ଚାଷୀଙ୍କ ପଦଯାତ୍ରାକୁ ପୁଲିସ୍ ଅଟକାଇବା ଘଟଣା : ୧୨ରେ ପଞ୍ଚାୟତ ଓ ୧୫ରେ ଥାନା ଘେରିବ ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର : ଅକ୍ଟୋବର ୨୯ରୁ ଚଳିତମାସ ୫ତାରିଖ ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରାକୁ ପୁଲିସ ଅଟକାଇବାକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଇଛି ସଂଗଠନ। ଏହାର ପ୍ରତିବାଦରେ ଚଳିତମାସ ୧୨ତାରିଖରେ ପ୍ରତି ପଞ୍ଚାୟତ ଓ ୧୫ରେ ଥାନା ଘେରାଉ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି। ଯେଉଁଭଳି ଭାବେ ଚାଷୀଙ୍କୁ ରାଜଧାନୀ ମନା କରାଗଲା, ଆଗାମୀ ଦିନରେ ନେତାଙ୍କୁ ବି ଗାଁ ମନା ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଆଜି ସଂଗଠନ ପକ୍ଷରୁ ରେଡକ୍ରସ୍ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ସଂଗଠନର ଆନ୍ଦେଳନରେ ପୁଲିସ ସବୁବେଳେ ବାଧକ ସାଜୁଛି। ପୁଲିସ ଆଇନ ଶୃଙ୍ଖଳା ରକ୍ଷା କରିବା ପରିବର୍ତେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ବଳପ୍ରୟୋଗ କରି ଅଟକାଉଛି। ଚାଷୀମାନେ ନିଜ ସମସ୍ୟା ସଂପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ ହେଁ ପୁଲିସ ଆଲୋଚନା କରିବାକୁ ଦେଇ ନ ଥିଲା। ତେଣୁ ଏହାର ପ୍ରତିବାଦରେ ୧୨ତାରିଖରେ ପ୍ରତି ପଞ୍ଚାୟତରେ ଧାରଣା ଦିଆଯିବା ସହିତ ୧୫ରେ ଥାନା ସମ୍ମୁଖରେ ଅନଶନ କରାଯିବ। ସରକାର ଯଦି ଚାଷୀଙ୍କ ପେନସନ୍ ନେଇ କୌଣସି ଠୋସ୍ ପଦକ୍ଷେପ ନ ନିଅନ୍ତି ଆନ୍ଦୋଳନକୁ ପରବର୍ତୀ ସମୟରେ ଆଇନ ଅମାନ୍ୟ ଆନ୍ଦୋଳନରେ ପରିଣତ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ରାଜ୍ୟ ସଂଯୋଜକ ଶେ‌ଷଦେବ ନନ୍ଦ କହିଲେ, ନେତାଙ୍କୁ ଗାଁ ମନା କାର୍ଯ୍ୟକ୍ରମକୁ ଜୋରଦାର କରାଯିବ। ନିକଟରେ ହୋଇଥିବା ଆନ୍ଦୋଳନରେ ଯୁବଛାତ୍ରଙ୍କ ସଂପୃକ୍ତି ବଢ଼ିଥିବା ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ ଓ ରଶ୍ମିରଂଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର