦୧୪ ସାଧାରଣ ନିର୍ବାଚନ ପାଇଁ ସେ ସମୟରୁ କୌଣସି ଯାଞ୍ଚ ହେଉନଥିଲା। ଯଦି ଏହି ଘଟଣା ୨୦୧୨ ମସିହା ପଞ୍ଚାୟତ ନିର୍ବାଚନ ସମୟର ବୋଲି ଧରି ନିଆଯିବ, ତେବେ ଭୟଭୀତ ହୋଇ ରହିଥିବା ଗୋପାଳ  କିଭଳି ଆଉ ଗୋଟିଏ ବର୍ଷ ଉକ୍ତ ଥାନାଞ୍ଚଳରେ କାଟିଥିଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର