ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚର ସାନି ତଦନ୍ତ ଆରମ୍ଭ ହେବା ପରେ ତାଙ୍କ ମୃତ୍ୟୁ ସମୟକୁ ନେଇ ଖୋଦ୍ ତାଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି। କ୍ରାଇମ୍ବ୍ରାଞ୍ଚ ମଧ୍ୟ ଏହି ଦିଗରେ ପରିବାର ଲୋକଙ୍କଠାରୁ ବୟାନ ସଂଗ୍ରହ କରିବା ସହ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରମାଣ ଖୋଜିବାକୁ ଚେଷ୍ଟା କରିଛି। ଏହାରି ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି ସୂଚନା ଅଧିକାର ଆଇନ ଯୋଗେ ମାଗିଥିବା ତଥ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ନବ ଦାସଙ୍କୁ ଏୟାରଲିଫ୍ଟ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେଠାରେ କୌଣସି ପ୍ରକାର ଡାଇଗ୍ନୋଷ୍ଟିକ୍ କରାଯାଇ ନଥିବା ସଂପର୍କରେ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
ସୂଚନା ଅଧିକାର କର୍ମୀଙ୍କ ପ୍ରଶ୍ନ: ମୃତ ଶରୀରରେ ଅସ୍ତ୍ରୋପଚାର ଥିଲା ଏକ ନାଟକ
ସୂଚନା ଅଧିକାର କର୍ମୀ ଶ୍ରୀ ମହାନ୍ତି ଗତ ଜାନୁଆରି ୨୪ ତାରିଖରେ ନବ ଦାସଙ୍କ ଭୁବନେଶ୍ବରରେ ଚିକିତ୍ସା ସମ୍ପର୍କିତ ବିଲ୍ ଓ ତଥ୍ୟ ମାଗିଥିଲେ। ୨ ଦିନ ତଳେ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ତାଙ୍କୁ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି। ଯେଉଁଠି ହସ୍ପିଟାଲ ପକ୍ଷରୁ ପ୍ରଦାନ କରାଯାଇଥିବା ବିଲ୍ରେ ନବ ଦାସଙ୍କୁ ୨୦୨୩ ମସିହା ଜାନୁଆରି ୨୯ ତାରିଖ ସନ୍ଧ୍ୟା ୫ଟା ୨୬ ମିନିଟ୍ ୪ ସେକେଣ୍ଡରେ ଭର୍ତ୍ତି କରାଯାଇଥିବା ଏବଂ ସନ୍ଧ୍ୟା ୭ଟା ୩୦ ମିନିଟ୍ରେ ଡିସ୍ଚାର୍ଜ କରାଯାଇଥିବା ସମ୍ପର୍କରେ ଦର୍ଶାଯାଇଛି। ଏହି ୨ ଘଣ୍ଟା ୪ ମିନିଟ୍ର ଚିକିତ୍ସାରେ ନବ ଦାସଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେ ହସ୍ପିଟାଲ ପକ୍ଷରୁ ମୋଟ ୨ ଲକ୍ଷ ୩୦ ହଜାର ୬୭ ଟଙ୍କାର ବିଲ୍ କରାଯାଇଥିଲା। ଯାହା ରାଜ୍ୟ ସରକାର ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପୈଠ କରିଥିଲେ। ପ୍ରଥମ ପ୍ରସଙ୍ଗ ହେଉଛି ନବ ଦାସ ସେତେବେଳେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ରହିଥିଲେ ଓ ରାଜ୍ୟ ସରକାର ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ ସୁଦ୍ଧା ଆର୍ଟିଆଇରେ ଆବେଦନ ବେଳେ ସ୍ବାସ୍ଥ୍ୟ ବିଭାଗ ନିଜ ପାଖରେ କୌଣସି ତଥ୍ୟ ନଥିବା ଦର୍ଶାଇ ସଂସଦୀୟ ବ୍ୟାପାର ବିଭାଗକୁ ହସ୍ତାନ୍ତର କରିଥିଲା।
ସଂସଦୀୟ ବ୍ୟାପାର ବିଭାଗ ପ୍ରାୟ ଦେଢ଼ମାସ ଧରି କୌଣସି ତଥ୍ୟ ପ୍ରଦାନ କରିନଥିବା ବେଳେ ପ୍ରଥମ ଅପିଲ୍ ପରେ ତଥ୍ୟ ଦେଇଥିବା ଶ୍ରୀ ମହାନ୍ତି କହିଛନ୍ତି। ତେବେ ବିଲ୍ରେ ଥିବା ତଥ୍ୟ ଅନୁସାରେ, ହସ୍ପିଟାଲରେ ୬ ଜଣ ଡାକ୍ତର ପ୍ରାୟ ୨ ଘଣ୍ଟା ଧରି ନବ ଦାସଙ୍କର ଚିକିତ୍ସା କରିଥିଲେ। ଗୁଳିବିଦ୍ଧ ବ୍ୟକ୍ତିଙ୍କ ହୃଦ୍ସ୍ପନ୍ଦନ ପରିବର୍ତ୍ତନ ହେଉଥିବା ବେଳେ ଅସ୍ତ୍ରୋପଚାର ପୂର୍ବରୁ ଇସିଜି, କାର୍ଡିଓଲୋଜି ପରୀକ୍ଷା କରାଯିବା କଥା। ଏହାସହିତ ଗୁଳି କାଢ଼ିବା ପୂର୍ବରୁ ସିଟିସ୍କାନ୍, ଏକ୍ସ-ରେ’ କରାଯାଇ ଗୁଳିର ଅବସ୍ଥାନ, କ୍ଷତ ସ୍ଥାନର ସ୍ଥିତି ଯାଞ୍ଚ କରାଯିବାର ଆବଶ୍ୟକତା ଥାଏ। ସାଧାରଣ ଅସ୍ତ୍ରୋପଚାର ପୂର୍ବରୁ ମଧ୍ୟ ରୋଗୀଙ୍କର ଏଚ୍ଆଇଭି, ହିମୋଗ୍ଲୋବିନ୍, ସୁଗାର ଭଳି ପରୀକ୍ଷା କରାଯିବା ବାଧ୍ୟତାମୂଳକ ହୋଇଥିବା ବେଳେ ହସ୍ପିଟାଲର ବିଲ୍ରେ ଏହିସବୁ ପରୀକ୍ଷା ସମ୍ପର୍କିତ କୌଣସି ବିଲିଂ କରାଯାଇନି। ଏଭଳି ସ୍ଥିତିରେ ବିନା ଡାଇଗ୍ନୋଷ୍ଟିକ୍ରେ ନବ ଦାସଙ୍କର ଅସ୍ତ୍ରୋପଚାର କିଭଳି କରାଯାଇଥିଲା, ସେ ନେଇ ସୂଚନା ଅଧିକାର କର୍ମୀ ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ତେଣୁ ନବ ଦାସଙ୍କ ମୃତ ଶରୀରକୁ ଭୁବନେଶ୍ବର ଆଣି ଅସ୍ତ୍ରୋପଚାର କରାଯିବାର ଏକ ନାଟକ କରାଯାଇଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି।