ନବ ଦାସ ହତ୍ୟାକାଣ୍ଡ ମାମଲା: ତଦନ୍ତରେ ଏଫ୍‌ବିଆଇର ସହାୟତା ଲୋଡ଼ିଥିଲା କ୍ରାଇମ୍‌ ବ୍ରାଞ୍ଚ

ଓଡ଼ିଶା ସରକାରଙ୍କ ମାଧ୍ୟମରେ ଲେଖିଥିଲା ଚିଠି

କଟକ : ନବ ଦାସ ହତ୍ୟା ମାମଲାର ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ କିମ୍ବା ଓଡ଼ିଶା ସରକାର ଆମେରିକାର ଏଫ୍‌ବିଆଇ (ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍)କୁ ଆବେଦନ କରି ନ ଥିବା ନେଇ ହେଉଥିବା ଚର୍ଚ୍ଚା ସମ୍ପର୍କରେ ମୁହଁ ଖୋଲିଛି କ୍ରାଇମବ୍ରାଞ୍ଚ। ଏଭଳି ପ୍ରଚାରିତ ଖବରରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏକ ପ୍ରେସ୍ ବିବୃତି ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ମାଧ୍ୟମରେ ଓଡ଼ିଶା ସରକାର ଏଫ୍‌ବିଆଇର ସହଯୋଗ ମାଗିଥିଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ବିବୃତିରେ ଦର୍ଶାଯାଇଛି ଯେ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ସମୟରେ ଗୋପାଳ ଦାସ ଓ ତାଙ୍କ ପରିବାର ସଦସ୍ୟ ଗୋପାଳ ଜଣେ ମାନସିକ ରୋଗୀ ବୋଲି ଦାବି କରିଥିଲେ। ଏଥିପାଇଁ ସେ ଔଷଧ ଖାଉଥିବା କ୍ରାଇମବ୍ରାଞ୍ଚକୁ କୁହାଯାଇଥିଲା। ଏହାପରେ କଟକ ବଡ଼ ଡାକ୍ତରଖାନା ମାନସିକ ରୋଗ ବିଶେଷଜ୍ଞ ଗୋପାଳର ମାନସିକ ସ୍ଥିତିର ଅନୁଧ୍ୟାନ କରିଥିଲେ। କିନ୍ତୁ ସେ ମାନସିକସ୍ତରରେ ସୁସ୍ଥ ଥିବା ଏହି ବିଶେଷଜ୍ଞ ରିପୋର୍ଟ ଦେଇଥିଲେ। ତେବେ ଉକ୍ତ ପ୍ରସଂଗରେ ଅଧିକ ପରୀକ୍ଷା ପାଇଁ ବିଶେଷଜ୍ଞ ଦଳ ପରାମର୍ଶ ଦେଇଥିଲେ। ତଦନ୍ତ ପ୍ରକ୍ରିୟାରେ ଉନ୍ନତମାନର କୌଶଳ ଓ ବିଶେଷଜ୍ଞଙ୍କୁ ବ୍ୟବହାର କରାଯାଇଥିଲା। ଏହି ପ୍ରକ୍ରିୟାରେ ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫରେନ୍‌ସିକ୍ ସାଇନ୍ସ ଲାବୋରେଟୋରି, ଗୁଜୁରାଟର ରାଜ୍ୟ ଫରେନସିକ୍‌ ସାଇନ୍ସ ଲାବୋରେଟୋରି ଓ କଟକ ବଡ଼ ଡାକ୍ତରଖାନାର ସହଯୋଗ ନିଆଯାଇଥିଲା। ବାଙ୍ଗାଲୁରୁସ୍ଥିତ ନିମ୍‌ହାନ୍ସର ବିଶେଷଜ୍ଞ ଦଳକୁ ଓଡ଼ିଶା ପଠାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଆବେଦନ କରିଥିଲା। କିନ୍ତୁ ସେମାନେ ମନା କରିଦେଇଥିଲେ। ତେଣୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏଫ୍‌ବିଆଇର ବିହେଭିୟରାଲ୍ ଆନାଲିସିସ୍ ୟୁନିଟ୍‌ର ସହାୟତା ନିଆଯାଇଥିଲା। ଏ ପ୍ରକାର ଆପରାଧିକ ମାମଲାରେ ଉନ୍ନତମାନର ବିଶେଷଜ୍ଞ ଓ ଯନ୍ତ୍ରାଂଶ ଏଫ୍‌ବିଆଇରେ ଥିବାରୁ କ୍ରାଇମବ୍ରାଞ୍ଚ ସହାୟତା ମାଗିଥିଲା।

ନିୟମ ଅନୁଯାୟୀ, କୌଣସି ରାଜ୍ୟ ସରକାର ବିଦେଶର ସଂସ୍ଥାକୁ ସିଧାସଳଖ ସହଯୋଗ ପାଇଁ ଆବେଦନ କରିପାରିବେ ନାହିଁ। ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ମାଧ୍ୟମରେ ଏ ନେଇ ଆବେଦନ କରାଯାଇପାରିବ। ତେଣୁ ନବ ଦାସ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚର ଅନୁରୋଧକ୍ରମେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ଏଫ୍‌ବିଆଇ ସହଯୋଗ ପାଇଁ ଆବେଦନ କରାଯାଇଥିଲା। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚିଠି ନଂ-୧୮୭/ସି/୨୨ା୨ା୨୦୨୩ ମାଧ୍ୟମରେ ଏହି ଆବେଦନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଏଫ୍‌ବିଆଇକୁ ଭାରତର ବିଭିନ୍ନ ପୁଲିସ ଏଜେନ୍ସି ପକ୍ଷରୁ ୨୬/୧୧ ମୁମ୍ବାଇ ବିସ୍ଫୋରଣ ଓ ଭଵଁରିଦେବୀ ହତ୍ୟାକାଣ୍ଡ ଘଟଣାରେ ମଧ୍ୟ ଆବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର