ଝାରସୁଗୁଡ଼ା/ଭୁବନେଶ୍ବର: ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଛି। ଆଜି ସକାଳୁ କ୍ରାଇମ୍ବ୍ରାଞ୍ଚର ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୨ ଜଣିଆ ଟିମ୍ ନବ ଦାସଙ୍କ ସରବାହାଲସ୍ଥିତ ବାସଭବନରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ୮ ଘଣ୍ଟାର ଏହି ବୟାନ୍ ରେକର୍ଡ ସମୟରେ ପରିବାର ଲୋକଙ୍କ ପକ୍ଷରୁ କିଛି ନୂଆ ଅଭିଯୋଗ ମଧ୍ୟ କ୍ରାଇମ୍ବ୍ରାଞ୍ଚ ନିକଟରେ କରାଯାଇଥିବା ସୂଚନା ଆସିଛି। ଏହି ଘଟଣା ପରେ ହତ୍ୟାକାଣ୍ଡର ଷଡ୍ଯନ୍ତ୍ର ଦିଗ ଉନ୍ମୋଚିତ ହେବା ନେଇ ମଧ୍ୟ ସମ୍ଭାବନା ଦେଖାଦେଇଛି। ଗଣମାଧ୍ୟମକୁ ସୂଚନା ଦେଇ ତଦନ୍ତ ପୃଷ୍ଠଭୂମିରେ ଯେଉଁମାନେ ଆସିବେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଅତିରିକ୍ତ ଏସ୍ପି ଶ୍ରୀ ମଲ୍ଲିକ କହିଛନ୍ତି।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟାରେ ତାଙ୍କ ପରିବାରର ଅସହମତି ଥିଲା। ତେଣୁ ଆଜିଠାରୁ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ୍ ଅଧିକାରୀ ତାଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଛନ୍ତି। ଗଣମାଧ୍ୟମକୁ ଶ୍ରୀ ହରିଚନ୍ଦନ ଆହୁରି କହିଥିଲେ, ପୂର୍ବ ସରକାରରେ ତଦନ୍ତ ବାଟବଣା କରାଯାଇଥିଲା। ତଦନ୍ତ ବେଳେ ଅନେକ ଦିଗକୁ ବନ୍ଦ କରି ରଖାଯାଇଥିଲା। କିନ୍ତୁ ଏବେ ସ୍ବଚ୍ଛ ଉପାୟରେ ତଦନ୍ତ ହେବ। ସିବିଆଇ ପରି କ୍ରାଇମ୍ବ୍ରାଞ୍ଚ୍ ବି ଠିକ୍ ତଦନ୍ତ କରିବ ବୋଲି ସରକାରଙ୍କ ବିଶ୍ବାସ ଅଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବ ଦାସଙ୍କ ପତ୍ନୀ ମିନତି ଦାସ ଚିଠି ଲେଖିଥିଲେ। ତାଙ୍କୁ ଆସନ୍ତାକାଲି ଅପରାହ୍ଣରେ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମୟ ଦିଆଯାଇଥିବା ସୂଚନା ମିଳିଛି। ଏହି ସାକ୍ଷାତ ଉପରେ ସମସ୍ତଙ୍କ ନଜର ରହିଛି। ଶ୍ରୀମତୀ ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିବେ ବୋଲି ଜଣାପଡ଼ିଛି। ସେପଟେ, ନବ ଦାସଙ୍କ ଝିଅ ତଥା ପୂର୍ବ ବିଧାୟିକା ଦୀପାଳି ଦାସଙ୍କ ବିବୃତି ଅନୁସାରେ, ଗତ ୧ ତାରିଖରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ନୋଟିସ୍ ଆସିଥିଲା। କିନ୍ତୁ କୌଣସି କାରଣବଶତଃ ସେମାନେ କ୍ରାଇମ୍ବ୍ରାଞ୍ଚରେ ଉପସ୍ଥିତ ହୋଇପାରିନଥିବା ବେଳେ ଘରକୁ ଆସି ବୟାନ ରେକର୍ଡ କରିବାକୁ ଅନୁରୋଧ କରିଥିଲେ। ସେହି ଅନୁସାରେ ଆଜି କ୍ରାଇମ୍ବ୍ରାଞ୍ଚ ଟିମ୍ ତାଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରିଛି। ତାଙ୍କର, ତାଙ୍କ ମା’ ମିନତି ଦାସ ଓ ଭାଇ ବିଶାଳ ଦାସଙ୍କର ବୟାନ ରେକର୍ଡ କରାଯାଇଛି। ତାଙ୍କର ବିଶ୍ବାସ ରହିଛି ଯେ ଆଗାମୀ ଦିନରେ ତାଙ୍କ ବୟାନ ଆଧାରରେ ଠିକ୍ରେ ତଦନ୍ତ ହେବ ବୋଲି ଦୀପାଳି କହିଛନ୍ତି।
ସମସ୍ତଙ୍କୁ ପଚରାଉଚରା ହେବ: କ୍ରାଇମ୍ବ୍ରାଞ୍ଚ
ସିବିଆଇ ତଦନ୍ତ ହେଉ: ବିଶାଳ ଦାସ
ପୂର୍ବ ସରକାରରେ ତଦନ୍ତ ବାଟବଣା ହୋଇଥିଲା: ଆଇନ ମନ୍ତ୍ରୀ
ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ
ବିଶାଳ ଦାସ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି, ବିଜେପିର ଅନେକ ନେତା ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରୁଥିଲେ। ଏବେ ଯେତେବେଳେ ତାଙ୍କ ପରିବାର ଲୋକେ ସିବିଆଇ ତଦନ୍ତ ପାଇଁ ଦାବି କଲେ ସେତେବେଳେ ସରକାର ଲେଖିକି ଦେବାକୁ କହିଲେ। ଲେଖିକି ଦେବାକୁ ପ୍ରସ୍ତୁତ ଥିବା ବେଳେ ଏବେ ତାଙ୍କ ଉପରେ ନିର୍ଭର କରୁଛି ଯେ ସରକାର ସିବିଆଇ ତଦନ୍ତ କରିବେ ନା ନାହିଁ। ଯେହେତୁ ସରକାରଙ୍କ ଅନେକ ନେତା ଏହି ସିବିଆଇ ତଦନ୍ତ ପ୍ରସଂଗରେ କହିଥିଲେ ତେଣୁ ତାଙ୍କର ଆଶା ରହିଛି ଯେ, ସରକାର ତାଙ୍କ କଥା ରଖିବେ।
ଉଲ୍ଲେଖଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିସାରିଛି। ଏବେ ବି ତଦନ୍ତ ଜାରି ରହିଛି। ମାତ୍ର କ୍ରାଇମ୍ବ୍ରାଞ୍ଚ କରିଥିବା ତଦନ୍ତରେ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ନେଇ ଅଭିଯୋଗ ପରେ କ୍ରାଇମ୍ବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠିଥିଲା। ନବ ଦାସଙ୍କ ରକ୍ତଲଗା ସାର୍ଟ ଗାଏବ୍ ହେବା, ଗୁଳିର ଠିକ୍ ହିସାବ ନମିଳିବା, ନବ ଦାସଙ୍କ ମୃତ୍ୟୁର ସଠିକ୍ ସମୟ ଜଣାନପଡ଼ିବା ଆଦି ପ୍ରସଙ୍ଗ କ୍ରାଇମ୍ବ୍ରାଞ୍ଚକୁ ବିବାଦ ଘେରକୁ ଆଣିଥିବା ବେଳେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିବା ଷଡ୍ଯନ୍ତ୍ର ଦିଗ ପ୍ରତି ମଧ୍ୟ କୌଣସି ତଦନ୍ତ ହୋଇନଥିଲା। ତେବେ ଏହି ପୁନଃତଦନ୍ତରେ ଉପରୋକ୍ତ ଦିଗ ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/19/e4Kgp8S09va66nmeLyjW.jpg)