ନବଙ୍କୁ କେମିତି ମାରିଲା ଗୋପାଳ: ମୁଣ୍ଡକୁ ମାରୁଥିଲା, ଛାତିରେ ବାଜିଲା

ଅଭିନୟ ସହ ଗୋଟିଗୋଟି କରି ଦେଖାଇଲା, ଆଦୌ ଅନୁଶୋଚନା ନାହିଁ, ସବୁ ପ୍ରଶ୍ନର ଉତ୍ତର ଦେଲା

ଭୁବନେଶ୍ବର/ ଝାରସୁଗୁଡ଼ା/ବ୍ରଜରାଜନଗର, ୭/୨ (ଇମିସ): ମନ୍ତ୍ରୀ ନବ ଦାସଙ୍କୁ କର୍ମୀମାନେ ଫୁଲମାଳ ପକାଉଥିଲେ। ମନ୍ତ୍ରୀ ସାମାନ୍ୟ ମୁଣ୍ଡ ନୁଆଁଇ ଏସବୁ ଫୁଲମାଳକୁ ଗ୍ରହଣ କରୁଥିଲେ। ଜଣେ କର୍ମୀ ମନ୍ତ୍ରୀଙ୍କ ପାଦ ଛୁଇଁବାକୁ ଉଦ୍ୟମ କରୁଥିଲେ। ଏହାକୁ ସବୁଠାରୁ ଭଲ ସମୟ ବୋଲି ଭାବି ନେଇଥିଲା। ତୁରନ୍ତ ମାଡ଼ିଯାଇଥିଲା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ। ଦୁଇହାତରେ ପିସ୍ତଲ ଧରି ମନ୍ତ୍ରୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିଚାଳନା କରିଥିଲା। ହେଲେ ସେହି ସମୟରେ ମନ୍ତ୍ରୀ ମୁଣ୍ଡ ଟେକିଦେଇଥିଲେ, ଏଣୁ ଗୁଳି ସିଧା ଭେଦ କରିଥିଲା ମନ୍ତ୍ରୀଙ୍କ ଛାତିକୁ। ଏହି ଗୁଳି ଚାଳନା ସମୟରେ ସେ ଆଦୌ ଚାପଗ୍ରସ୍ତ କିମ୍ବା ବିଚଳିତ ନଥିଲା। ତୁରନ୍ତ ପୁଣି ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲା। ହେଲେ ଏସବୁ ଗୁଳି ଲକ୍ଷ୍ୟଭେଦ କରିନଥିଲା। ବାସ୍, ଏତିକିରେ ପଛକୁ ଘୁଞ୍ଚିଥିଲା ଗୋପାଳ। ଗତ ୨୯ ତାରିଖ ଦିନ ଗାନ୍ଧୀଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ କିଭଳି ଗୁଳି କରି ହତ୍ୟା କଲା, ସେସବୁ ବଖାଣିବା ସହିତ ଆଜି ଆଉଥରେ (ସିନ୍‌ ରିକ୍ରିଏସନ୍‌) କରି ଦେଖାଇଛି ପୁଲିସ ଏଏସ୍‌ଆଇ ଗୋପାଳ ଦାସ। ଜେରା ବେଳେ ଯେମିତି କ୍ରାଇମବ୍ରାଞ୍ଚକୁ ଗୋପାଳ ଶୁଣାଇଥିଲା ଯେ ମନ୍ତ୍ରୀଙ୍କୁ ଦେଖିଲେ ଚି଼ଡ୍‌ ଚିଡ୍ ଲାଗୁଥିଲା। ନବ ଦାସ ଆଦୌ ଭଲ ଲୋକ ନଥିଲେ, ଏଣୁ ତାଙ୍କୁ ସେ ମାରିଦେଲା। ସରକାରଙ୍କୁ ବଦନାମ୍ କରୁଥିଲେ, ଏଣୁ ଲୋକ ତାଙ୍କୁ ଘୃଣା କରୁଥିଲେ। ଏଥିପାଇଁ ସେ ତାଙ୍କୁ ସଫା କରିଦେବା ପାଇଁ ଚାହିଁଥିଲା, ଠିକ୍ ସେମିତି ଆଜି ଅନୁରୂପ ଢଙ୍ଗରେ ଗୋଟି ଗୋଟି କରି ଅଭିନୟ କରି ସେସବୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଦେଖାଇଥିଲା। ନବଙ୍କୁ ଗୁଳି ମାରିବାରେ ଗୋପାଳର ଆଦୌ ଅନୁଶୋଚନା ନାହିଁ, ଆଜି ବି ସେ ଏକଥା ସିନ୍ ରିକ୍ରିଏସନ୍ ବେଳେ ଜଣାଇ ଦେଇଛି। ଏପରିକି ଅଭିଯୁକ୍ତ ଯେଉଁଭଳି ‌ଘଟଣା ସଂପର୍କରେ ବର୍ଣ୍ଣନା କରୁଥିଲା ଓ ନିର୍ଭୟରେ ସବୁ ପ୍ରଶ୍ନର ଉତ୍ତର ଦେଇ ଚାଲିଥିଲା, ତାହା ଅନେକଙ୍କୁ ବିସ୍ମିତ କରିଛି। ତେବେ ଆଜିର ଘଟଣାଟି ପୂରା ମାମଲାର ମୋଡ଼ ବଦଳାଇ ଦେଇଛି।

ଅଭିନୟ ସହ ଗୋଟିଗୋଟି
କରି ଦେଖାଇଲା
ଆଦୌ ଅନୁଶୋଚନା ନାହିଁ, ସବୁ ପ୍ରଶ୍ନର ଉତ୍ତର ଦେଲା
ଲୋକେ ମନ୍ତ୍ରୀଙ୍କୁ ଘୃଣା କରୁଥିଲେ, ତାଙ୍କୁ ଦେଖି
ଚିଡ୍‌ ଚିଡ୍ ଲାଗୁଥିଲା
ଧରାପଡ଼ିଗଲା ସୁରକ୍ଷାରେ ଥିବା ଫାଟ, ଅକଳରେ ସ୍ଥାନୀୟ ପୁଲିସ

ମଙ୍ଗଳବାର ଅପରାହ୍‌ଣରେ ‌ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଯେଉଁ ସ୍ଥାନରେ ହତ୍ୟାକାଣ୍ଡ ଘଟିଥିଲା ଆଜି ସେଠାରେ ବ୍ୟାପକ ପୁଲିସ ମୁତୟନ କରି କ୍ରାଇମବ୍ରାଞ୍ଚ ସଂପୂର୍ଣ୍ଣ ସ୍ଥାନଟିକୁ କବ୍‌ଜା କରି ନେଇଥିଲା। ହତ୍ୟାକାଣ୍ଡ ଦିନ ମନ୍ତ୍ରୀଙ୍କ କାର୍‌କେଡ୍‌ ଯେମିତି ପହଞ୍ଚିଥିଲା ଠିକ୍ ସେମିତି ପାଇଲଟ୍‌ ଗାଡ଼ି ସହିତ ଆଗପଛ ହୋଇ ୬ଟି ଗାଡ଼ି ଅପରାହ୍‌ଣ ୩.୩୫ରେ ଏଠାରେ ପହଞ୍ଚିଥିଲା। ସେ ଦିନ ନବ ଦାସ ଯେଉଁ ଇନୋଭା କାରରେ ବ୍ୟବହାର କରିଥିଲେ ଓ ପଛରେ ଯେଉଁ ଇନୋଭା କାର ଥିଲା ଆଜି ସେହି କାରକୁ ହିଁ ସିନ୍‌ ରିକ୍ରି‌ଏସନରେ ବ୍ୟବହାର କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ। ଏହା ପରେ ଆରମ୍ଭ ହୋଇଥିଲା ନାଟକର ଅସଲ ଦୃଶ୍ୟ। କ୍ରାଇମ୍‌ବ୍ରାଞ୍ଚର ଜଣେ ଅଧିକାରୀ ମନ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ମନ୍ତ୍ରୀ ଯେଭଳି କାର ଆଗ ସିଟ୍‌ରେ ବସିଥିଲେ ସେଭଳି ତାଙ୍କୁ ବସାଯାଇଥିଲା। ଯେମିତି ମନ୍ତ୍ରୀ କାର କବାଟ ଖୋଲି ବାହାରିଥିଲେ ଠିକ୍‌ ସେଭଳି ଉକ୍ତ ଅଧିକାରୀ ବାହାରିବା ପରେ ଦୁଇ ଜଣ ତାଙ୍କୁ ଫୁଲମାଳ ଗଳାରେ ପକାଇଥିଲେ। ଏହି ସମୟରେ ଗୋପାଳ ଏକ ନକଲି ଖେଳନା ପିସ୍ତଲ ଧରି ଘଟଣା ଦିନ କେମିତି ସେ ପିସ୍ତଲ ବାହାର କରିଥିଲା, ସେ ସ୍ଥାନକୁ ଭିଡ଼ ଭାଙ୍ଗି କିଭଳି ଯାଇ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାଇଥିଲା, ସର୍ବୋପରି କେତେ ପାଖରୁ କେଉଁ ଢଙ୍ଗରେ ସେ ଗୁଳି କରିଥିଲା, ତାହା ଅଭିନୟ କରି ଦେଖାଇଥିଲା।

ଏହି ଅଭିନୟକୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଏକାଧିକ ଥର କରାଇଥିଲେ। ଗୋପାଳ କିଭଳି ଗୁଳି କରିବା ପରେ ପିସ୍ତଲ ଉପରକୁ ଟେକି ପଛକୁ ଫେରିଥିଲା ସେ ସିନ୍‌ ବି ରିକ୍ରିଏଟ କରିଥିଲା। ସେହିଭଳି ମନ୍ତ୍ରୀଙ୍କ ପଛରେ ଥିବା ଇନୋଭା କାରର ପଛ ଦ୍ବାରରେ ଗୁଳି କିଭଳି ବାଜିଲା, ତାକୁ ମଧ୍ୟ ସେ ପିସ୍ତଲ ଧରି କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କୁ ଦେଖାଇଥିଲା। କିଏ ଜଣେ ମାରିଦେଲା ବୋଲି ମନ୍ତ୍ରୀ ଚିତ୍କାର କରିବା ଓ ଗୋପାଳ ପଛକୁ ଘୁଞ୍ଚିଯିବା ପରେ ଯାଇ ଆଇଆଇସି ଓ ଅନ୍ୟମାନେ ତାଙ୍କ ଠାରୁ ପିସ୍ତଲ ଛଡ଼ାଇବାର ଉପକ୍ରମ କରିଥିଲେ, ଯାହା ଗୋପାଳ ଆଜି ଅଭିନୟ ଜରିଆରେ ଦେଖାଇଥିଲା। ଗୋପାଳ କହିଛି ଯେ ସେ ଗୁଳିମାରି ପଛୁଆ ପଳାଇବାକୁ ଉଦ୍ୟମ କରୁଥିଲା। ସେତେବେଳେ ଲୋକମାନେ ହିଁ ତାକୁ ଧରିଥିଲେ। ଏହାର ମଧ୍ୟ ଅବିକଳ ରୂପାନ୍ତରଣ କରିଥିଲା ଗୋପାଳ।
ଏହି ସମୟରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟଟି ସାମ୍ନାକୁ ଆସିଛି, ତାହା ହେଲା, ଗୋପାଳକୁ ସେ ଯାଏ କୌଣସି ସୁରକ୍ଷା ଅଧିକାରୀ ଅଟକାଇ ନଥିଲେ। ନା ଆଇଆଇସି ନା ମନ୍ତ୍ରୀଙ୍କ ପିଏସ୍‌ଓ। ମନ୍ତ୍ରୀଙ୍କ ଏତେ ପାଖରେ ଏତେସବୁ ଘଟଣା ଘଟିଯାଇଥିଲେ ହେଁ ଏହାକୁ ରୋକିବାରେ ପୂରା ପୁଲିସ ଟିମ୍ ବିଫଳ ହୋଇଥିଲେ। ଅର୍ଥାତ୍ କୌଣସି ଅତର୍କିତ ଘଟଣାକୁ ରୋକିବାରେ ମନ୍ତ୍ରୀଙ୍କ ସୁରକ୍ଷା କର୍ମୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଥାନାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଫଳ ଏକଥା ଆଜି ସିନ୍ ରିକ୍ରିଏସନ୍ ପରେ ଅଧିକ ସ୍ପଷ୍ଟ ହୋଇଯାଇଛି। ହେଲେ ଏହି ଘଟଣା ପିଏସ୍‌ଓଙ୍କୁ କେବଳ ନିଲମ୍ବିତ କରାଯାଇଛି ଓ ଆଇଆଇସିଙ୍କୁ ବଦଳି କରାଯାଇଛି। ଜଣେ ମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏଭଳି ଢିଲାପଣକୁ ସରକାର କିଭଳି ଗ୍ରହଣ କରିଗଲେ ଓ ପୁଲିସ ଅଧିକାରୀମାନଙ୍କୁ କେବଳ ବଦଳି କରିଦେଇ ସରକାର ଓ ପୁଲିସ ଡିଜି ଚୁପ୍ ବସିଗଲେ, ତାହା ଅନେକ ପୂର୍ବତନ ପୁଲିସ ଅଧିକାରୀଙ୍କୁ ବି ଆଚମ୍ବିତ କରୁଛି। ଏଥିସହିତ ଏହି ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଦୌ ସନ୍ତୋଷଜନନ ନୁହେଁ ବୋଲି ଧୀରେ ଧୀରେ ମତ ଉଠିଲାଣି, ଯାହା ଆଜିର ସିନ୍ ରିକ୍ରିଏସନ୍ ପରେ ଅଧିକ ସ୍ପଷ୍ଟ ହୋଇଯାଇଛି।

ଅନ୍ୟପକ୍ଷରେ ସଂପୂର୍ଣ୍ଣ ଅଭିନୟର ଚିତ୍ରକୁ ଡ୍ରୋନ କ୍ୟାମେରା ଓ ଭିଡିଓ କ୍ୟାମେରାରେ ଉତ୍ତୋଳନ କରାଯାଇଥିଲା। ସିନ ରିକ୍ରିଏସନ୍‌ ପରେ ନବ ଦାସଙ୍କ ଗାଡ଼ିଠାରୁ ଗୋପାଳ ଗୁଳି ମାରିଥିବା ସ୍ଥାନର ଦୂରତା, ପିସ୍ତଲ ଛଡ଼ାଇବାର ଦୂରତା, ଗୋପାଳ ତଳେ ପଡିବା ଦୂରତାକୁ ବିଶେଷଜ୍ଞ ଟିମ ମାପ କରିଛନ୍ତି। ଏ ନେଇ ଗୁଜୁରାଟ ଗାନ୍ଧୀନଗରରୁ ଆସିଥିବା ଡେପୁଟି ଡାଇରେକ୍ଟର, ଫରେନ୍ସିକ ସାଇନ୍ସ ଡି. ପଟେଲ କହିଛନ୍ତି, ହତ୍ୟାକାଣ୍ଡର ସିନ ରିକ୍ରିଏସନ କରାଯାଇଛି ଏବଂ ସଂପୂର୍ଣ୍ଣ ଘଟଣାର ଭିଡିଓକୁ ଅନୁଶୀଳନ କରିବାକୁ ଆଉ ଏକରୁ ଦୁଇ ସପ୍ତାହ ଲାଗିବ।

ଉଲ୍ଲେଖଥାଉକି, କ୍ରାଇମବ୍ରାଞ୍ଚ ଗୋପାଳକୁ ଗିରଫ କରିବା ପରେ ପ୍ରଥମେ ୪ ଦିନ ରିମାଣ୍ଡରେ ନେଇଥିଲା। ଏହାର ପରେ ପୁଣି ୪ ଦିନ ରିମାଣ୍ଡ‌ ବୃଦ୍ଧି କରାଯାଇଥିଲା ଓ ଆଜି ୭ ଦିନ ସଂପୂର୍ଣ୍ଣ ହୋଇଥିବା ବେଳେ ଆସନ୍ତାକାଲି ରିମାଣ୍ଡର ଶେଷ ଦିନ। କ୍ରାଇମବ୍ରାଞ୍ଚ ଆଉ ଅଧିକ ଦିନ ରିମାଣ୍ଡରେ ନେବ ନା କୋର୍ଟଚାଲାଣ କରିବ ତାହା ଅଦ୍ୟାବଧି ଜଣାପଡ଼ି ନାହିଁ। ଆଜି ସିନ୍ ରିକ୍ରିଏସନ୍‌ରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ରମେଶ ଦୋରା, ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ  ଲାବରେଟୋରି ଦିଲ୍ଲୀ, ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ଆଣ୍ଡ୍‌ ହେଲଥ ନ୍ୟୁରୋସାଇନ୍ସ ଗୁଜୁରାଟର ଅଧିକାରୀ, ବ୍ରଜରାଜନଗର ପୂର୍ବତନ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ, ରାମପୁର ଫାଣ୍ଡି ଅଧିକାରୀ ଶଶି ଭୂଷଣ ମିଶ୍ର, ବ୍ରଜରାଜନଗର ଥାନାଧିକାରୀ ଧବଳେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଟିମ୍‌ ପହଞ୍ଚିବା ପୂର୍ବରୁ  ଗାନ୍ଧୀଛକରୁ ଜିଏମ୍‌ ଅଫିସ ଛକ ରାସ୍ତାକୁ ଦଉଡ଼ି ଦ୍ବାରା ବନ୍ଦ କରିଦିଆଯାଇଥିଲା।

ସମ୍ବନ୍ଧିତ ଖବର