ନବନିର୍ମାଣ କୃଷକ ସଂଗଠନର ଦାବି : ‘କାଳିଆ’ପୁରୁଣା ଯୋଜନାରେ ନୂଆ ଘୋଷଣା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଘୋଷଣା ହୋଇଥିବା ‘କାଳିଆ’ ଯୋଜନାକୁ ସମାଲୋଚନା କରିଛି ନବନିର୍ମାଣ କୃଷକ ସଂଗଠନ। ସଂଗଠନ କହିଛି, ନୂ୍ଆ ଯୋଜନାରେ ସରକାର ଯାହା ଘୋଷଣା କରିଛନ୍ତି ତାହା ପୂର୍ବରୁ ଥିଲା। ଚାଷୀ ଆନ୍ଦୋଳନ ଓ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ସରକାର କୃଷି ଋଣ ଛାଡ଼ କରିବା ପରେ ଏଥିରୁ ଖସିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ତେଣୁ ଆସନ୍ତା ଜାନୁଆରି ୩୧ତାରିଖ ସୁଦ୍ଧା ରାଜ୍ୟ ସରକାର ଚାଷୀଙ୍କ ସୁରକ୍ଷା ନେଇ କୌଣସି ପଦକ୍ଷେପ ନ ନେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି।

ଆଜି ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଲେ, ‘କାଳିଆ’ ଯୋଜନାରେ ସରକାର ଚାଷୀଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କୁ ଜୀବିକା ପାଇଁ‌ ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସୁବିଧା ଦେବାର ଘୋଷଣା କରିଛନ୍ତି। ଏହି ଯୋଜନା ଆଗରୁ ଥିଲା। ୨୦୧୭/୧୮ବର୍ଷରେ ନାବାର୍ଡ ଚାଷୀଙ୍କ ଜୀବିକାର ଉନ୍ନତି ପାଇଁ ୨୩୭୭ କୋଟି ଟଙ୍କା ରଖିଥିବା ବେଳେ ରାଜ୍ୟ ସରକାର ମଧ୍ୟ ୫ଶହ କୋଟିର ବ୍ୟବସ୍ଥା ରଖିଥିଲେ। ୨୮୭୭ କୋଟିର ସଂପୂର୍ଣ୍ଣ ବ୍ୟୟବରାଦ ରହିଥିଲା। ସେହପରି ଗତବର୍ଷ ନାବାର୍ଡ ସମୁଦାୟ ଯୋଜନା ପାଇଁ ୧୭ହଜାର କୋଟି ଟଙ୍କାର ଅର୍ଥ ବ୍ୟୟବରାଦ ରଖିଥିବା ବେଳେ ୨୦୧୮/୧୯ରେ ଏହାକୁ ୪୪ ହଜାର କୋଟି ଟଙ୍କାର ଯୋଜନା ରଖିଛି। ମନରେଗା ଯୋଜନାରେ କୁକୁଡ଼ା, ଛେଳିପାଳନ, ଗୁହାଳ ଓ ଜମିର ଉନ୍ନତୀକରଣ ଭଳି ସ୍କିମ୍‌ରେ ବ୍ୟକ୍ତିଗତ ଖର୍ଚ ପାଇଁ ଆଗରୁ ଯୋଜନା ରହିଛି। ତେଣୁ ପୁରୁଣା ପ୍ରକଳ୍ପର ସମଷ୍ଟି କରାଯାଇ ଏହାକୁ ‘କାଳିଆ’ ଯୋଜନା ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ ଓ ନିମାଇଁ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର