ଭୁବନେଶ୍ବର : ୟୁକ୍ରେନ୍ରେ ଓଡ଼ିଶାର ୪୭୦ଜଣ ଛାତ୍ରଛାତ୍ରୀ ମେଡିକାଲ ପଢ଼ୁଛନ୍ତି। ଋଷ ଓ ୟୁକ୍ରେନ୍ ଯୁଦ୍ଧ ପାଇଁ ସେମାନଙ୍କର ଭବିଷ୍ୟତ ଏବେ ଅନ୍ଧାରରେ। ନିକଟରେ ଏହି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି କିଭଳି ସେମାନଙ୍କର ପାଠପଢା ଜାରି ରହିବ ତାହା ଉପରେ ଆଲୋଚନା କରିଥିଲେ। ଏହାସହ ୟୁକ୍ରେନ୍ ଫେରନ୍ତା ଓଡ଼ିଶାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଆଧାର କରି ୟୁକ୍ରେନ୍ରେ ପଢ଼ୁଥିବା ଏହି ମେଡିକାଲ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବା ସହିତ ସମାଧାନର ବାଟ ସ୍ଥିର କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।
ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୟୁକ୍ରେନ୍ରେ ଯୁଦ୍ଧର ଭୟାବହତା ସମୟରେ କେନ୍ଦ୍ର ସରକାର ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ନିରାପଦ ଭାବେ ଉଦ୍ଧାର କରି ଫେରାଇ ଆଣିବା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ନିକଟ ଭବିଷ୍ୟତରେ ଯୁଦ୍ଧ ସ୍ଥିତିରେ କୌଣସି ପ୍ରକାର ପରିବର୍ତନ ହେବା ନଜର ଆସୁନାହିଁ। ତେଣୁ ମାନବିକତାର ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରାଯାଉ ବୋଲି ସେ କହିଛନ୍ତି।