ପୁରୀ: ୨୦୧୫ ନବକଳେବର ସମୟରେ ନୂଆ ରୂପ ପାଇଥିଲା ଶ୍ରୀକ୍ଷେତ୍ର ପୁରୀ। ପ୍ରଥମ ଥର ନବକଳେବରରେ ବିକାଶ ପାଇଁ ମିଳିଥିଲା ହଜାରେ କୋଟି ଟଙ୍କାର ଅନୁଦାନ। ରାସ୍ତାଘାଟଠାରୁ ଆରମ୍ଭ କରି କୋଠାବାଡ଼ି, ବିଜୁଳି, ପାନୀୟ ଜଳ, ପର୍ଯ୍ୟଟନ, ସବୁକ୍ଷେତ୍ରର ବିକାଶ, ଏହି ହଜାରେ କୋଟି ଟଙ୍କା ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ସମୟ ଗତିରେ ଏହି ହଜାରେ କୋଟିର ପ୍ରକଳ୍ପ ଆଜି ନିଶ୍ଚିହ୍ନ ହୋଇଗଲାଣି। କାଁ ଭାଁ ଯେଉଁ ପ୍ରକଳ୍ପ ସ୍ମୃତିଚିହ୍ନ ଭାବେ ରହିଛି, ତାହା ଅଲୋଡ଼ା ଅବସ୍ଥାରେ ପଡ଼ିଛି। ସଂକ୍ଷେପରେ କହିବାକୁ ଗଲେ ଏସବୁ ଅର୍ଥ ବରବାଦ୍ ହୋଇଯାଇଛି।

Advertisment

ଯାତ୍ରୀମାନଙ୍କ ଯାତାୟାତ ସୁବିଧା ପାଇଁ ମାଳତୀପାଟପୁରଠାରେ ପ୍ରଥମ ଥର ଏକ ନୂଆ ବସଷ୍ଟାଣ୍ଡ୍‌ ନିର୍ମାଣ କରାଯାଇଥିଲା। ୭୩.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସଷ୍ଟାଣ୍ଡରେ ସଂପୂର୍ଣ୍ଣ ଅତ୍ୟାଧୁନିକ ସୁବିଧା ରହିଥିଲା। ୧ହଜାର ବସ ରହିବା ସୁବିଧା ସହ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ, ନିରନ୍ତର ବିଦ୍ୟୁତ୍‌ ସେବା, ବ୍ୟାପକ ପୁଲିସ ସୁରକ୍ଷା, ସିସିଟିଭି କ୍ୟାମେରା, ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ୍‌ ଶୌଚାଳୟ ଓ ସ୍ନାନାଗାର, ସ୍ବତନ୍ତ୍ର ମହିଳା ପ୍ରତୀକ୍ଷାଳୟ, ଭୋଜନାଳୟ, ଜିନିଷପତ୍ର ରଖିବାର ସ୍ବତନ୍ତ୍ର ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ସେବା, ଦୋକାନ ଘର, ଏଟିଏମ କାଉଣ୍ଟର, ଯାତ୍ରୀ ସୂଚନା କେନ୍ଦ୍ର ଆଦିର ବ୍ୟବସ୍ଥା କରାଯାଇଥିଲା। ବସଷ୍ଟାଣ୍ଡ୍‌କୁ ମାଳତୀପାଟପୁର ରେଳ ଷ୍ଟେସନ୍‌ରୁ ଓଭର ହେଡ୍‌ ପାଥୱେ ବି ନିର୍ମାଣ କରାଯାଇଥିଲା। ବସ୍‌ଷ୍ଟାଣ୍ଡ୍‌ ଓ ପାଥ୍‌ୱେକୁ ମିଶାଇଲେ, ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ ହେଲା ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଲୋକଙ୍କ ସେବାରେ ଲାଗିପାରିନି। ଏବେ ବି ପୁରୀ ମ୍ୟୁନିସିପାଲିଟି ବସଷ୍ଟାଣ୍ଡ୍‌କୁ ସବୁ ଗାଡ଼ି ଯାଆସ କରୁଛି। କେବଳ ବାହାର ରାଜ୍ୟରୁ ଆସୁଥିବା ଟୁରିଷ୍ଟ ବସ ଏଠାରେ ପାର୍କିଂ ହେଉଛି। ଯାତ୍ରୀ ନ ଆସିବାରୁ କ୍ରମେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ଅନେକ ଭାଙ୍ଗିରୁଜି ଗଲାଣି।

ସେହିଭଳି ୭୦ ଲକ୍ଷ ଟଙ୍କାରେ ପୁରୀରେ ଟ୍ରାଫିକ୍‌ କଣ୍ଟ୍ରୋଲ ରୁମ ଓ ବାରାକ୍‌ ବ୍ୟବସ୍ଥା ହେଲା। ଏହି ଭିତ୍ତିଭୂମି ଇତିମଧ୍ୟରେ ଉଜୁଡ଼ିଯାଇଛି। ସ୍ବାସ୍ଥ୍ୟସେବା ସୁଦୃଢ଼ୀକରଣ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୭.୬୪ କୋଟି ଟଙ୍କାରେ ୭ ମହଲା ବିଶିଷ୍ଟ ୧୦୦ ଶଯ୍ୟାର ଅତ୍ୟାଧୁନିକ ମାତୃ ଓ ଶିଶୁ ଚିକିତ୍ସାଳୟ, ଯକ୍ଷ୍ମା ଓ ସଂକ୍ରାମକ ରୋଗ ଚିକିତ୍ସାଳୟ ପରିସରରେ ଚିକିତ୍ସା ପାଇଁ ୬.୫୮ କୋଟି ଟଙ୍କାରେ ଅତିରିକ୍ତ ୨ଶହ ଶଯ୍ୟା ବ୍ୟବସ୍ଥା କରାଯାଇଥିଲା। ମାତୃ ଓ ଶିଶୁ ଚିକିତ୍ସାଳୟରେ ସର୍ବଦା ଲିଫ୍ଟ ଅଚଳ ସହ ଅନ୍ୟାନ୍ୟ ଅସୁବିଧାରେ ଗର୍ଭବତୀ ମହିଳାମାନେ କଲବଲ ହେଉଛନ୍ତି। ସେପଟେ ଯକ୍ଷ୍ମା ଚିକିତ୍ସାଳୟର ଅତିରିକ୍ତ ୨ଶହ ଶଯ୍ୟା ୫ ବର୍ଷ ବିନା ରୋଗୀ ସେବାରେ ପଡ଼ି ରହିବା ପରେ ଏବେ କୋଭିଡ୍‌ ରୋଗୀଙ୍କ ସେବାରେ ଲଗାଯାଇଛି। ପୁରୀ ସହରର ଜଳ ନିଷ୍କାସନ ନିମନ୍ତେ ୬ କୋଟି ୨୯ ଲକ୍ଷ ୮ହଜାର ଟଙ୍କା ବ୍ୟୟରେ ବାଙ୍କି ମୁହାଣରେ ଜଳ ବିଶୋଧନ ପ୍ରକଳ୍ପ ସହ ୧୯କୋଟି ୧୩ଲକ୍ଷ ୮୨ହଜାର ଟଙ୍କାରେ ପୁରୀ ସହରର ୧୧ହଜାର ୬୧୭ ମିଟର ଡ୍ରେନ୍‌ ନିର୍ମାଣ କରାଯାଇଥିଲା। କିନ୍ତୁ ସାମାନ୍ୟ ବର୍ଷାରେ ନାଳ ପାଣି ରାସ୍ତାରେ ଲହଡ଼ି ମାରୁଛି। ଜାତୀୟ ରାଜପଥ ଓ ପୁରୀ ସହରକୁ ସଂଯୋଗ କରୁଥିବା ରାସ୍ତାରେ ୧୬ଟି ସ୍ଥାନରେ ୨ହଜାର ଲିଟରର ବିଶିଷ୍ଟ ଅସ୍ଥାୟୀ ପାଣି ଟାଙ୍କି, ୫୦ଟି ନଳକୂପ, ୮୦ଟି ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଇଥିଲା। ଏହାର ଚିହ୍ନବର୍ଣ୍ଣ ନାହିଁ। ପୁରୀ ବାଇଦାସ ନଗରଠାରୁ ମାଳତୀପାଟପୁର ଆଡ଼କୁ ଓ ବାଟଗାଁ-ମଙ୍ଗଳାଘାଟ ଦେଇ ହୋଟେଲ ଷ୍ଟର୍ଲିଂ ରୋଡ୍‌ ପର୍ଯ୍ୟନ୍ତ ୧.୧୯ କୋଟି ଟଙ୍କା ବ୍ୟୟରେ ୧୧ କେଭି ଲାଇନ୍‌ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା।

ପ୍ରାୟ ୧ ଲକ୍ଷ ଟଙ୍କାରେ ଷ୍ଟର୍ଲି ରୋଡ୍‌ଠାରୁ ହଂସ କୋକୋପାମ୍‌ ପର୍ଯ୍ୟନ୍ତ ପରିବେଶ ଅନୁକୂଳ ସଡ଼କ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ୮୮ ଲକ୍ଷ ଟଙ୍କାରେ ବଡ଼ଦାଣ୍ଡରେ ଉଚ୍ଚ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ୩୦ଟି ପ୍ରମୁଖ ପାର୍କିଂ ସ୍ଥଳୀରେ ୪ କୋଟି ୯ଲକ୍ଷ ଟଙ୍କାରେ ଏଲ୍‌ଇଡି ଲାଇଟିଂ, ହାଇମାସ୍କ ଟାୱାର ସ୍ଥାପନ କରାଯାଇଥିଲା। ବାଟଗାଁଠାରୁ ମଙ୍ଗଳାଘାଟ ଦେଇ ହୋଟେଲ ଷ୍ଟର୍ଲିଂ ପର୍ଯ୍ୟନ୍ତ ୭୩ କୋଟି ଟଙ୍କା ବ୍ୟୟରେ ଏଲ୍‌ଇଡି ଲାଇଟିଂ ବ୍ୟବସ୍ଥା କରାଯାଇଥିଲା। ଏଥିସହ ୩.୭୨ କୋଟି ଟଙ୍କାରେ ସମୁଦ୍ରକୂଳ, ଚକ୍ରତୀର୍ଥ ରୋଡ୍‌, ଭିଆଇପି ରୋଡ୍‌ରେ ଦାମୀ ଏଲ୍‌ଇଡି ଲାଇଟ୍‌ ଲାଗିଥିଲା। ଏହି ଆଲୋକୀକରଣ ବ୍ୟବସ୍ଥା ଫେଲ୍‌ ମାରିଥିବାରୁ ସବୁଠି ଏବେ ଅନ୍ଧକାର ରାଜୁତି। ୧.୬୭ କୋଟି ଟଙ୍କାରେ ପୁରୀର ତାଳବଣିଆ ଓ ଅନ୍ୟାନ୍ୟ ସ୍ଥାନରେ ନିର୍ମାଣ ଶୌଚାଳୟର ଚିହ୍ନବର୍ଣ୍ଣ ନାହିଁ। ନବକଳେବର ସମୟରେ ଅଠରନଳା ଉନ୍ନତୀକରଣ ପାଇଁ ୧.୩୨ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ଏହି ଉନ୍ନତୀକରଣ ପ୍ରକଳ୍ପ ତ ଉଜୁଡ଼ି ଯାଇଛି, ଏହାସହ ଅଠରନଳା ଉନ୍ନତୀକରଣ ନାଁରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ନବକଳେବର ସମୟରେ ମିଳିଥିବା ଏକ ହଜାର କୋଟି ଟଙ୍କା ବରବାଦ ହେବା ପରେ ଏବେ କେବଳ ଠିକାଦାର ପୋଷା ନୀତି ଚାଲିଛି।