ଭୁବନେଶ୍ବର : ବାତ୍ୟା ‘ଫନି’ରେ କ୍ଷତିଗ୍ରସ୍ତ ଓଡ଼ିଆ ଲୋକଙ୍କ ଦୁର୍ଦ୍ଦଶା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡ଼ମ୍ବରପୂର୍ଣ୍ଣ ଶପଥ ଗ୍ରହଣକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ। ଆଜି ସଂଗଠନ ପକ୍ଷରୁ ରାଜଭବନ ସମ୍ମୁଖରେ ମୌନ ପ୍ରତିବାଦ କରାଯାଇଥିଲା। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଏହି ପ୍ରତିବାଦ ଅନୁଷ୍ଠିତ ହୋଇଥିଲା।

Advertisment

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଫନିରେ ଅଧା ଓଡ଼ିଶା କ୍ଷତିଗ୍ରସ୍ତ ହୋଇଥିବା ବେଳେ ନବୀନ ପଟ୍ଟନାୟକ ୫ମ ଥର ଲାଗି ଆଡ଼ମ୍ବରପୂର୍ଣ୍ଣ ଶପଥ ଗ୍ରହଣ କଲେ। ବାତ୍ୟା କ୍ଷୟକ୍ଷତିର ଠିକଣା ଢଙ୍ଗରେ ମୁକାବିଲ ନ କରି ରାଜନୈତିକ ନେତୃବୃନ୍ଦ କେବଳ ଗଣମାଧ୍ୟମରେ ମୁକାବିଲା କଲେ। ତେବେ ବାତ୍ୟା କ୍ଷୟକ୍ଷତି ଆକଳନ ବେଳେ ରାଜଧାନୀର କ୍ବାର୍ଟର୍ସ, ସଡ଼କ ଓ ରାସ୍ତାଘାଟ ମରାମତି ପାଇଁ ଅର୍ଥ ବ୍ୟୟବରାଦ କରାଗଲା। ଗଣମାଧ୍ୟମରେ ଆଜି ବି ବାତ୍ୟା କ୍ଷତିଗ୍ରସ୍ତ ସଂପର୍କରେ ରିପୋର୍ଟ ପ୍ରକାଶ ପାଉଥିବା ବେଳେ କେବଳ ନିଜର ଭାବମୂର୍ତିକୁ ସୁଧାରିବା ପାଇଁ ଗଣମାଧ୍ୟମ ଆଗରେ ବକ୍ତବ୍ୟ ଦିଆଗଲା। ଏହି ପରିପ୍ରେକ୍ଷୀରେ ରାଜ୍ୟର କୃଷକଙ୍କ ପକ୍ଷରୁ ବାତ୍ୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ରିଲିଫ୍ କୋଡ୍‌ରେ ସଂଶୋଧନ କରି ଆବଶ୍ୟକ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଦାବି ହୋଇଛି।

ଆଜିର କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ରଶ୍ମିରଂଜନ ସ୍ବାଇଁ, ମନୱର ଅଲ୍ଲୀ, ମମତା ନାଥ, ମହେଶ୍ବର ଜେନା, କାଶୀନାଥ ସ୍ବାଇଁ, ମଧୁମିତା, ସୁବାସ ପଣ୍ଡା, ନିରଂଜନ, ଜି. ପଟ୍ଟନାୟକ ଓ ଦୁର୍ଗାଚରଣ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।