ଭୁବନେଶ୍ବର : ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିବୃତି ରଖି କହିଥିଲେ ‌ଯେ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଗାଡ଼ିରୁ ଓହ୍ଲାଉଥିବାବେଳେ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ତାଙ୍କ ସର୍ଭିସ୍ ପିସ୍ତଲରୁ ମନ୍ତ୍ରୀଙ୍କୁ ଗୁଳି କରିଥିଲେ। ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ମକଦ୍ଦମାର ତଦନ୍ତ ଭାର ଦେଇଥିଲେ। ତଦନ୍ତରେ ସ୍ବଚ୍ଛତା ରଖିବା ପାଇଁ ଓ ମାମଲାକୁ ତଦାରଖ ପାଇଁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ମନୋନୀତ କରିବା ପାଇଁ ରାଜ୍ୟ ସରକାର ଜାନୁଆରି ୩୦ରେ ପତ୍ର ସଂଖ୍ୟା ୭୬/ସିରେ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ। ସରକାରଙ୍କ ଅନୁରୋଧକ୍ରମେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜେ.ପି ଦାସଙ୍କୁ ମନୋନୀତ କରି ଫେବ୍ରୁଆରି ୧ରେ ତାଙ୍କ ପତ୍ର ସଂଖ୍ୟା ୩/ଆର୍‌ଜିରେ ଜଣାଇଥିଲେ। ପୁଙ୍ଖାନୁପଙ୍ଖ ଏବଂ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ପାଇଁ ଘଟଣାଟିର ପ୍ରମାଣ ସଂଗ୍ରହ ଓ ଅପରାଧିକ ଦୃଶ୍ୟକୁ ସଂରକ୍ଷଣ ନିମନ୍ତେ କ୍ରାଇମବ୍ରାଞ୍ଚ ଦ୍ବାରା ଡାକ୍ତର, ପାରାମେଡିକ, ଫଟୋଗ୍ରାଫର, ଫୋରେନସିକ୍ ଏବଂ ବାଲିଷ୍ଟିକ୍ ବିଶେଷଜ୍ଞଙ୍କ ଭଳି ବିଭିନ୍ନ ବୃତ୍ତିଗତ ଅଧିକାରୀଙ୍କ ସାହାଯ୍ୟ ନିଆଯାଇଛି।ଦେଖଣାହାରୀଙ୍କ ମୋବାଇଲରୁ ଫଟୋ ଓ ଭିଡିଓ ଜବତ କରାଯାଇଛି। ଅଭିଯୁକ୍ତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆର୍ଥିକ କାରବାରକୁ ସଂଗ୍ରହ କରି ବିଶ୍ଳେଷଣ କରାଯାଇଛି।

Advertisment

ତଦନ୍ତ ସମୟରେ ଅଭିଯୁକ୍ତ କିଛି ମାନସିକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେଣୁ ସେ ସମ୍ବନ୍ଧୀୟ ଦସ୍ତାବିଜକୁ ସଂଗ୍ରହ କରି ଯାଞ୍ଚ କରାଯାଇଛି। ତାଙ୍କୁ ଚିକିତ୍ସା କରୁଥିବା ଏମ୍‌କେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ମନସ୍ତତ୍ବ ବିଭାଗର ମୁଖ୍ୟ ଏବଂ ପ୍ରଫେସରଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ବାରା ଅଭିଯୁକ୍ତଙ୍କ ମାନସିକ ଅବସ୍ଥାକୁ ପରୀକ୍ଷା କରାଯାଇଛି। ସିଏଫ୍ଏସ୍‌ଏଲ୍‌, ନୂଆଦିଲ୍ଲୀର ବିଶେଷଜ୍ଞ ଦ୍ବାରା ଅଭିଯୁକ୍ତର ଫୋରେନସିକ୍ ସାଇକୋଲୋଜିକାଲ୍ ଆସେସମେଣ୍ଟ ଏବଂ ଏଲ୍‌ଭିଏ ଟେଷ୍ଟ କରାଯାଇଛି। ଅଭିଯୁକ୍ତର ସହମତିରେ କୋର୍ଟ ତାଙ୍କର ପଲିଗ୍ରାଫ୍ ଓ ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ପରେ ଗୁଜୁରାଟର ଡିଏଫ୍‌ଏସ୍‌, ଗାନ୍ଧୀନଗର ଠାରେ ଅଭିଯୁକ୍ତର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଛି।

ଶ୍ରୀ ବେହେରା କହିଥିଲେ ଯେ ଭାରତୀୟ ସମ୍ବିଧାନର ଧାରା ୩୧୧ ଅନୁଯାୟୀ ତାଙ୍କୁ ପୁଲିସ ଚାକିରିରୁ ବହିଷ୍କାର କରାଯାଇଛି। ଦଫା ୧୬୪ ସିଆର୍‌ପିସି ଅନୁଯାୟୀ ନ୍ୟାୟିକ ବିଚାରପତିଙ୍କ ସମ୍ମୁଖରେ ଅଭିଯୁକ୍ତ ବିବୃତ୍ତିକୁ ରେକର୍ଡ କରାଯାଇଛି। ଯେଉଁଥିରେ ସେ ନବ ଦାସଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ଅପରପକ୍ଷେ ମାମଲାଟିର ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଗୃହ ବିଭାଗ ମାମଲାଟିରେ ଆମେରିକାର ଏଫ୍‌ବିଆଇକୁ ତଦନ୍ତରେ ସହାୟତା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି।