ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦ‌ାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ସାନି ତଦନ୍ତ ଆରମ୍ଭ ହେବା ପରେ ଅନେକ ନୂଆ ନୂଆ ଦିଗ ଉପରେ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସ ହାତରେ ଗୋଟିଏ ବନ୍ଧୁକ ଥିବା ବେଳେ ବେକରେ ସବୁଜ ରଙ୍ଗର ଗାମୁଛା ପକାଇଥିବା ଜଣେ ଯୁବକ ପୁଲିସ୍‌ର ଗନ୍‌ଫ୍ଲାପ୍‌ରୁ ବନ୍ଧୁକ ଛଡ଼ାଇ ହାତରେ ଧରିଥିବାର ଦୃଶ୍ୟ ଭିଡିଓରେ କଏଦ୍‌ ହୋଇଛି। କିନ୍ତୁ ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌ରେ ଏହି ଦ୍ବିତୀୟ ବନ୍ଧୁକ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ ନଥିବା ବେଳେ ବନ୍ଧୁକ ଧରିଥିବା ବ୍ୟକ୍ତି କିଏ, କାହିଁକି ତାଙ୍କୁ ଗିରଫ କରାଗଲାନି; ସେ ନେଇ କୌଣସି ସୂଚନା ନଥିବା ଗୋପାଳର ଆଇନଜୀବୀ ନରେଶ ନାୟକ କହିଛନ୍ତି। ଏଭଳି ପରିସ୍ଥିତିରେ ଷଡ୍‌ଯନ୍ତ୍ରର ମୂଳରେ ଉକ୍ତ ଦ୍ବିତୀୟ ବନ୍ଧୁକ ରହିଥିଲା କି ବୋଲି ମଧ୍ୟ ଚର୍ଚ୍ଚା ହେଲାଣି। ସେପଟେ, କ୍ରାଇମବ୍ରାଞ୍ଚ ମଧ୍ୟ ଏ ସମ୍ପର୍କରେ ତତ୍କାଳୀନ ଆଇଆଇସି ଓ ଏସ୍‌ଡିପିଓଙ୍କୁ ପଚରାଉଚରା କରିଥିବାର କୌଣସି ରେକର୍ଡ କୋର୍ଟରେ ଜମା ହୋଇନାହିଁ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକଙ୍କୁ ପଚାରିବାରେ, ଆବଶ୍ୟକ ପଡ଼ିଲେ ଉକ୍ତ ୨ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି।

Advertisment

ବନ୍ଧୁକ ଆଇଆଇସିଙ୍କର ନା ଆଉ କାହାର?
କାହିଁକି ଜବତ କରି ନଥିଲା କ୍ରାଇମ୍‌ବ୍ରାଞ୍ଚ?

୨୦୨୩ ମସିହା ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକରେ ନବ ଦାସଙ୍କୁ ଗୁଳିମାଡ଼ କରାଯିବା ବେଳେ ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବାର ଦୃଶ୍ୟ ଭିଡିଓରେ କଏଦ୍‌ ହୋଇଥିଲା। ଠିକ୍‌ ସେହି ସମୟରେ କିଛି ବ୍ୟକ୍ତିଙ୍କ ମୋବାଇଲ୍‌ରେ ଆଉ ଏକ ଦୃଶ୍ୟ ବି କଏଦ୍‌ ହୋଇଥିଲା। ଯେଉଁଠି ତତ୍କାଳୀନ ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଓ ଅନ୍ୟ ପୁଲିସ୍‌ କର୍ମୀ ଗୋପାଳର କଲର ଧରି ତାକୁ କାବୁ କରିଥିବା ବେଳେ ସେହି ଭିଡ଼ ଭିତରୁ ଜଣେ ଯୁବକ ଆଉ ଏକ ବନ୍ଧୁକ ଧରି ବାହାରିବା ସହ ବାହାରେ ତାକୁ ପ୍ରଦର୍ଶନ କରି ବୁଲୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଉକ୍ତ ବନ୍ଧୁକ ସଂପର୍କରେ ପୁଲିସ୍‌ ନିଜ ତଦନ୍ତ ରିପୋର୍ଟରେ କୌଣସି ତଥ୍ୟ ପ୍ରକାଶ କରିନାହିଁ। ପୁଲିସ ଅଭିଯୁକ୍ତ ଗୋପାଳକୁ ଧରିବା ସହ ‌ତା ହାତରେ ଥିବା ବନ୍ଧୁକକୁ ମଧ୍ୟ ଘଟଣାସ୍ଥଳରେ ଜବତ କରିଥିବା ବେଳେ ଅନ୍ୟ ଜଣେ ଯୁବକ ହାତରେ ଧରିଥିବା ବନ୍ଧୁକଟି କାହାର ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ବନ୍ଧୁକଟି ମାମଲାର ଅଭିଯୋଗକାରୀ ତଥା ତତ୍କାଳୀନ ବ୍ରଜରାଜନଗର ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁଙ୍କର ବୋଲି ମଧ୍ୟ ଖୋଦ୍‌ ପୁଲିସ୍‌ ବିଭାଗର ଅଧିକାରୀ ଓ କର୍ମଚାରୀ କହୁଛନ୍ତି। ପ୍ରଥମେ ଭିଡ଼ର ସୁଯୋଗ ନେଇ ଉକ୍ତ ଯୁବକ ତତ୍କାଳୀନ ଥାନାଧିକାରୀ ଶ୍ରୀ ସ୍ବାଇଁଙ୍କ ବନ୍ଧୁକ ଛଡ଼ାଇ ନେଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଆଇଆଇସିଙ୍କ ବନ୍ଧୁକ ଛଡ଼ାଇବା ଘଟଣା ସାମନାକୁ ଆସିଥିଲେ ଶ୍ରୀ ସ୍ବାଇଁଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ହେବା ସହ ନିଲମ୍ବନ ମଧ୍ୟ ହେବାକୁ ପଡ଼ିଥାନ୍ତା। ତେଣୁ ଜାଣିଶୁଣି ଉକ୍ତ ଘଟଣାକୁ ଚପାଇ ଦିଆଯାଇଥିବା ଅଭିଯୋଗ ହେଉଛି। ଦ୍ବିତୀୟରେ, ଯଦି ଉକ୍ତ ବନ୍ଧୁକ ଆଇଆଇସିଙ୍କର ନଥିଲା ତେବେ ତାହା କାହାର ବନ୍ଧୁକ ଥିଲା, ତାକୁ କାହିଁକି ପୁଲିସ୍‌ କି କ୍ରାଇମ୍‌ବ୍ରାଞ୍ଚ ଜବତ କରିନଥିଲେ ତାକୁ ‌ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଯେଉଁ ଯୁବକ ହାତରେ ବନ୍ଧୁକ ଧରିଥିବାର ଭିଡିଓରେ ଦେଖାଯାଉଛି ସେ ଯୁବକକୁ ପୁଲିସ ଗିରଫ କରିନି କି ତାହାର ବୟାନ ବି ରେକର୍ଡ କରାଯାଇନି। ତୃତୀୟରେ ଯଦି ଉକ୍ତ ବନ୍ଧୁକ ପୁଲିସର ନଥିଲା ତେବେ ବନ୍ଧୁକଟି କାହାର ଥିଲା, କାହା ଇଙ୍ଗିତରେ ଉକ୍ତ ଯୁବକ ବନ୍ଧୁକ ଧରିଥିଲେ, ଉକ୍ତ ବନ୍ଧୁକରୁ ଗୁଳି ଫୁଟିଥିଲା ନା ନାହିଁ ତାହାର ବି ଛାନଭିନ୍‌ କରାଯାଇନି। ଚତୁର୍ଥରେ ଯଦି ବନ୍ଧୁକଟି ଗୋପାଳର ଥିଲା ତେବେ ଅନ୍ୟ ଜଣେ ଯୁବକ କିଭଳି ତାକୁ ଛଡ଼ାଇଲା ଓ ପୁଣିଥରେ ସେହି ବନ୍ଧୁକରେ କିଭଳି ଗୋପାଳର ଫିଙ୍ଗରପ୍ରିଣ୍ଟ ଆସିଲା ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। ଏ ପ୍ରସଙ୍ଗରେ କେବଳ ଗୋପାଳକୁ ସାମନାରେ ରଖି ଷଡ୍‌ଯନ୍ତ୍ରକାରୀ ଖସିଯିବାକୁ ଉଦ୍ୟମ କରିଥିବା ନେଇ ଗୋପାଳର ଓକିଲ ଶ୍ରୀ ନାୟକ କହିଛନ୍ତି।