ନବ ଦାସଙ୍କ ହତ୍ୟା, ଜାଲ୍‌ ସାର୍ଟିଫିକେଟକୁ ନେଇ ତମ୍ବିତୋଫାନ: ବିରୋଧୀ ଘେରିଲେ, ଚାଲିପାରିଲାନି ବିଧାନସଭା

ଭୁବନେଶ୍ବର : ବୁଧବାର ଦିନ ବିଧାନସଭାରେ ଆରମ୍ଭରୁ ପ୍ରଶ୍ନକାଳ ଠିକ୍‌ଠାକ୍ ଚାଲିଲା। ଶୂନ୍ୟକାଳରେ ସ୍ଥିତି ବଦଳିଗଲା। ବିରୋଧୀ ଦଳ ନେତା ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଲା ପରେ ଗୃହର ବାତାବରଣ ଅସ୍ବାଭାବିକ ହୋଇଗଲା। ତାହା ପରେ କଂଗ୍ରେସ ବିଧାୟକ ଦଳ ନେତା ନବ ଦାସଙ୍କ ପ୍ରସଙ୍ଗ ସହ ନକଲି ସାର୍ଟିଫିକେଟ୍‌ ରାକେଟ୍‌ର ଅଭିଯୁକ୍ତର ବିଜେଡି ଲିଙ୍କ୍‌ କଥା ଉଠାଇ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ଫଳରେ ଦିନତମାମ ଗୃହ ଅଶାନ୍ତ ହୋଇ ରହିଲା। ବାଚସ୍ପତି ଦୁଇ ଥର ସର୍ବଦଳୀୟ ବୈଠକ ଡାକିଥିଲେ ବି ତାହା ବିଫଳ ହୋଇଥିଲା।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା କରାଯିବାର ୬୦ ଦିନ ବିତିଗଲା। କିନ୍ତୁ, ହତ୍ୟାର ଉଦ୍ଦେଶ୍ୟ ଓ ହତ୍ୟା ପଛରେ କିଏ ଅଛି ତାହା ଜଣାପଡ଼ିଲାନି। ଏଥିରୁ ଓଡ଼ିଶା ପୁଲିସର ପାରିବାପଣିଆ ଜଣାପଡ଼ୁଛି। ଏହି ହତ୍ୟାକାଣ୍ଡ ପାଇଁ ଯେଉଁମାନେ ଷଡ଼୍‌ଯନ୍ତ୍ର କରିଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାପାଇଁ ପୁଲିସ ଘଟଣାଟିକୁ ଚପାଇବାକୁ ଉଦ୍ୟମ କରୁଛି। ପ୍ରତ୍ୟେକ ହତ୍ୟାର ଏକ ଉଦ୍ଦେଶ୍ୟ ଥାଏ। ଓଡ଼ିଶା ପୁଲିସ୍ ୬୦ ଦିନ ହେଲା ତଦନ୍ତ କରି ଏହି ଉଦ୍ଦେଶ୍ୟ ଜାଣିପାରୁନି? ଏହି ଘଟଣା ପଛରେ ଥିବା ଅପରାଧିକ ଷଡ଼୍‌ଯନ୍ତ୍ରର ତଦନ୍ତ ହେଉଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ଏହା ଉଲ୍ଲେଖ କରି ନଥିଲେ। ଦେଶରେ କୌଣସି ଘଟଣାର ଏଫ୍‌ବିଆଇ ତଦନ୍ତ କରିଥିବାର ନଜିର ନାହିଁ ବୋଲି ନିଜେ ସରକାର ସ୍ବୀକାର କରିଛନ୍ତି। ଏହା ଏକ ବିଶ୍ବସ୍ତରୀୟ ହତ୍ୟାକାଣ୍ଡ। ବୋଧହୁଏ ସେଥିପାଇଁ ବିଶ୍ବସ୍ତରୀୟ ସଂସ୍ଥାକୁ ତଦନ୍ତ ଦାୟିତ୍ବ ଦେବାକୁ ସରକାର ଚାହୁଛନ୍ତି। ଆଉ କିଛିଦିନ ପରେ ବିଧାନସଭା ସରିଯିବ। ତାହାପରେ ଘଟଣାଟିକୁ ଚପାଇ ଦିଆଯିବ।

ସବୁବେଳେ ଓଡ଼ିଶା ପୁଲିସ୍ ନୂଆ ନୂଆ କାହାଣୀ କହୁଛନ୍ତି। ଏହି ତଦନ୍ତର କ’ଣ ସମୟସୀମା ନାହିଁ? ଏ ଗୃହରେ ବାରମ୍ବାର ଏ ସମ୍ପର୍କରେ କୁହାଯାଉଛି। ଯଦି କିଛି ନିଷ୍କର୍ସ ବାହାରୁନି, ତେବେ ଏ ଗୃହର ଆବଶ୍ୟକତା କ’ଣ? ଜଣେ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ଠିକ୍ ଭାବେ ହୋଇପାରୁନି। କିନ୍ତୁ, ଏ ଗୃହ କିଛି କରିପାରୁନି। ଏହି ହତ୍ୟାକାଣ୍ଡ ପଛରେ ବଡ଼ବଡ଼ ଲୋକଙ୍କ ହାତ ଥିବା ଶୁଣାଯାଉଛି। ପୁଲିସ୍‌ ସେମାନଙ୍କ ପାଖରେ ପହଞ୍ଚୁନି। ରାଜ୍ୟରେ ସବୁ ହତ୍ୟାକାଣ୍ଡକୁ ପୁଲିସ୍‌ ଚପା‌ଇ ଦେଉଛି। ଓଡ଼ିଶା ପୁଲିସ୍‌ ତଦନ୍ତ କରିପାରୁ ନଥିବାରୁ ସିବିଆଇକୁ ଏହାର ତଦନ୍ତ ଦାୟିତ୍ବ ଦେବାକୁ ସେ ଦାବି କରିଥିଲେ। ଏ ନେଇ ବାଚସ୍ପତି ରୁଲିଂ ଦେବାକୁ ସେ କହିଥିଲେ। ଏହାପରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ବିରୋଧୀ ଦଳ ନେତାଙ୍କ ଉଦ୍‌ବେଗ ସହ ସହମତ ହୋଇଥିଲେ। ସେ କହିଥିଲେ, ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ବାରମ୍ବାର ପ୍ରଶ୍ନ ଉଠିଲେ ବି ଉତ୍ତର ମିଳୁନି। ଏହା ଦୁର୍ଭାଗ୍ୟଜନକ। ଏସ୍‌ସିବି ମେଡିକାଲ କଲେଜର ବିଶେଷଜ୍ଞ କମିଟି ମୁଦାଲା ଗୋପାଳ ପାଗଳ ନୁହେଁ ବୋଲି ମତ ଦେଇସାରିଛନ୍ତି। କିନ୍ତୁ, ଗୋପାଳକୁ ପାଗଳ କରିବା ପାଇଁ ସରକାର ପାଗଳ ହୋଇଯାଇଛନ୍ତି। ବିଦେଶୀ ସଂସ୍ଥାକୁ ହତ୍ୟାକାଣ୍ଡର ତଦନ୍ତ ପାଇଁ ଲେଖାଯାଇନି। ଗୋପାଳ ପାଗଳ କି ନାହିଁ, ତାହାର ତଦନ୍ତ କରିବାକୁ ଲେଖାଯାଇଛି। କିନ୍ତୁ କେନ୍ଦ୍ରରୁ ଉତ୍ତର ମିଳିନି।

କଂଗ୍ରେସ ବିଧାୟକ ଦଳ ନେତା ଆହୁରି କହିଥିଲେ, ନକଲି ସାର୍ଟିଫିକେଟ୍‌ ରାକେଟ୍‌ ବଲାଙ୍ଗୀରରେ ଧରାପଡ଼ିଛି। କିନ୍ତୁ ଏହା କେବଳ ସେହି ଜିଲ୍ଲାରେ ସୀମିତ ନାହିଁ। ଏହା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ି ଯାଇଛି। ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି। ରାକେଟ୍‌ରେ ଗିରଫ ହୋଇଥିବା ଅଭିଯୁକ୍ତ ଶାସକ ଦଳର ସଦସ୍ୟ। ‌ଏବେ ଚୋର, ଡକାୟତ ବି ଶାସକ ଦଳର ଲୋକ। ରାଜ୍ୟରେ ଗୁଇନ୍ଦା ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ନକଲି ସାର୍ଟିଫିକେଟ୍‌ ରାକେଟ୍‌ ମାଡ଼ିଚାଲିଲା। ପୁଲିସ୍‌ ତ ଘଟଣାର ତଦନ୍ତ କରୁଛି। ତେବେ ଏହାର ଗୁରୁତ୍ବକୁ ଉପଲବ୍ଧି କରି ବିଧାନସଭାରେ ବି କିଛି ପଦକ୍ଷେପ ନିଆଯିବା ଆବଶ୍ୟକ। ବାଚସ୍ପତି ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଏ ସମ୍ପର୍କରେ ଆଲୋଚନା କରିବାକୁ ସେ ଦାବି କରିଥିଲେ।

ଏହାପରେ ବି‌ଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିଥିଲେ। ଏହିସମୟରେ ଶାସକ ଦଳ ସଭ୍ୟ ଅରୁଣ ସାହୁ ବି‌ଜେପିକୁ ଭର୍ତ୍ସନା କରି କହିଥିଲେ, ଆପଣମାନେ ଅଭ୍ୟାସଗତ କାହାଣୀ କହିବା ଲୋକ। ଖାଲି ଗଣମାଧ୍ୟମରେ ରହିବା ପାଇଁ ଏପରି ନାଟକ କରୁଛ। ଶୂନ୍ୟକାଳରେ ସମୟ ବରବାଦ କରିବାକୁ ଉଦ୍ୟମ କରି ସଫଳ ହେଉଛ। ଆପଣମାନଙ୍କ ଶୁଣିବା ଧୈର୍ଯ୍ୟ ନାହିଁ ବୋଲି ପାଟି କରୁଛ। ଏହିସମୟରେ ବିରୋଧୀ ଦଳର ନାରବାଜି ଯୋଗୁ ଶ୍ରୀ ସାହୁଙ୍କ କଥା ଶୁଣାଯାଇ ନଥିଲା। ବାଚସ୍ପତି ଗୃହକୁ ୧୦ ମିନିଟ୍‌ ମୁଲତବୀ ରଖିଲେ। ତା’ପରେ ମଧ୍ୟ ସ୍ଥିତି କିଛି ନ ବଦଳିବାରୁ ସର୍ବଦଳୀୟ ବୈଠକ ଡାକିଥିଲେ। ବହୁସମୟ ଧରି ବୈଠକ ଚାଲିଲା ପରେ କିଛି ନିଷ୍କର୍ସ ନ ବାହାରିବାରୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖାଗଲା।

୪ଟା ପରେ ବି ସମାନ ସ୍ଥିତି ଲାଗି ରହିଲା। ବିଜେପି ଓ କଂଗ୍ରେସ ସଭ୍ୟମାନେ ଦୁଇଟି ପ୍ରସଙ୍ଗକୁ ଧରି ପୁଣି ଗୃହ ମଧ୍ୟ ଭାଗକୁ ଆସି ହୋ’ହଲ୍ଲା କଲେ। ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ସହ ବଲାଙ୍ଗୀର ନକଲି ସାର୍ଟିଫିକେଟ୍‌ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର ଫଟୋକୁ ଦେଖାଇ କଂଗ୍ରେସ ସଭ୍ୟମାନେ ଶାସକ ଦଳକୁ ଅଡ଼ୁଆରେ ପକାଇଥିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ। ଶେଷରେ ହୋ’ହଲ୍ଲା ଭିତରେ ଦୁଇଟି ବିଭାଗର ଖର୍ଚ୍ଚଦାବି ପାରିତ ହୋଇଥିଲା ବେଳେ ଅବଶିଷ୍ଟ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ମାଧ୍ୟମରେ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର