ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ

ମନ୍ତ୍ରୀସ୍ତରୀୟ କମିଟି ଗଠନ ପ୍ରତିଶ୍ରୁତି ପରେ ଅନଶନରୁ ଓହରିଲେ ଚାଷୀ
ମେ’୫ ତାରିଖ ମଧ୍ୟରେ ସମାଧାନ ନ ହେଲେ ପୁଣି ଆନ୍ଦୋଳନ

ଭୁବନେଶ୍ୱର : ଗତ ୧୦ଦିନ ଧରି ଲୋୟର ପିଏମ୍‌ଜିରେ ସତ୍ୟାଗ୍ରହ ଓ ଅନଶନ ଜାରି ରଖିଥିବା ନବନିର୍ମାଣ କୃଷକ ସଂଗଠନ ଆଜି ଅନଶନରୁ ଓହରି ଯାଇଛି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ନେଇ ପ୍ରତିଶ୍ରୁତି ମିଳିବା ପରେ ସଂଗଠନ ଆନ୍ଦୋଳନରୁ ଓହରି ଯାଇଛି। ଅପରପକ୍ଷରେ ଆସନ୍ତା ମେ’ ୫ ତାରିଖ ସୁଦ୍ଧା ଯଦି କୌଣସି ସମାଧାନ ନ ହୁଏ ତେବେ ସଂଗଠନ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଆଜି ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ପାଇଁ ଡାକରା ଦିଆଯାଇଥିଲା। ତେଣୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଚାଷୀ ରାଜଧାନୀକୁ ଆସି ଅନଶନ ସ୍ଥଳରେ ଏକାଠି ହୋଇଥିଲେ। ତେବେ ଚାଷୀ ବିଧାନସଭା ଘେରାଉ ପୂର୍ବରୁ ୪ଜଣିଆ ବିଜେଡି ବିଧାୟକ ଦଳ ସେଠାରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ବିଧାୟକ ସମୀର ଦାସ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି ଓ ରବି ନାରାୟଣ ମହାପାତ୍ର ସଂଗଠନର ନେତୃମଣ୍ଡଳୀଙ୍କ ସହିତ ସଂଗଠନର ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ ଓ ଏହି କମିଟି ନିୟମିତ ସଂଗଠନ ସହିତ ଯୋଗାଯୋଗରେ ରହିବ। ବିଧାନସଭାରେ ଚାଷୀ ସମସ୍ୟା ନେଇ ପ୍ରସ୍ତାବ ଅଣାଯିବ ବୋଲି ବିଧାୟକମଣ୍ଡଳୀ ପ୍ରତିଶ୍ରୁତି ଦେଇଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଯେ, ବିଧାୟକମଣ୍ଡଳୀ ସଂଗଠନ ସହିତ ଆଲୋଚନା କରିବା ପରେ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ଯାଉଛନ୍ତି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସଂଗଠନ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି। ତେବେ ଆସନ୍ତା ମେ’୫ ତାରିଖ ମଧ୍ୟରେ ସରକାର ଯଦି କୌଣସି ସମସ୍ୟାର ସମାଧାନ ନ କରନ୍ତି ତେବେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।

ଅନଶନ କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ନିମାଇଁ ରାୟ, ଅଶୋକ ଜେନା, ସୁବାସ ଜେନା, ଉମାକାନ୍ତ ଭାରତ, ମହେଶ୍ୱର ଜେନା, କୁଳମଣି, ଅବିନାଶ ଦାସ, ମନଓ୍ଵର ଅଲ୍ଲୀ, ଭାଗବତ ପରିଡ଼ା ଓ ମଧୁମିତା ସାମଲ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର