ଆଜିଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

ନବନିର୍ମାଣ କୃଷକ ସଂଗଠନର ଧାରଣା ଚତୁର୍ଥ ଦିନରେ

ସାମିଲ ହେଲେ ଶତାଧିକ ଚାଷୀ
୪ ଅନଶନକାରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତି

ଭୁବନେଶ୍ୱର : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଅନଶନ ଓ ସତ୍ୟାଗ୍ରହ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆଜି ମଧ୍ୟ ଶତାଧିକ ଚାଷୀ ଅନଶନରେ ସାମିଲ ହୋଇଥିଲେ। ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କରିବାକୁ ସଂଗଠନ ଡାକରା ଦେଇଛି। ଏହି ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ନେତୃବନ୍ଦ ଧାରଣାସ୍ଥଳକୁ ଯାଇ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି। ଅପରପକ୍ଷରେ ଅନଶନରେ ବସିଥିବା ୪ଜଣ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆଜି ମଧ୍ୟ ଧାରଣାସ୍ଥଳରେ ଆନ୍ଦୋଳନ ଜାରି ରହିଛି। ସଂଗଠନର କହିବାନୁଯାୟୀ, ଦେଶ ତଥା ରାଜ୍ୟରେ ଚାଷୀମାନେ ଆଜି ଅବହେଳିତ। ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ହେଁ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି। ଚାଷୀ ଆତ୍ମହତ୍ୟାର ସମାଧାନ କରିବା ପାଇଁ ପ୍ରତ୍ୟେକ ୨୦ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ। ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ବଜେଟ୍‌ରେ ସରକାର ୨୧ହଜାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି।

ଅସୁସ୍ଥ ହୋଇପଡ଼ିଥିବା ବ୍ୟକ୍ତିମାନେ ହେଉଛନ୍ତି ଶ୍ରୀନିବାସ ନାୟକ, ଅଜୟ ବେହେରା, ଭଗବାନ ମହାନ୍ତି ଓ ପ୍ରତାପ ଚନ୍ଦ୍ର ଜେନାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସୁସ୍ଥ ହେବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଅନ୍ୟପକ୍ଷରେ ଆଜି ସମତାକ୍ରାନ୍ତି ଦଳର ନେତା ପ୍ରଭାସ ସାମନ୍ତରାୟ ଓ ଅନ୍ୟମାନେ ଅନଶନସ୍ଥଳକୁ ଯାଇ ସମର୍ଥନ ଜଣାଇଛନ୍ତି।

ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ମହାରଣା, ମମତା ନାଥ, ମଧୁମିତା ସାମଲ, ମନଓ୍ଵର ଅଲ୍ଲୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର