ଝାରସୁଗୁଡା: ଶେଷରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡାରୁ ଵିଧାୟକ ଥିବା ନବ ଦାସ | ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଆଜି ଝାରସୁଗୁଡାବାସୀ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି | ଉଲ୍ଲେଖ ଥାଉ କି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ ଦିନ ଦି’ପହରେ (୧୨ଟା ୨୦ମିନିଟ୍) ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ । ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାପରେ ନବ ଦାସଙ୍କ ମୃତଦେହକୁ ଭୁବନେଶ୍ୱର କ୍ୱାଟରକୁ ଅଣାଯାଇଥିଲା | ଏଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ପରେ ଆଜି ତାଙ୍କ ମୃତଦେହକୁ ଝାରସୁଗୁଡାସ୍ଥିତ ବାସଭବନକୁ ଅଣାଯାଇଥିଲା | ଏହାପରେ ଶୋଭାଯାତ୍ରାରେ ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲ ପଡ଼ିଆକୁ ନିଆଯାଇଥିଲା | ସେଠାରେ ନବ ଦାସଙ୍କ ଶେଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା | ଏହାପରେ ଖେରୁଆଲରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ଶେଷଯାତ୍ରା ସମୟରେ ୫-ଟି ସଚିବ ଭି କେ ପାଣ୍ଡିଆନ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଟୁକୁନି ସାହୁ, ନିରଂଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।
ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ। ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଗୋପାଳ କଣ କହିଛନ୍ତି ସେନେଇ କ୍ରାଇମବ୍ରାଞ୍ଚ ଅଧିକାରୀ କୌଣସି ସୂଚନା ଦେଇନାହାନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/098ad47b-cb49-4e7e-bda7-4a79516e1bb1.jpg)