ଭୁବନେଶ୍ବର : ବହୁଚର୍ଚ୍ଚିତ ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ଘଟଣାରେ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨ କୋଟି ୧୬ ଲକ୍ଷ ଟଙ୍କାର ସଂପତ୍ତି ଜବତ କରିଛି। ଆଇଡିବିଆଇ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ମୋଟ ୪୮ଟି ଆକାଉଣ୍ଟରେ ୧୬ଲକ୍ଷ ଟଙ୍କା ସମେତ ପୁରୀ ଜିଲ୍ଲା ନରେନ୍ଦ୍ରପୁର ମୌଜାରେ ଥିବା ଗୋଟିଏ ପ୍ଲଟ୍ ଓ ଖୋର୍ଦ୍ଧା ଜିଲ୍ଲା କାଇପଦର ମୌଜାରେ ଗୋଟିଏ ପ୍ଲଟ୍କୁ ଜବତ କରାଯାଇଛି। ଜବତ ପ୍ଲଟ୍ଦ୍ବୟର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ସବୁ ସଂପତ୍ତି ନବଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍ର ନିର୍ଦ୍ଦେଶକ ଅଞ୍ଜନ କୁମାର ବଳିଆରସିଂହ, ପ୍ରଦୀପ କୁମାର ପଟ୍ଟନାୟକ, କାର୍ତ୍ତିକେୟ ପରିଡ଼ା ଏବଂ ପୂର୍ବତନ ନିର୍ଦ୍ଦେଶକ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଏବଂ ହିତେଶ କୁମାର ବଗର୍ତ୍ତିଙ୍କ ନାଁରେ ରହିଛି।
ସୂଚନାଯୋଗ୍ୟ, ସିବିଆଇ ଦ୍ବାରା ଦାଖଲ ହୋଇଥିବା ଏତଲା ଓ ଚାର୍ଜସିଟ୍ ଆଧାରରେ ଇଡି ଅର୍ଥ ତୋଷରପାତ ଅଭିଯୋଗର ଯାଞ୍ଚ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ନବଦିଗନ୍ତ ଏବଂ ତା’ର ସହଯୋଗୀ ସଂସ୍ଥା ଅଧିକ ସୁଧ ଦେବାର ଲୋଭ ଦେଖାଇ ଲୋକଙ୍କୁ ସଂସ୍ଥାରେ ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତାଇଥିଲା। ରିଡିମେବଲ୍ ପ୍ରିଫରେନ୍ସ ସେୟାର ଏବଂ ନନ୍-କନଭର୍ଟେବଲ୍ ଡିବେଞ୍ଚର୍ ପ୍ରଦାନ କରି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଚୂନ ଲଗାଇଥିଲା। ୨୦୧୧ରୁ ୨୦୧୩ ଭିତରେ ସଂସ୍ଥା ରାଜ୍ୟରୁ ୨୦ହଜାର ଜମାକାରୀଙ୍କଠାରୁ ପ୍ରାୟ ୧୪କୋଟି ୯୦ ଲକ୍ଷ ଟଙ୍କା ଆଦାୟ କରିଥିଲା। ଏନେଇ ଇଡି ଘଟଣାର ଅଧିକ ତଦନ୍ତ କରୁଛି।