ନବନିର୍ମାଣ ସଂଗଠନର ଗଣତନ୍ତ୍ର ଅଧିକାର ଯାତ୍ରା

ଭୁବନେଶ୍ବର : ଚାଷୀଙ୍କ ହକ୍ ପାଇଁ ଲଢ଼େଇ କରୁଥିବା ନବନିର୍ମାଣ କୃଷକ ସଂଗଠନକୁ ଆନ୍ଦୋଳନ କରିବାକୁ ବାରମ୍ବାର ରୋକାଯାଉଛି। ଚାଷୀଙ୍କ ଦାବି ପୂରଣ ନ ହେଲେ ଗାଁରେ ଭୋଟ ବାକ୍ସ ବସାଇ ଦିଆଯିବ ନାହିଁ ବୋଲି ଚାଷୀ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଏହି ମର୍ମରେ ନିର୍ବାଚନ ଅଧିକାରୀଙ୍କ ନିକଟକୁ ସଂଗଠନ ଭେଟିବା ପାଇଁ ଯାଇଥିଲେ ହେଁ ସାକ୍ଷାତ କରିବାକୁ ଦିଆଗଲା ନାହିଁ। ପୁଲିସ ମାଧ୍ୟମରେ ଚାଷୀମାନଙ୍କୁ ଗିରଫ କରାଗଲା। ୧୧ତାରିଖରେ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ରାଜଭବନ ସମ୍ମୁଖରେ ଧାରଣା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ସମେତ ୨୬ଜଣଙ୍କୁ ଗିରଫ କରାଗଲା। ତେଣୁ ଏହାର ପ୍ରତିବାଦରେ ସେ ଅନଶନ ଜାରି ରଖିଛନ୍ତି। ଆସନ୍ତା ମାସ ୨୯ତାରିଖରେ ନିର୍ବାଚନ ଶେଷ ହେଉଥିବା ବେଳେ ଏହାର ପରଦିନ ନବନିର୍ମାଣ କୃଷକ ସଂଗଠନ ନିଜର ଇସ୍ତହାର ଜାରି କରିବ ବୋଲି ସୂଚନା ଦିଆଯାଇଛି।

ଆଜି ଉତ୍କଳ ସମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ କୁମାର କହିଲେ, ନିର୍ବାଚନରେ ଅସହଯୋଗ କରିବା ପାଇଁ ସଂଗଠନ ପୂର୍ବରୁ ନିଷ୍ପତ୍ତି ନେଇଥିଲା। ଏହି ପ୍ରକ୍ରିୟାକୁ ଜୋରଦାର କରିବା ଉଦ୍ଦେଶ୍ୟରେ ଗାଁମାନଙ୍କରେ ଚାଷୀ ସଭା ଆୟୋଜନ କରାଯାଉଛି। ଗତ ୨ତାରିଖରୁ ନୟାଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଗଣତନ୍ତ୍ର ଅଧିକାର ଯାତ୍ରା ୧୪ଟି ଜିଲ୍ଲା ଅତିକ୍ରମ କରି ସୁନ୍ଦରଗଡ଼ରେ ପହଞ୍ଚିଛି। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ। ସଂଗଠନ ନିଜର ଇସ୍ତହାର ଜାରି କରିବା ପରେ କେଉଁ ରାଜନୈତିକ ଦଳମାନେ ଏହାକୁ ସମର୍ଥନ କରୁଛନ୍ତି ତାହାକୁ ଲକ୍ଷ୍ୟ ରଖାଯିବ ବୋଲି ଶ୍ରୀ କୁମାର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ-ସଂଯୋଜକ ନିମାଇଁ ରାୟ, ରଶ୍ମିରଂଜନ ସ୍ବାଇଁ, କାଶୀନାଥ ସ୍ବାଇଁ ଓ ମନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର