ନବ ଦାସ ହତ୍ୟା ଘଟଣା:ମୁହଁ ଖୋଲିଲେ ଜୀବନ 

ବୁର୍ଲା: ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଗୁଳିମାଡ଼ ଘଟଣାରେ ଆହତ ହୋଇ ଭିମ୍‌ସାର୍‌ରେ ଚିକିତ୍ସିତ ହେଉଥିବା ଜୀବନ ନାଏକ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ସୋମବାର ଦିନ ତାଙ୍କ ଷ୍ଟିଚ୍ ଖୋଲା ଗଲା ପରେ ଆଜି ବିଭାଗୀୟ ମୁଖ୍ୟ ପ୍ରଫେସର ସୌଭାଙ୍ଗିନୀ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ଅପରା୍‌ହଣ ୧ଟା ସମୟରେ ଜୀବନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ୍ କରାଯାଇଥିଲା। ଡିସ୍‌ଚାର୍ଜ୍ ପରେ ନିୟମାନୁଯାୟୀ ତାଙ୍କୁ ମେଡିକାଲ୍ ଫାଣ୍ଡିକୁ ନିଆଯାଇଥିଲା। ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତ୍ୟକ୍ଷଦର୍ଶୀ ଗୋପାଳ ଘଟଣା ଦିନର ସମସ୍ତ ତଥ୍ୟ ରଖିଥିଲେ।

ତାଙ୍କ କହିବା ଅନୁଯାୟୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେବାକୁ ଆସିବା ସମୟରେ ସେ ଅନ୍ୟ ସମର୍ଥକଙ୍କ ସହିତ ସ୍ବାଗତ ପାଇଁ ମଂଚ(ପେଣ୍ଡାଲ) ପାଖରେ ଛିଡ଼ା ହୋଇଥିଲେ। ନବ ବାବୁଙ୍କ ଗାଡ଼ି ପାଖକୁ ଆସିବା ଦେଖି ସେମାନେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗାନ୍ଧୀ ଛକର ଉଭୟ ପଟୁ ରାସ୍ତା ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ସେଥିରେ ଶ୍ରୀ ଦାସ କହିଥିଲେ ଯେ ବ୍ୟବସ୍ଥା ଆଗରୁ କରାଯାଇଛି। ରାସ୍ତାର ଉଭୟ ପଟୁ ଟ୍ରାଫିକ ବନ୍ଦ କରାଯାଇଛି। ନବ ବାବୁ ମଂଚ ପାଖରେ ପହଞ୍ଚିଲା ବେଳେ ଗାଡ଼ିରୁ ଓହ୍ଲାଇବା ସମୟରେ ସେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ସମୟରେ ହଠାତ୍ ପଛପଟୁ ଜୋର୍‌ରେ ଏକ ଶବ୍ଦ

ଶୁଣାଗଲା। ସେ ଦେଖିବା ବେଳକୁ ନବ ବାବୁଙ୍କ ଦେହରେ ଗୁଳି ବାଜିଥିଲା। ତାଙ୍କ ବେକର ପଛପଟେ ମଧ୍ୟ ରକ୍ତସ୍ରାବ ହେଉଥିଲା। ସେ କଷ୍ଟ ଅନୁଭବ କରି ଭୂଇଁରେ ଗଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବିଜେଡି ଜିଲ୍ଲା ସଭାପତି ଜୟନ୍ତ ଦୀକ୍ଷିତଙ୍କ ସହ ଗଙ୍ଗାନଗରର କାଉନସିଲର୍ ରାହୁଲ ପାଣ୍ଡେ ଓ ୱାର୍ଡ ନମ୍ୱର୍ ୩ର  କାଉନସିଲର୍ ଅମିର କୁମ୍ଭାର ପୁଲିସ୍ ଗାଡ଼ିରେ ଝାରସୁଗୁଡ଼ା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରଥମେ ଏକ୍ସ-ରେ କରାଯାଇ ପ୍ରାଥମିକ ଚିକିତ୍ସା ପରେ ପ୍ରାୟ ସନ୍ଧ୍ୟା ୫ଟା ସମୟରେ ବୁର୍ଲା ଭିମ୍‌ସାର୍‌କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଗୁଳି କିଏ କରିଛି ଦେଖିଛ କି ବୋଲି ପଚାରିବାରୁ ସେ କହିଥିଲେ ଯେ ଗୁଳିକାଣ୍ଡ ହଠାତ୍ ହେଲା। ସେ ନବ ବାବୁଙ୍କ ପାଦ ଛୁଇଁବା ପାଇଁ ନଇଁଥିବାରୁ ଗୁଳି କିଏ ମାରିଛି ଠିକ୍‌ରେ ଦେଖିପାରି ନାହାନ୍ତି ବୋଲି ଜୀବନ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ  ୩୦ ତାରିଖ ଦିନ ଜୀବନଙ୍କୁ ଇଏନ୍‌ଟି ବିଭାଗର ମୁଖ୍ୟ ସୌଭାଙ୍ଗିନୀ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସହକାରୀ ପ୍ରଫେସର ସୁଜାତା ପଣ୍ଡା ନିଶ୍ଚେତକ ବିଭାଗର ଡାକ୍ତର ଓ କିଛି ପିଜି ଛାତ୍ରଙ୍କ ସହିତ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର କକ୍ଷରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଗୁଳିର କିଛି ଅଂଶ ତାଙ୍କ ଶରୀରରେ ରହିଯାଇଥିବା ସନ୍ଦେହ କରି ଡାକ୍ତରମାନେ ଏଭଳି ପରୀକ୍ଷା ନିରୀକ୍ଷା କରିଥିଲେ। ମାତ୍ର, ଦୁଇ ଥର ଏକ୍ସ-ରେ ମଧ୍ୟ ସେଭଳି କିଛି ଜଣାନପଡ଼ିବାରୁ ବେକର ପଛପଟେ ହୋଇଥିବା ଘା’କୁ ଡ୍ରେସିଂ କରି ଷ୍ଟିଚ୍ କରାଯାଇଥିଲା। ସୋମବାର ଷ୍ଟିଚ୍ ଖୋଲାଯାଇଥିବା ବେଳେ ଆଜି ତାଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯାଇଛି। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର