ଗଜପତିରେ ନବନିର୍ମାଣ କୃଷକ ସଂଗଠନର ରାଲି : ପାରଳା ସହରରେ ଚାଷୀଙ୍କ ଗର୍ଜନ

ପାରଳଖେମୁଣ୍ଡି : ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡିରେ ବିଶାଳ କୃଷକ ସମାବେଶ ଓ ରାଲି ଆୟୋଜିତ ହୋଇଥିଲା। ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦ ହଜାରରୁ ଉର୍ଧ୍ୱ ଚାଷୀ ଏକତ୍ରିତ ହୋଇ ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ୍‌ର ଦାବି ନେଇ ସରକାର ତାଙ୍କ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି ବୋଲି ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ନିୟନ୍ତ୍ରିତ ବଜାର କମିଟି ନିକଟରୁ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ଏବଂ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ଆହ୍ଵାନ କ୍ରମେ ମୋହନା, ରା.ଉଦୟଗିରି, ନୂଆଗଡ଼ ଇତ୍ୟାଦି ସ୍ଥାନରୁ ହଜାର ହଜାର ଚାଷୀ ଏକାଠି ହୋଇଥିଲେ।

ପୂର୍ବାହ୍ନ ୧୧ଟାରେ ଡ. ତିରୁପତି ପାଣିଗ୍ରାହୀ, ଅକ୍ଷୟ କୁମାର, ମନବର ଅଲ୍ଲି, କୃଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ବିଶ୍ୱାଳ ରାଲି ମୁଖ୍ୟ ବଜାର ଦେଇ କଲେଜ ଛକ ବାଟେ ଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ନିକଟରେ ପହଞ୍ଚିଥିଲା।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଚାଷୀଙ୍କୁ ଉଦ୍‌ବୋଧନ ଦେଇ ଅକ୍ଷୟ କୁମାର କହିଥିଲେ, ଗଜପତିର ଆଜିର ଏ ବିଶାଳ ସମାବେଶ କୃଷକ ଶକ୍ତିର ନୂଆ ଉଦାହରଣ ସୃଷ୍ଟି କରିଛି। ଶେଷଦେବ ନନ୍ଦ ସରକାରଙ୍କୁ ସତର୍କ କରି ଦେଇଥିଲେ, ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ ଦାବି ଗ୍ରହଣ ନକଲେ ନଭେମ୍ବର ମାସରେ ୩ ଲକ୍ଷ ଚାଷୀ ବିଧାନସଭା ଘେରିବେ। ଯୁବନେତା ମନବର ଅଲ୍ଲି କହିଥିଲେ, ଏହି ଜିଲ୍ଲାର ଚାଷୀ ସ୍ପଷ୍ଟ କରିଛନ୍ତି ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ସହ୍ୟ କରିବେ ନାହିଁ। ଆଜିର ଏହି ସମାବେଶରେ ଯୋଗଦେଇ ତିରୁପତି ପାଣିଗ୍ରାହୀ କହଥିିଲେ ଯେ, ନବନିର୍ମାଣ କୃଷକ ସଂଗଠନ ଯେଉଁ ଆନ୍ଦୋଳନ ଆରମ୍ଭ କରିଛି ତାହାକୁ ସେ ପୂର୍ଣ୍ଣ ସମର୍ଥନ ଦେବେ ଓ ଚାଷୀ ଅନ୍ଦୋଳନର ସବୁ କ୍ଷେତ୍ରରେ ସେ ଆଗରେ ରହିବେ ।

ସ୍ମାରକପତ୍ର ଗ୍ରହଣ କରିବା ପାଇଁ ଉପ ଜିଲ୍ଲାପାଳ ଓ ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲାପାଳ ସେଠାରେ ପହଞ୍ଚିଲେ।

ପରେ ଜିଲ୍ଲାପାଳ ଅନୁପମ ଶାହା, ଆରକ୍ଷୀ ଅଧିକ୍ଷକଙ୍କ ସହ ସେଠାରେ ପହଞ୍ଚିଥିଲେ ଏବଂ ବିଭିନ୍ନ ଦାବି ଶୁଣିବା ପରେ ପ୍ରତିଶ୍ରୁତି ଦେଇଥିଲେ, ପ୍ରଶାସନ ସ୍ତରରେ ଯାହା ସମ୍ଭବ ତାହା ସେ କରିବେ ଏବଂ ଅନ୍ୟ ଦାବି ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ।

ସମ୍ବନ୍ଧିତ ଖବର