‘ଚାଷୀକୁଳ ତାତିଲେ ପରିସ୍ଥିତି ଅସମ୍ଭାଳ ହେବ’

ଘଟଗାଁରେ ନବନିର୍ମାଣ କୃଷକ ସଙ୍ଗଠନର ବିଶାଳ ଚାଷୀ ସମାବେଶ

କୃଷକଙ୍କୁ ଉତ୍ପାଦିତ ସାମଗ୍ରୀର ଉଚିତ୍‌ ମୂଲ୍ୟ ଦେଉ କେନ୍ଦ୍ର
ଚାଷୀଙ୍କୁ ସର୍ବନିମ୍ନ ୫ହଜାର ଟଙ୍କା ଦେଉ ରାଜ୍ୟ

ଘଟଗାଁ/କେନ୍ଦୁଝର : କୃଷକଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଉଚିତ୍‌ ମୂଲ୍ୟ ପ୍ରଦାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ। କୃଷକଙ୍କୁ ସର୍ବନିମ୍ନ ୫ ହଜାର ଟଙ୍କାର ପେନସନ୍‌ ରାଜ୍ୟ ସରକାର ଦିଅନ୍ତୁ ଏବଂ ସରକାରୀ ବାବୁମାନେ କୃଷକମାନଙ୍କୁ ଉଚିତ ସମ୍ମାନ ଦିଅନ୍ତୁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କର ଏହି ଦାବି ଆଗାମୀ ନିର୍ବାଚନ ପୂର୍ବରୁ ପୂରଣ କରିବା ଦିଗରେ ପଦକ୍ଷେପ ନ ନେଲେ ଚାଷୀକୁଳ ଏହାର ଉଚିତ୍‌ ଜବାବ ଦେବେ ବୋଲି ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଚେତାବନୀ ଦେଇଛନ୍ତି।

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ତାରିଣୀ ପୀଠ ଘଟଗାଁରେ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଏବଂ ପେନ୍‌ସନ୍‌ ଦାବିରେ ମା ତାରିଣୀଙ୍କ ମନ୍ଦିର ନିକଟସ୍ଥ ଶାଳ ଜଙ୍ଗଲରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଘଟଗାଁ ବଜାର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା। ବିକ୍ଷୋଭ ଶୋଭଯାତ୍ରାରେ ହଜାର ହଜାର ଚାଷୀ ସାମିଲ ହୋଇ ସରକାରୀ ବିରୋଧୀ ସ୍ଳୋଗାନ ଦେବା ସହ ସେମାନଙ୍କୁ ଉଚିତ ମୂଲ୍ୟ, ସମ୍ମାନ ଓ ପେନସନ୍‌ ଦେବାକୁ ଦାବି କରିଥିଲେ।

ଘଟଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସମାବେଶରେ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଥିଲେ, ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କୃଷକଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କୁହାଯାଇଥିଲା। କିନ୍ତୁ ଆଜି ଯାଏ ତାହା ପୂରଣ ହୋଇ ପାରିନାହିଁ। ଆସନ୍ତା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କୃଷକଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍‌ ମୂଲ୍ୟ ପ୍ରଦାନ କରନ୍ତୁ। ସେହିପରି ରାଜ୍ୟ ସରକାର ମଧ୍ୟ କୃଷକଙ୍କ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। କୃଷକଙ୍କୁ ସର୍ବନିମ୍ନ ପେନସନ୍‌ ୫ ହଜାର ଟଙ୍କା ଦେବା ସହିତ ରାଜ୍ୟ ସରକାରୀ କର୍ମଚାରୀମାନେ କୃଷକଙ୍କୁ ଉଚିତ ସମ୍ମାନ ଦିଅନ୍ତୁ। ଅନ୍ୟଥା ଚାଷୀକୁଳ ତାତିଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଥିଲେ।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ, କୃଷକଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇଛି। ଆଗକୁ ଏହି ଆନ୍ଦୋଳନ ବ୍ୟାପକ ହେବ ବୋଲି ସେ କହିଥିଲେ। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ, ଯେ ପର୍ଯ୍ୟନ୍ତ ଚାଷୀଙ୍କ ଦାବି ପୂରଣ ଦିଗରେ ସରକାର ଆନ୍ତରିକତା ଦେଖାଇ ନାହାନ୍ତି ସେ ପର୍ଯ୍ୟନ୍ତ ପଲ୍ଲୀରୁ ଦିଲ୍ଲୀ ଯାଏ ଆନ୍ଦୋଳନକୁ ଜୋର୍‌ଦାର କରାଯିବ। ସମଗ୍ର ସମାଜକୁ ଚାଷୀକୁଳ ଖାଦ୍ୟ ଯୋଗାଉଥିବା ବେଳେ ଚାଷୀଙ୍କର କିନ୍ତୁ ପେଟ ପୁରୁନି। ଏ ଦିଗରେ ସରକାର ତତ୍ପରତା ପ୍ରକାଶ ନ କଲେ ଆଗକୁ ସମସ୍ୟା ବଢିବ ବୋଲି ସେ ସତର୍କ କରାଇ ଦେଇଥିଲେ।

ସେହିପରି ସଂଗଠନର ଜିଲ୍ଲା ସଂଯୋଜକ ସେକ୍‌ ମୋବିନ୍‌ କହିଥିଲେ, ଘଟଗାଁ ବ୍ଲକର କୃଷି ଅଧିକାରୀ ଦୀର୍ଘ ୩୦ ବର୍ଷ ଧରି ଏଠାରେ ଗାଦି ମାଡି ବସିଛନ୍ତି। କେବଳ ରାଜନୈତିକ ଛତ୍ରଛାୟା ତଳେ ରହି ନିଜର ସ୍ୱାର୍ଥପୂରଣ କରୁଥିବା ବେଳେ କୃଷକଙ୍କ କଥା ସଂପୂର୍ଣ୍ଣ ଭୁଲି ଯାଇଛନ୍ତି। ସରକାର ତୁରନ୍ତ ଏଭଳି କୃଷି ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବା ସହିତ ଘଟଗାଁ ବ୍ଲକର ଜାମୁପଶି ପଞ୍ଚାୟତରେ ୬୦ ଲକ୍ଷ ଟଙ୍କାର ରାସ୍ତା କାମ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ସେ ଦାବି କରିଥିଲେ। ଏହି ଅବସରରେ ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସା’ଙ୍କୁ କୃଷକମାନଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ, ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ଜିଲ୍ଲା ସହ ସଂଯୋଜକ ଉଗ୍ରସେନ ନାଏକ, ତେଲକୋଇ ବ୍ଲକ ସଂଯୋଜକ ଇନ୍ଦ୍ରମଣି ବିଶ୍ୱାଳ, ପାଟଣା ବ୍ଳକ ସଂଯୋଜକ ବିଳାସିନୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ ଦାବି ପୂରଣ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର