ଭୁବନେଶ୍ବର : ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ଡାକରା ଦିଆଯାଇଥିଲା। ସଂଗଠନର କର୍ମକର୍ତାମାନେ ନବୀନ ନିବାସ ଆଡ଼କୁ ମୁହାଁଉଥିବା ବେଳେ ଶିଶୁଭବନ ଛକଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ସମସ୍ତଙ୍କୁ ଗିରଫ କରି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ଆଜି ଦିନ ପ୍ରାୟ ୧୨ଟା ସମୟରେ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଶେଷଦେବ ନନ୍ଦ ଓ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ରେଳ ଷ୍ଟେସନ୍ରୁ ବାହାରି ରାଜମହଲ ଛକ ଦେଇ ନବୀନ ନିବାସ ଆଡ଼କୁ ମୁହାଇଁଥିଲା। ଶିଶୁଭବନ ଛକରେ ପୁଲିସ ପୂର୍ବରୁ ସଜାଗ ହୋଇ ରହିଥିଲା। ସେଠାରେ ପହଞ୍ଚିବା ମାତ୍ରେ ପୁଲିସ ସହିତ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ରାସ୍ତା ଉପରେ ଶୋଇ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ବାଧ୍ୟହୋଇ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା। ଯୁବଛାତ୍ର ସଂଗଠନର କହିବାନୁଯାୟୀ, ରାଜ୍ୟରେ ଲାଗାତାର ଭାବେ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଏହାର ବିରୋଧରେ ବିଭିନ୍ନ ସଂଗଠନ, ମହିଳା ସଂଗଠନମାନେ ପ୍ରତିବାଦ କରୁଛନ୍ତି। ମାତ୍ର ରାଜ୍ୟ ସରକାର ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ମିଳୁନାହିଁ। ଯାହାଫଳରେ ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧ କମିବାର ନାଁ ନେଉନାହିଁ। ନିକଟରେ ରାଜ୍ୟରେ ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀମାନଙ୍କ ସୁରକ୍ଷା ଓ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ନେଇ ଯୁବଛାତ୍ର ସଂଗଠନ ନବୀନ ନିବାସ ଘେରାଉ ଡାକରା ଦେଇଥିବା କୁହାଯାଇଛି। ବିକ୍ଷୋଭରେ ମଧୁମିତା ସାମଲ, ମମତା ନାଥ, ଚିଣ୍ଟୁ ନନ୍ଦ, ସାଇପ୍ରସାଦ ପଲାଇ, ନିରଞ୍ଜନ ପ୍ରଧାନ, ଭରତ ସ୍ବାଇଁ, ମୀନା ସାହୁ, କୁନି ମହାପାତ୍ର, ଅଶ୍ବିନୀ ଜେନା ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/protest.jpg)