ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଆଜି ତୃତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଜାରି ରହିଛି। ହତ୍ୟାକାଣ୍ଡ ସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ଅଭିଯୁକ୍ତ ଗୋପାଳର ଭାଇଙ୍କ ହୋଟେଲ, ଗାନ୍ଧୀଛକ ଫାଣ୍ଡି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭ ଘଣ୍ଟା ଧରି ପୂର୍ବତନ ସିଡିଏମ୍‌ଓ ଓ ଡାକ୍ତରଙ୍କୁ ପଚରାଉଚରା କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଡାକ୍ତର ତଥା ଅନ୍ୟ କର୍ମଚାରୀଙ୍କ ପୂର୍ବରୁ ସିଆର୍‌ପିସି ଧାରା ୧୬୧ରେ ବୟାନ୍‌ ରେକର୍ଡ ହୋଇନଥିବାରୁ ସେ ଦିଗରେ ଏବେ କ୍ରାଇମ୍‌ବ୍ରାଞ୍ଚ ପଦକ୍ଷେପ ନେଇଛି। ପୂର୍ବ ତଦନ୍ତରେ କ୍ରାଇମ୍‌ବ୍ରାଞ୍ଚ ଯେଉଁସବୁ ଦିଗକୁ ଆଦୌ ଯାଇନଥିଲା, ଏବେ ସେସବୁର ତଦନ୍ତ କରି ସୂଚନା ଓ ତଥ୍ୟ ସଂଗ୍ରହ କରୁଛି ବୋଲି କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ କହିଛନ୍ତି।

Advertisment

ପୂର୍ବତନ ସିଡିଏମ୍‌ଓ, ୩ ଡାକ୍ତର ଓ ନର୍ସଙ୍କ ବୟାନ ରେକର୍ଡ
ଗୁଳି ମିଳିନି ସମସ୍ତେ ଜାଣିଛନ୍ତି, ଏବେ କୁଆଡ଼ୁ ଆସିବ: କ୍ରାଇମବ୍ରାଞ୍ଚ

ଗୁରୁବାର ସକାଳେ କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ୍‌ ବ୍ରଜରାଜନଗର ଗାନ୍ଧୀ ଛକସ୍ଥିତ ଗୁଳିକାଣ୍ଡ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। କେଉଁ ପରିସ୍ଥିତିରେ ଘଟଣା ଦିନ ଗୁଳିକାଣ୍ଡ ହୋଇଥିଲା, ସେ ସଂପର୍କରେ ଛାନ୍‌ଭିନ୍‌ କରାଯାଇଥିଲା। ଏହା ପରେ କ୍ର‌ାଇମ୍‌ବ୍ରାଞ୍ଚ ଟିମ୍‌ ସେତେବେଳେ ଅଭିଯୁକ୍ତ ଗୋପାଳ ଦାସ କାର୍ଯ୍ୟରତ ଥିବା ଗାନ୍ଧୀଛକ ଫାଣ୍ଡିକୁ ଯାଇ ପଚରାଉଚରା କରିଥିଲେ। ଫାଣ୍ଡି ନିକଟରେ ଗୋପାଳର ଭାଇଙ୍କ ହୋଟେଲ ଥିବାରୁ ସେଠାକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଯାଇଥିଲେ। ଦିନ ୧୨ଟାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ମାରାଥନ୍‌ ଜେରା କରାଯାଇଥିଲା। ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଡୋଳାମଣି ପଟେଲ, ଡା.ଦିନେଶ ଅଗ୍ରୱାଲ, ଡା.ରଞ୍ଜନ ପଟେଲ, ଡା.ଜିତେନ ପଟେଲଙ୍କର ବୟାନ ରେକର୍ଡ କରାଯାଇଥିଲା। ନବ ଦାସଙ୍କୁ ଝାରସୁଗୁଡ଼ା ବିମାନବନ୍ଦରରୁ 

ଏୟାରଲିଫ୍ଟ କରି ଭୁବନେଶ୍ବର ନେବା ସମୟରେ ତାଙ୍କ ସହ ଏକ ଡାକ୍ତରୀ ଟିମ୍‌ ଉପସ୍ଥିତ ଥିଲା। ଡା.ଜିତେନ ପଟେଲ ଏଥିରେ ରହିଥିଲେ। ଏହାସହ ଷ୍ଟାଫ୍‌ନର୍ସ ସଞ୍ଜୁରାଣୀ ଦେହୁରୀ ମଧ୍ୟ ଏୟାର ଆମ୍ବୁଲାନ୍ସରେ ଯାଇଥିବାରୁ ତାଙ୍କର ବି ବୟାନ ରେକର୍ଡ କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଘଟଣାର ୨ ମୁଖ୍ୟ ସ୍ଥାନ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବିମାନବନ୍ଦର ଉପରେ ତଦନ୍ତ କେନ୍ଦ୍ରୀଭୂତ କରାଯାଇଛି। କିନ୍ତୁ ଏବେ ସୁଦ୍ଧା କୌଣସି ଦସ୍ତାବିଜ ଜବତ କରାଯାଇନାହିଁ। ଏହାସହ ବିମାନବନ୍ଦରରୁ ମଧ୍ୟ ଅନେକ କିଛି ତଥ୍ୟ ମଗାଯାଇଛି ଏବଂ ରିପୋର୍ଟ ମିଳିଲେ ସେଗୁଡ଼ିକୁ ସାଙ୍ଗରେ ନେଇ ଝାରସୁଗୁଡ଼ାରୁ ଯିବେ ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ମଲ୍ଲିକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ନବ ଦାସଙ୍କୁ ହତ୍ୟା କରାଯାଇଥିବା ଗୁଳି ମିଳିନାହିଁ। ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ଅଭିଯୋଗ ହେଉଛି। ତେବେ ଗୁଳି ନ ମିଳିବା କଥା ସମସ୍ତେ ଜାଣିଥିବା ବେଳେ ଏବେ ୨ ବର୍ଷ ପରେ ଆଉ ସେ ଗୁଳି କୁଆଡ଼ୁ ଆସିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ଅତିରିକ୍ତ ଏସ୍‌ପି ଶ୍ରୀ ମଲ୍ଲିକ କହିଛନ୍ତି।