ନବଙ୍କ ଦଳ ତ୍ୟାଗ ପରେ କିଏ ଦୁର୍ବଳ ହେବ, କଂଗ୍ରେସ ନା କିଶୋର?

ଝାରସୁଗୁଡ଼ା : ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ କଂଗ୍ରେସ ଦଳ ତ୍ୟାଗ କରି ବିଜେଡିକୁ ଯାଉଥିବା ନେଇ ସ୍ପଷ୍ଟ କରିବା ପ‌ରେ ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ନବ ବିଜେଡି ଆସିବା ପରେ ଦଳୀୟ ଟିକେଟ୍‌ରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କୁଆଡ଼େ ଡିଲ୍‌ ହୋଇଛି।

ଗତ ଦୁଇଟି ନିର୍ବାଚନରେ ନବ କଂଗ୍ରେସ ଟିକଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର କିଶୋର ମହାନ୍ତିଙ୍କଠାରୁ ଅଧିକ ଭୋଟ ପାଇ ବିଜୟୀ ରହିଛନ୍ତି। ଆସନ୍ତା ନିର୍ବାଚନରେ ନବ ଯଦି ବିଜେଡିରୁ ଲଢ଼ିବେ ତେବେ ଝାରସୁଗୁଡ଼ା ବିଜେଡି ରାଜନୀତିରେ ବହୁ ବର୍ଷ ଧରି ମଙ୍ଗ ସମ୍ଭାଳି ଆସିଥିବା କିଶୋର ମହାନ୍ତିଙ୍କୁ କେଉଁ ଆସନ ଦିଆଯିବ ସେ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ କିଶୋର ମହାନ୍ତିଙ୍କ ବହୁ ଦିନର ସୁସଂପର୍କ ଥିବାରୁ ଦଳରେ ତାଙ୍କୁ ଅଣଦେଖା କରାଯିବ ନାହିଁ ବୋଲି ବି ଆଲୋଚନା ‌ହେଉଛି। ଯଦି କିଶୋରଙ୍କୁ ବିଜେଡି ବ୍ରଜରାଜନଗର ଆସନ ଦିଏ ତେବେ ଗତ ନିର୍ବାଚନରେ କଂଗ୍ରେସ ଦଳ ଛାଡ଼ି ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିବା ଅନୁପ ସାଏଙ୍କୁ ଦଳ କେଉଁଠି ଥଇଥାନ କରିବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ, ନବ ଓ କିଶୋରଙ୍କ ମଧ୍ୟରେ ଥିବା ପ୍ରତିସ୍ପର୍ଦ୍ଧା ସେମାନେ ଗୋଟିଏ ଦଳରେ ରହିଲେ ପ୍ରଶମିତ ହେବା ବଦଳରେ ଅଧିକ ଉଗ୍ର ହେବା ଆଶଂକା ଥିବା କୁହାଯାଉଛି। ଲଗାତାର ଦୁଇ ଥର ବିଧାୟକ ହେବା ପରେ ନବ ଦାସ ତାଙ୍କ ନିର୍ବାଚନ ମଣ୍ଡଳୀକୁ ସଜାଡ଼ି ଦେଇଛନ୍ତି। ଗତ ସାଧାରଣ ନିବାର୍ଚନ ଓ ପଞ୍ଚାୟତ ନିର୍ବାଚନରେ ସାରା ରାଜ୍ୟରେ ବିଜେଡି ହାୱା ଥିବାବେଳେ ନବଙ୍କ ନେତୃତ୍ବରେ କଂଗ୍ରେସ ଝାରସୁଗୁଡ଼ାରେ ସଫଳତା ପାଇଥିଲା। ନବ ବିରୋଧୀ ଦଳରେ ଥାଇ ମଧ୍ୟ ଜିଲ୍ଲାର ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସ୍ଥାନୀୟ ବିଜେଡିକୁ ଚକ୍‌ମା ଦେଇ ଆସିଥିବା ବର୍ତ୍ତମାନର ଝାରସୁଗୁଡ଼ା ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ମଧ୍ୟ ବିଶ୍ବାସ ଭାଜନ ହୋଇପାରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ନୂତନ ନିର୍ମାଣ ସ୍ଲୋଗାନ ଦେଇ କାର୍ଯ୍ୟ ଆରମ୍ଭ କରିଥିବା ନବ ଆଗାମୀ ଦିନରେ ଜିଲ୍ଲା ବିଜେଡିର ସମସ୍ତ ନିୟନ୍ତ୍ରଣ ନିଜ କବ୍‌ଜାକୁ ନେବା ଅସମ୍ଭବ ନୁହେଁ। ନବ ଜିଲ୍ଲାରେ ବିଜେଡିର କ୍ଷମତା କେନ୍ଦ୍ର ହେଲେ କିଶୋର ଓ ତାଙ୍କ ସମର୍ଥକ ବେଶୀ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବେ, ଏଥିରେ ସଂଦେହ ନାହିଁ। ଗୋଟିଏ ପଟେ ବିଜେଡିର ଲୋକପ୍ରିୟତା ଓ ଅନ୍ୟପଟେ ନବ ଅନୁଗତ କଂଗ୍ରେସର ସମର୍ଥନ ପରେ ସେ ଆହୁରି ଟାଣୁଆ ହୋଇଯିବା ଆଶା କରାଯାଉଥିବା ବେଳେ ଜିଲ୍ଲାରେ କଂଗ୍ରେସ ଅବସ୍ଥା ଶୋଚନୀୟ ହେବା ଥୟ। ରାଜ୍ୟ କଂଗ୍ରେସର ଅବସ୍ଥା ଯାହା ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ନବଙ୍କୁ ଟକ୍କର ଦେଇ କଂଗ୍ରେସକୁ ସଂଗଠିତ କରି ରଖିବା ଭଳି ବଳିୟାନ ନେତା ଦେଖାଯାଉ ନାହାନ୍ତି। ଝାରସୁଗୁଡ଼ାରେ କଂଗ୍ରେସ ଦଳର ଏକ ବଡ଼ ସମ୍ଭାବନା ଥିଲା। ନବଙ୍କ ଦଳତ୍ୟାଗ ପରେ ଦଳକୁ ଶକ୍ତ ଧକ୍କା ଲାଗିବ ଓ ଦଳ ଦୁର୍ବଳ ହୋଇ ପଡ଼ିବ ଏଥିରେ ସଂଦେହ ନାହିଁ। ତେବେ ନବ କଂଗ୍ରେସ ଛାଡ଼ିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଏଠାରେ କଂଗ୍ରେସ ନେତୃତ୍ବ ନେବେ ବୋଲି ଅନୁମାନ କରାଯାଉଥିବା ବେଳେ ବୟସାଧିକ୍ୟ କାରଣରୁ ଶ୍ରୀ ବିଶ୍ବାଳ କେତେଦୂର ଦଳକୁ ଆଗେଇ ନେଇ ପାରିବେ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ, ଜିଲ୍ଲାର ଏକମାତ୍ର ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ମଧ୍ୟ ବିଜେଡିରେ ଯୋଗ ଦେଉଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

‘ନବ ଗଲେ ଫରକ ପଡ଼ିବନି’

ଭୁବନେଶ୍ବର : କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ଦଳ ଛାଡ଼ି ବିଜେଡିରେ ଯୋଗଦେବା ଖବର ତାଙ୍କ ପାଖରେ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଯଦି ସେ ଏଭଳି ପଦକ୍ଷେପ ନେଉଥାନ୍ତି ସେଥିପାଇଁ ସେ ଦୁଃଖିତ ବୋଲି ପ୍ରକାଶ କରିଥିଲେ। ଏହା ଦ୍ବାରା କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। ଆଜିକାଲି ରାଜନୀତିରେ ଆଦର୍ଶ ନାହିଁ। ବ୍ୟାବସାୟିକ ଫାଇଦା ପାଇଁ କିଛି ନେତା ଏ ଦଳରୁ ସେ ଦଳ ଡେଉଁଛନ୍ତି। ତେବେ ଓଡ଼ିଶାବାସୀ କଂଗ୍ରେସର ନେତୃତ୍ବ ଚାହୁଁଛନ୍ତି। ଆଗାମୀ ନିର୍ବାଚନ ପାଇଁ ଅନ୍ୟ ଦଳଗୁଡ଼ିକ ସହିତ ମେଣ୍ଟ ପାଇଁ ଆଲୋଚନା ହୋଇଛି। କିଛି ଚୂଡ଼ାନ୍ତ ହୋଇନାହିଁ। ଆଗାମୀ ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସାଧାରଣ ସଭା ତମାଣ୍ଡୋ ପଡ଼ିଆରେ ଅନୁଷ୍ଠିତ ହେବ। କନ୍ଧମାଳ ସେବାଶ୍ରମ ଛାତ୍ରୀଙ୍କ ମାତୃତ୍ବ ନେଇ ପିସିସି ସଭାପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ନୈତିକତା ଦୃଷ୍ଟିରେ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦେବାକୁ ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର