ନବନିର୍ମାଣ ଯୁବଛାତ୍ର ସମାବେଶ : ସମସ୍ତଙ୍କୁ ନିଯୁକ୍ତି, ନଚେତ୍ ବେକାରୀ ଭତ୍ତା

ଭୁବନେଶ୍ବର : ନବନିର୍ମାଣ କୃଷକ ସଂଗଠନର ଯୁବଛାତ୍ର ସମାବେଶ ଆଜି ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ହୋଇଛି। କ୍ରାନ୍ତି ଦିବସରେ ଯୁବ/ଛାତ୍ରମାନେ ଦେଶପ୍ରେମ ଚେତନାରେ ଉଦ୍‌ବୁଦ୍ଧ ହୋଇ ନିଜ ଜାତି ପାଇଁ କାମ କରିବା ପାଇଁ ଆହ୍ବାନ ଦିଆଯାଇଛି। ଯୁବ/ଛାତ୍ରମାନେ ଏକାଠି ହେଲେ ରାଜ୍ୟର ପ୍ରାକୃତିକ ସଂପଦକୁ ଶାଗମାଛ ଦରରେ ବିକ୍ରିକୁ ରୋକି ହେବ। ରାଜ୍ୟର ୨୦ବର୍ଷର ଶାସନରେ ୪୯ଲକ୍ଷ ୨୧ହଜାର ଯୁବକଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ତେଣୁ ଶିକ୍ଷା ପରେ ଚାକିରି, ଚାକିରି ନ ହେଲେ ବେକାରୀ ଭତ୍ତା ପ୍ରଦାନ ପାଇଁ ସମାବେଶରେ ଦାବି ହୋଇଛି।

ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ରୁ ବାହାରି ସମାବେଶସ୍ଥଳରେ ପହଞ୍ଚିଥିଲା। ସେଠାରେ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ସଭାପତିତ୍ବରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇ ସ୍ବାଧୀନତା ଆଣିଥିଲେ, ସେ ବଳିଦାନ ଆଜି ବ୍ୟର୍ଥ ହୋଇଛି। ଭ୍ରଷ୍ଟାଚାରୀ ଅମଲାତନ୍ତ୍ର ଓ ଦୁର୍ନୀତିଗ୍ରସ୍ତ ନେତା ନିଜ ସ୍ବାର୍ଥ ପାଇଁ ସବୁ କିଛି ଜଳାଞ୍ଜଳି ଦେବାରେ ବ୍ୟବସ୍ତ। ତେଣୁ ଯୁବଛାତ୍ର ଜାଗ୍ରତ ହେଲେ, ନେତାମାନେ ଦେଶବାସୀଙ୍କୁ ମନଇଚ୍ଛା ଲୁଟ୍ କରିବାକୁ ସାହସ କରିବେ ନାହିଁ ବୋଲି ଶ୍ରୀ କୁମାର କହିଥିଲେ।

ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ, ଦୁନିଆରେ ଯୁବ ସମାଜ ହିଁ ପରିବର୍ତନ ଆଣି ପାରିଛନ୍ତି। ଆଜିର ପୃଷ୍ଠଭୂମିରେ ଯଦି ଯୁବଛାତ୍ରମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ ନ କରନ୍ତି, ସମାଜ ଉଜୁଡ଼ିଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ସାମାଜିକ କର୍ମୀ ହମିଦ, ସହ ସଂଯୋଜକ ସାଇପ୍ରସାଦ ପଲାଇ, ଇଜୁ ଅହମ୍ମଦ, ଅମିତ ଜେନା, ସୋନାଲି ମିଶ୍ର, ବାବୁନି ନାୟକ, ଶୁଭାଙ୍ଗୀ ମଧୁସ୍ମିତା ବସ୍ତିଆ ଓ ପୂଜା ସ୍ବାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର