ଭୁବନେଶ୍ୱର : ରାଜ୍ୟ ସରକାର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ନବ କୁମାର ନାୟକଙ୍କୁ ରାଜ୍ୟର ପରବର୍ତ୍ତୀ ନିର୍ବାଚନ କମିସନ ଭାବେ ନିଯୁକ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ଅଫିସର ତଥା ରାଜ୍ୟ ନିର୍ବାଚନ କମିସନ ରବି ନାରାୟଣ ସେନାପତି ୬୫ ବର୍ଷ ବୟସ ହେବା କାରଣରୁ ଗତ ନଭେମ୍ବର ୮ ତାରିଖରୁ ଅବସର ନେଇସାରିଥିଲେ। ମାତ୍ର ନିୟମତଃ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାହାକୁ ନିଯୁକ୍ତି ଦେଇନଥିବା ପରିପ୍ରେକ୍ଷୀରେ ସେ ଦାୟିତ୍ୱରୁ ଅବ୍ୟାହତି ନେଇନଥିଲେ। ୨୦୧୪ ଅଗଷ୍ଟରେ ଶ୍ରୀ ସେନାପତିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ।

Advertisment

ଅନ୍ୟପକ୍ଷରେ ନୂଆ ରାଜ୍ୟ ନିର୍ବାଚନ କମିସନ ଶ୍ରୀ ନାୟକ ପୁରୀ, ମୟୂରଭଂଜ ଭଳି ଜିଲ୍ଲାର ଜିଲ୍ଲାପାଳ ଥିଲେ ଓ ରାଜ୍ୟର ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଅବସର ପରେ ସରକାର ତାଙ୍କୁ ପ୍ରଥମେ ଷ୍ଟାଫ୍‌ ସିଲେକ୍ସନ କମିସନରେ ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ। ଏବେ ସେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଓଏସ୍‌ଡି ଭାବେ କାର୍ଯ୍ୟରତ ଅଛନ୍ତି। ମାତ୍ର ବିଡ଼ମ୍ବନାର କଥା ହେଲା, ଶ୍ରୀ ନାୟକ ମଧ୍ୟ ଆସନ୍ତାବର୍ଷ ମାର୍ଚ୍ଚରେ ଅବସର ନେବେ।

ଉଲ୍ଲେଖଥାଉକି, ସେପ୍‌ଟେମ୍ବରରୁ ଡିସେମ୍ବର ମଧ୍ୟରେ ରାଜ୍ୟର ତିନି ମହାନଗର ସମେତ ୯୦ଟି ପୌରପାଳିକା ଓ ଏନ୍‌ଏସି ଆଦି ନିର୍ବାଚନ ରହିଛି। ନିର୍ବାଚନ ହେବ କି ନାହିଁ, ତାହାକୁ ନେଇ ଯଦିଓ ଦ୍ୱନ୍ଦ୍ୱ ରହିଛି, ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏପରିସ୍ଥଳେ ଶ୍ରୀ ନାୟକଙ୍କ ନିଯୁକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।