ପୁରୀ: ୧୩ ଦିନିଆ ଅଣସର ନୀତି କାରଣରୁ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ ରହିବ। ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ଏହିଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଉଭୟ ଅଣସର ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ଶୃଙ୍ଖଳା ପାଇଁ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏପରିକି ଶ୍ରୀଗୁଣ୍ଡିଚା ଯାତ୍ରା ପହଣ୍ଡି ଦର୍ଶନରେ ବି କଟକଣା ଲଗାଯାଇଛି। ଚଳିତ ବର୍ଷ ପହଣ୍ଡି ଟିକେଟ୍ ବିକ୍ରି ହେବନାହିଁ। କେବଳ ନୀତିସମ୍ପୃକ୍ତ ସେବକ ପହଣ୍ଡି ବେଳେ ଶ୍ରୀମନ୍ଦିରକୁ ଯାଇପାରିବେ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବେ ବୋଲି କମିଟି ନିଷ୍ପତ୍ତି ନେଇଛି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ୧୫ ଦିନ ଅଣସରକାଳୀନ ଗୁପ୍ତ ନୀତି ଅନୁଷ୍ଠିତ ହେବାକଥା। କିନ୍ତୁ ଦିନ କ୍ଷୟ କାରଣରୁ ଚଳିତବର୍ଷ ୧୩ ଦିନିଆ ଅଣସର ନୀତି ଅନୁଷ୍ଠିତ ହେବ। ଶେଷଥର ୧୯୭୧ ମସିହାରେ ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅଣସର ନୀତି ହୋଇଥିଲା। ୫୩ ବର୍ଷ ପରେ ଚଳିତବର୍ଷ ୧୩ ଦିନିଆ ଅଣସର ନୀତି ପଡ଼ୁଛି। ଯେଉଁଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସେହିଦିନ ଉଭାଯାତ୍ରା ଓ ନବଯୌବନ ଦର୍ଶନ। ଏଣୁ ସମୟ ଅଭାବ କାରଣରୁ ଅଣସରକାଳୀନ ଗୁପ୍ତ ନୀତି ଓ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି କିଭଳି ଶୃଙ୍ଖଳିତ ହୋଇପାରିବ ସେ ଉପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଆବଶ୍ୟକ ମତ ଓ ପ୍ରସ୍ତାବ ପରେ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ବିକ୍ରି ହେବନି ପହଣ୍ଡି ଟିକେଟ୍
ଜୁଲାଇ ୭ରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ
ପହଣ୍ଡି ବେଳେ ନୀତିସମ୍ପୃକ୍ତ ସେବକଙ୍କୁ ଅନୁମତି
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତ କହିଛନ୍ତି, ଯେହେତୁ ଶ୍ରୀଗୁଣ୍ଡିଚା ଯାତ୍ରା ଓ ନବଯୌବନ ଦର୍ଶନ ଗୋଟିଏ ଦିନରେ ପଡ଼ୁଛି, ସେଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କେହି ବି ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ ନାହିଁ। କେବଳ ଶ୍ରୀମନ୍ଦିର ପ୍ରଶାସନର ଅଧିକୃତ ଅଧିକାରୀ, ନୀତି ସମ୍ପୃକ୍ତ ସେବକ ଏହିଦିନ ଶ୍ରୀମନ୍ଦିରକୁ ଯାଇପାରିବେ। ନୀତି ଶୃଙ୍ଖଳା ପାଇଁ ଚଳିତବର୍ଷ ପହଣ୍ଡି ଟିକେଟ୍ ବିକ୍ରି ବାତିଲ୍ କରାଯାଇଛି। ନୀତି ସମ୍ପୃକ୍ତ ସେବକଙ୍କୁ ନିଜ ପାଳି ସମୟର ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିରରେ ଉପସ୍ଥିତ ରହିବାକୁ କୁହାଯାଇଛି। ଯଦ୍ବାରା ନୀତି ଆରମ୍ଭ ହେବା ବେଳକୁ କାହାକୁ ଖୋଜିବାକୁ ପଡ଼ିବନି ଓ ନୀତି ବିଳମ୍ବ ହେବନି। ପହଣ୍ଡି ବେଳେ ସେବାୟତ ପରିବାରର ମହିଳା ଓ ପୁରୁଷ ସଦସ୍ୟ ଶ୍ରୀମନ୍ଦିର ବେଢ଼ାରେ ରହି ପାରିବେ, କିନ୍ତୁ ନୀତି ସମୟରେ ଶ୍ରୀମନ୍ଦିର ଭିତରକୁ ଯିବେନି କି ବିଘ୍ନ ଘଟାଇବେନି। ଜୁଲାଇ ୭ ତାରିଖରେ ଅପରାହ୍ଣ ୫ଟାରେ ରଥ ଟାଣିବାକୁ ନିଷ୍ପତ୍ତି ହୋଇଛି। ବାକି ସବୁ ମହାପ୍ରଭୁଙ୍କ ଇଚ୍ଛା ବୋଲି ଶ୍ରୀ ପୂଜାପଣ୍ଡା ସାମନ୍ତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/naba-jaubana-besa.jpg)