ପ୍ରତ୍ୟେକ ଦିନ ରାଜଧାନୀରେ ଏକାଠି ହେବେ ହଜାର ହଜାର ଚାଷୀ

୧୨ରୁ ନବନିର୍ମାଣ କୃଷକ ସଂଗଠନର ନିର୍ଣ୍ଣାୟକ ଲଢ଼େଇ

ଭୁବନେଶ୍ୱର : ଚାଷୀ ଉତ୍ପାଦନର ଉଚିତ ମୂଲ୍ୟ ଓ ପେନସନ ଦାବିରେ ଆସନ୍ତା ମାର୍ଚ ୧୨ତାରିଖରୁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିବ ନବନିର୍ମାଣ କୃଷକ ସଂଗଠନ। ପ୍ରତ୍ୟେକ ଦିନ ରାଜ୍ୟର ହଜାର ହଜାର ଚାଷୀ ପାଳି କରି ଧାରଣାରେ ସାମିଲ ହେବେ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଉତ୍କଳ ସାମ୍ବାଦିକ ସଂଘ ପରିସରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଗତ ୮ବର୍ଷ ଧରି ସଂଗଠନ ପକ୍ଷରୁ ରାଜ୍ୟର ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରହିଛି। ଆସନ୍ତା ବଜେଟ୍‌ରେ ରାଜ୍ୟର ୩୬ଲକ୍ଷ ଚାଷୀଙ୍କ ପାଇଁ ବାର୍ଷିକ ୫ହଜାର ଟଙ୍କା ହିସାବରେ ୨୧ହଜାର ୬ଶହ କୋଟି ସୁରକ୍ଷା ଭତ୍ତା ପାଇଁ ବ୍ୟୟବରାଦ କରନ୍ତୁ। ଯଦି ଆସନ୍ତା ମାର୍ଚ ୧୧ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ୧୨ତାରିଖରୁ ଆନ୍ଦୋଳନ ଆରମ୍ଭ ହେବ। ପୂର୍ବରୁ ପୁଲିସ ସହାୟତାରେ ସରକାର ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିଲେ। ଚାଷୀମାନଙ୍କୁ ଏକାଠି ହେବାକୁ ଦେଇ ନ ଥିଲେ। ମାତ୍ର ଏଥର ଚାଷୀମାନେ ଲୋୟର ପିଏମ୍‌ଜିରେ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲାରୁ ପାଳି କରି ଚାଷୀମାନେ ଧାରଣାରେ ସାମିଲ ହେବେ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର