ବ୍ରହ୍ମପୁରରେ ନବନିର୍ମାଣ କୃଷକ ସଂଗଠନର ବିଶାଳ ସମାବେଶ

ବ୍ରହ୍ମପୁର : ବ୍ରହ୍ମପୁରଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଏକ ବିଶାଳ ସମାବେଶର ଆୟୋଜିତ ହୋଇଯାଇଛି। ସଂଗଠନ କର୍ମକର୍ତ୍ତମାନେ ସ୍ୱାମୀନାଥନ୍‌ କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି। ଏଥିସହିତ, ଦେଶବାସୀଙ୍କୁ ଦାନା ଯୋଗାଉଥିବା କୃଷକମାନଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏଁ ପେନ୍‌ସନ୍‌ ନଦେଲେ, ଆଗାମୀଦିନରେ ଆନ୍ଦୋଳନ ଜୋର୍‌ଦାର୍‌ ହେବ ବୋଲି ଚେତାବନୀ ଦେଇଛନ୍ତି।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ଦକ୍ଷିଣାଞ୍ଚଳର ବିଭିନ୍ନ ଜିଲ୍ଲାର ହଜାର ହଜାର ଚାଷୀ ଯୋଗ ଦେଇଥିଲେ। ଇଂଜିନିୟରିଂ ସ୍କୁଲ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ ସେଠାରେ ଏକ ପ୍ରତିବାଦ ସଭା ହୋଇଥିଲା।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଯୋଗଦେଇ ସରକାର ତୁରନ୍ତ ପ୍ରତ୍ୟେକ ଜମିରେ ଦୋଫସଲି ପାଇଁ ଆବଶ୍ୟକ ପାଣିର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଥିଲେ।

ବରିଷ୍ଠ ସାମ୍ବାଦିକ ତଥା ସଂଗଠନର ଉପଦେଷ୍ଟା ରବି ଦାସ କହିଥିଲେ ଯେ, ପେଟ୍ରୋଲ, ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ହେବା ଯୋଗୁଁ ଚାଷୀଙ୍କ ଉପରେ ଏହାର ପରୋକ୍ଷ ପ୍ରଭାବ ପଡ଼ିଛି। ମଣ୍ଡିକୁ ଧାନ ନେବା ପାଇଁ ଚାଷୀଙ୍କୁ ଅଧିକ ଅର୍ଥ ଗଣିବାକୁ ପଡ଼ୁଛି। କେନ୍ଦ୍ର ସରକାରଙ୍କ ଇ-ନିଲାମ ଏକ ପ୍ରକାର ଧୂଆଁବାଣରେ ପରିଣତ ହୋଇଛି।

ପାରଳା ସ୍ୱାଭିମାନ ମଞ୍ଚର ନେତା ତିରୁପତି ପାଣିଗ୍ରାହୀ, ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରମୁଖ ଯୋଗଦେଇ କନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିକୁ ସମାଲୋଚନା କରି ତୁରନ୍ତ ସ୍ୱାମୀନାଥନ କମିଟିର ସୁପାରିଶ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର