ଝାରସୁଗୁଡ଼ା/ହିନ୍ଦୋଳ: ସ୍ବର୍ଗତ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ମାମଲା କଡ଼ ଲେଉଟାଇଛି। ଲଳିତଙ୍କ ବାପା ବେଲାଲସେନ ସାହୁ ନ୍ୟାୟ ଦାବି କରି ପୁଲିସ୍‌କୁ ଚିଠି ଲେଖିବା ପରେ ଝାରସୁଗୁଡ଼ା ପୁଲିସ ପୁନଃ ତଦନ୍ତ ଆରମ୍ଭ କରିଥିବା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌ ସୂଚନା ଦେଇଛନ୍ତି। ଏହି ମାମଲାର ତଦନ୍ତରେ ଅନେକ ତ୍ରୁଟି ରହିଥିବା ନେଇ ଖୋଦ୍‌ ପୁଲିସ ବି ସ୍ବୀକାର କରିଛି। ପୂର୍ବରୁ ମାମଲାର ତଦନ୍ତକାରୀ ଅଧିକାରୀ ଜଣେ ସବ୍‌ଇନ୍ସପେକ୍ଟର ଓ ତଦାରଖ ଦାୟିତ୍ବରେ ଜଣେ ଡିଏସ୍‌ପି ରହିଥିଲେ। ବର୍ତ୍ତମାନ ଜଣେ ଇନ୍ସପେକ୍ଟର ଓ ହେଡ୍‌କ୍ବାର୍ଟର ଅତିରିକ୍ତ ଏସ୍‌ପିଙ୍କୁ ଏହି ଦାୟିତ୍ବ ଦିଆଯାଇଛି ବୋଲି ଝାରସୁଗୁଡ଼ା ଏସ୍‌ପି ସ୍ମିତ୍‌ ପି.ପରମାର କହିଛନ୍ତି। କେବଳ ଯେ ଏହି ଅପମୃତ୍ୟୁ ମାମଲା ନୁହେଁ, ଲଳିତଙ୍କ ସମେତ ଆହୁରି ଅନ୍ୟ ଲୋକଙ୍କର ଭିସେରା ଶବ ବ୍ୟବଚ୍ଛେଦ ଗୃହରୁ ଚୋରି ହୋଇଯିବା ଘଟଣାର ପୁନଃ ତଦନ୍ତ ହେବ ବୋଲି ପୁଲିସ ପକ୍ଷରୁ କହାଯାଇଛି।

Advertisment

ଦିଗହରା ହୋଇଥିଲା ତଦନ୍ତ, ଚୋରି ହୋଇଯାଇଥିଲା ମୃତକଙ୍କ ଭିସେରା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଡେଙ୍ଗବୋରେଇ ଗାଁର ବେଲାଳସେନ୍ ସାହୁଙ୍କ ପୁଅ ଲଳିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନରେ ଘରୋଇ ସହାୟକ ଭାବେ କାମ କରୁଥିଲେ। ସେ ମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷେଇ କରୁଥିଲେ। ୨୦୨୨ ମସିହା ଏପ୍ରିଲ ୧୭ ତାରିଖରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ସେହିଦିନ ସନ୍ଧ୍ୟା ୭ଟା୩୦ ବେଳକୁ ଲଳିତଙ୍କ ମୃତଦେହ ମନ୍ତ୍ରୀଙ୍କ ଝାରସୁଗୁଡ଼ା ବାସଭବନ ପଛପଟେ ଥିବା ଷ୍ଟାଫ୍ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମୃତଦେହ ଘରଭିତରେ ପଙ୍ଖାରୁ ଝୁଲି ରହିଥିବା ଏବଂ ଗୋଡ଼ ତଳେ ଲାଗିଥିବାରୁ ଏହା ଆତ୍ମହତ୍ୟା କି ନୁହେଁ ବୋଲି ସନ୍ଦେହ ପ୍ରକାଶ ପାଇଥିଲା। ଝାରସୁଗୁଡ଼ା ଥାନା ପୁଲିସ୍ ତରବରିଆ ଭାବେ ମୃତଦେହ ଉଦ୍ଧାର କରି ରାତାରାତି ବ୍ୟବଚ୍ଛେଦ କରାଇ ଲଳିତଙ୍କ ଗାଁକୁ ପଠାଇ ଦେଇଥିଲା। ତେବେ କାହିଁକି ସେଦିନ ରାତିଅଧରେ ଶବ ବ୍ୟବଚ୍ଛେଦ କରାଗଲା, ତାହାର ସ୍ପଷ୍ଟ ଉତ୍ତର ସେତେବେଳେ ଦେଇ ପାରିନଥିଲା ପୁଲିସ। ତା’ ପରଦିନ ଲଳିତଙ୍କ ମୃତଦେହ ଦାହ ସଂସ୍କାର ସରିବା ଯାଏଁ ନବ ଦାସଙ୍କ ପାଖ ଲୋକେ ଲଳିତଙ୍କ ଗାଁରେ ଜଗି ରହିଥିଲେ। କୌଣସି ଗଣମାଧ୍ୟମକୁ ଲଳିତଙ୍କ ପରିବାର ପାଖକୁ ଛାଡ଼ି ନଥିଲେ। ଦାହ ସଂସ୍କାର ପରେ ହିଁ ପରିବାର ଲୋକଙ୍କୁ ସମସ୍ତେ ଦେଖା କରି ପାରିଥିଲେ। ଲଳିତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ତଥା ସନ୍ଦେହଜନକ ଥିବା ବେଳେ ପୁଲିସ କିନ୍ତୁ ପ୍ରଥମରୁ ହିଁ ଲଳିତ ଆତ୍ମହତ୍ୟା କରିଥିବା କହିଥିଲା। ଏହା ଉପରାନ୍ତ ସବୁଠୁ ଚକିତ କଥାଟି ଥିଲା, ଘଟଣାର ୮ ମାସ ପରେ ଝାରସୁଗୁଡ଼ା ଶବ ବ୍ୟବଚ୍ଛେଦ ଗୃହରୁ ଲଳିତଙ୍କ ଭିସେରା ଚୋରି। ଯାହାକି ସେହି ସମୟରେ ଝାରସୁଗୁଡ଼ା ଥାନାଧିକାରୀ ଦାୟିତ୍ବରେ ଥିବା ଆଇଆଇସି ସାବିତ୍ରୀ ବଳଙ୍କ ଭୂମିକାକୁ ସନ୍ଦେହଘେରକୁ ଆଣିଥିଲା। 

ଲଳିତଙ୍କ ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇଥିବା ତାଙ୍କ ସମ୍ପର୍କୀୟମାନଙ୍କଠାରୁ ଝାରସୁଗୁଡ଼ା ପୁଲିସ୍ ବିଭିନ୍ନ କାଗଜରେ ଦସ୍ତଖତ କରାଇ ନେଇଥିବା ଲଳିତଙ୍କ ବାପା ବେଲାଲସେନ୍‌ ଅଭିଯୋଗ କରିଛନ୍ତି। କେଉଁ କାରଣରୁ ଲଳିତ ଆତ୍ମହତ୍ୟା କଲେ ତାହା ଆଜିଯାଏଁ ସ୍ପଷ୍ଟ ହୋଇନାହିଁ କି ଲଳିତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପରିବାରକୁ ଦିଆଯାଇନାହିଁ। ଆସନ୍ତା ଏପ୍ରିଲ୍ ମାସ ୧୭ ତାରିଖରେ ଲଳିତଙ୍କ ମୃତ୍ୟୁକୁ ୩ ବର୍ଷ ପୂରିବ। ଲଳିତଙ୍କ ବାପା ବେଲାଲସେନ୍ ସାହୁ ପୁଅ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପ୍ରକୃତ ତଦନ୍ତ ହେଲେ ସତ୍ୟ ସାମନାକୁ ଆସିବ ବୋଲି ସେ କହିଛନ୍ତି।