ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚର ସାନି ତଦନ୍ତ ଆରମ୍ଭ ହେବା ପରଠାରୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଝାରସୁଗୁଡ଼ାରେ କ୍ୟାମ୍ପ କରି ରହିଛି। ଆଜି ଚତୁର୍ଥ ଦିନରେ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ୨ ଜଣିଆ ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ତଦନ୍ତ କରିଛି। ପୂର୍ବ ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କୁ ସାକ୍ଷ୍ୟ ତାଲିକାରେ ରଖାଯାଇ ନଥିବା ବେଳେ ସେମାନଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇ ନଥିଲା। ଏବେ କ୍ରାଇମ୍ବ୍ରାଞ୍ଚ ସେହି ସବୁ ଦିଗରେ ଛାନ୍ଭିନ୍ ଆରମ୍ଭ କରିଛି। ତଦନ୍ତ ପରେ ଚୂଡ଼ାନ୍ତ ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯିବ ବୋଲି ଅତିରିକ୍ତ ଏସ୍ପି ଶ୍ରୀ ମଲ୍ଲିକ କହିଛନ୍ତି। ଶୁକ୍ରବାର ସକାଳୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲା। ବିମାନବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ, ଟର୍ମିନାଲ ମ୍ୟାନେଜର ପ୍ରତାପ ନାମ୍ବିଆର୍ ଓ ମୁଖ୍ୟ ସୁରକ୍ଷା ଅଧିକାରୀ ସୁବାସ ଭୋଇଙ୍କୁ ଘଟଣା ଦିନର ସ୍ଥିତି ସମ୍ପର୍କରେ ପଚରାଉଚରା କରାଯାଇଥିଲା। କେଉଁ ସମୟରେ ନବ ଦାସଙ୍କୁ ଏୟାରଲିଫ୍ଟ କରି ଝାରସୁଗୁଡ଼ା ବିମାନବନ୍ଦରରୁ ନେବା ପାଇଁ ସ୍ଥିର ହୋଇଥିଲା, ସେହି ସମୟରେ ସ୍ବତନ୍ତ୍ର ବିମାନ କେଉଁଠି ଲାଗିଥିଲା, ଏହି ବିମାନ କେତେବେଳେ ପହଞ୍ଚିଲା, କେତେବେଳେ ଉଡ଼ାଣ ଭରିଲା, କିଏ କିଏ ସେତେବେଳେ ଡ୍ୟୁଟିରେ ଥିଲେ ଆଦି ତମାମ୍ ପ୍ରଶ୍ନ ସେମାନଙ୍କୁ ପଚରାଯାଇଥିବା ଜଣାପଡ଼ିଛି।
ମିଳିଲାନି ଇସିଜି ରିପୋର୍ଟ
୧୨ ଜଣଙ୍କ ବୟାନ ରେକର୍ଡ
ଏହାସହିତ ସେମାନଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି। ପରେ କ୍ରାଇମ୍ବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟଣା ଦିନ ଗୁଳିବିଦ୍ଧ ଅବସ୍ଥାରେ ନବ ଦାସଙ୍କ ଇସିଜି ହୋଇଥିଲା। ଏହି ଇସିଜି ରିପୋର୍ଟ କୋର୍ଟରେ ଦାଖଲ ହୋଇ ନଥିବା ବେଳେ ତାହା ଗାଏବ୍ ହୋଇ ଯାଇଥିବା ଅଭିଯୋଗ ହେଉଛି। ତେଣୁ ଏହି ଘଟଣାର ଛାନ୍ଭିନ୍ ପାଇଁ ରେଡିଓଗ୍ରାଫର ସସ୍ମିତା ବାଗଙ୍କୁ କ୍ରାଇମ୍ବ୍ରାଞ୍ଚ ପଚରାଉଚରା କରିଥିଲା। କେଉଁ ପରିସ୍ଥିତିରେ ନବ ଦାସଙ୍କ ଇସିଜି ହୋଇଥିଲା, ସେତେବେଳେ ରିପୋର୍ଟ କ’ଣ ଥିଲା ଓ ଉକ୍ତ ରିପୋର୍ଟ କେଉଁଠି ରହିଛି, ତାହାର ଉତ୍ତର ଖୋଜିଥିଲା କ୍ରାଇମ୍ବ୍ରାଞ୍ଚ। ତେବେ ୩ ଘଣ୍ଟାର ପଚରାଉଚରା ପରେ ବି କ୍ରାଇମ୍ବ୍ରାଞ୍ଚକୁ ଉକ୍ତ ଇସିଜି ରିପୋର୍ଟ ମିଳି ପାରିନଥିବା ଜଣାପଡ଼ିଛି। କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କ ସୂଚନା ଅନୁସାରେ, ସାନି ତଦନ୍ତ ଆରମ୍ଭ ହେବା ପରଠାରୁ ଝାରସୁଗୁଡ଼ାରେ ଅଦ୍ୟାବଧି ମୋଟ ୧୨ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ଏହି ମାମଲାର ସମ୍ପୂର୍ଣ୍ଣ ତଦନ୍ତ ଶେଷ କରିବା ପାଇଁ ଡିଜିଙ୍କ ନିର୍ଦ୍ଦେଶ ରହିଥିବାରୁ କେତେ ଦିନ ଯାଏଁ ଝାରସୁଗୁଡ଼ାରେ କ୍ରାଇମ୍ବ୍ରାଞ୍ଚ ଟିମ୍ କ୍ୟାମ୍ପ କରି ରହିବ, ତାହା କହିବା ସମ୍ଭବ ନୁହେଁ ବୋଲି ତଦନ୍ତକାରୀ ପ୍ରକାଶ କରିଛନ୍ତି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘଟଣା ସମୟରେ ବିଭିନ୍ନ ପରିସ୍ଥିତିରେ ଚର୍ଚ୍ଚିତ ସ୍ଥାନ ଥିବା ଏମ୍ସିଏଲ୍ର ଗେଷ୍ଟହାଉସ୍, ବିମାନବନ୍ଦର ଥାନା ଆଦିରେ ମଧ୍ୟ କ୍ରାଇମ୍ବ୍ରାଞ୍ଚ ଟିମ୍ ପହଞ୍ଚି ଛାନ୍ଭିନ୍ କରିବ।