ଭୁବନେଶ୍ୱର : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଲୋୟର ପିଏମ୍ଜିରେ ଚାଲିଥିବା ଅନଶନ ଆଜି ୭ମ ଦିନରେ ପହଞ୍ଚିଛି। ୭ ଜଣ ଅନଶନକାରୀ ଅସୁସ୍ଥ ହୋଇ ମେଡିକାଲ୍ରେ ଭର୍ତି ହୋଇଛନ୍ତି। ମାତ୍ର ସରକାର ଏ ଦିଗରେ ଏଯାବତ ଦୃଷ୍ଟି ଦେଇନାହାନ୍ତି ବୋଲି ରାଜ୍ୟ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି।
ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଅନଶନ ସ୍ଥଳରେ ଉଦ୍ବୋଧନ ଦେଇ କହିଲେ, ସଂଗଠନର ଦାବି ଅଯୌକ୍ତିକ ନୁହେଁ। ଓଡ଼ିଶା ସରକାରଙ୍କ ଆର୍ଥିକ ଅବସ୍ଥା ବି ଏତେ ଖରାପ ନୁହେଁ ଯେ ଚାଷୀଙ୍କୁ ପେନ୍ସନ ଦେଇ ହେବନି। ପ୍ରତି ଚାଷୀ ପରିବାରକୁ ୪ହଜାର ଟଙ୍କା ଲେଖାଏଁ ଦେଲେ ୮ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ। ଯଦି ଅଧିକାରୀ ଓ ଶାସକ ଦଳର ନେତା ଏଥିପାଇଁ ବିତର୍କ କରନ୍ତି ତେବେ ସେ ବାଟ ବତେଇ ଦେବେ ବୋଲି କହିଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଲେ, ସଂପ୍ରତି ବଜେଟ୍ ୨୪ ଲକ୍ଷ ୫୦ ହଜାର କୋଟିରେ ପହଞ୍ଚିଲାଣି। କିନ୍ତୁ ଏଥିରୁ ସିଂହଭାଗ କୃଷି ଓ କୃଷକ ପାଇଁ ଖର୍ଚ ହେଉନାହିଁ। ବଡ଼ବଡ଼ କର୍ପୋରେଟ୍ ହାଉସକୁ ବଦାନ୍ୟତା ଦେଖାଉଥିବା ବେଳେ ଚାଷୀମାନଙ୍କ ପ୍ରତି ଏତେ କୁଣ୍ଠିତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କୃଷିଜାତ ଦ୍ରବ୍ୟର ଦର ନିର୍ଧାରଣ ମଧ୍ୟ ଚାଷୀ ବିରୋଧୀ ବୋଲି ସେ କହିଛନ୍ତି। ଆଜିର ଅନଶନରେ ବାଉରିବନ୍ଧୁ ମହାରଣା, ବିଚିତ୍ରାନନ୍ଦ ପଣ୍ଡା, ପ୍ରଫୁଲ୍ଲ ଜେନା, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଚାଣକ୍ୟ କହଁର, ଅବିନାଶ ଦାସ, ତ୍ରିଲୋଚନ ପଣ୍ଡା ପ୍ରମୁଖ ସାମିଲ୍ ଥିଲେ। ଅନଶନସ୍ଥଳରୁ ଗତକାଲି ରାତିରେ ପ୍ରସନ୍ନ ପ୍ରଧାନ, ମନୋଜ ମାଝୀ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଆଜି ପ୍ରହ୍ଲାଦ ସାହୁ, ଦିବାକର ନାୟକ, ମହେଶ୍ୱର ଜେନା, ଭାଗବତ ପରିଡ଼ା, ଶ୍ରୀନିବାସ ନାୟକ, ମହେନ୍ଦ୍ର ପରିଡ଼ା, ଦୁର୍ଯ୍ୟୋଧନ ସାମଲ ପ୍ରମୁଖ ଅସୁସ୍ଥ ହୋଇ ମେଡିକାଲ୍ରେ ଭର୍ତି ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Navnirman-Krushak-Sangathan-3.jpg)