ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ଜାମିନ ଶୁଣାଣି ଶେଷ

ନବଦିଗନ୍ତ ଚିଟଫଣ୍ଡ ମାମଲା

କଟକ : ନବଦିଗନ୍ତ କ୍ୟାପିଟାଲ ସର୍ଭିିସେସ୍‌ ଚିଟ୍‌ ଫଣ୍ଡ୍‌ ଠକେଇ ମାମଲାରେ ଛନ୍ଦି ହୋଇ ୨୦୧୪ରୁ ଜେଲରେ ଥିବା ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ବଗର୍ତ୍ତିଙ୍କ ଜାମିନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଛି। ମାମଲାରେ ତାଙ୍କ ସଂପୃକ୍ତି ନଥିବା ବେଳେ ସହଅଭିଯୁକ୍ତଙ୍କୁ ପୂର୍ବରୁ ଏହି ମାମଲାରେ ଜାମିନ ମିଳି ସାରିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଜାମିନ ଆବେଦନକୁ ସିବିଆଇ ପକ୍ଷରୁ ବିରୋଧ କରାଯାଇଥିଲା।

ନବଦିଗନ୍ତ ଗ୍ରୁପ୍‌ ଅଫ୍‌ କମ୍ପାନିଜ ସହିତ ଜଡିତ ଥିବା ଶ୍ରୀ ବଗର୍ତ୍ତିଙ୍କୁ ସିବିଆଇ ୨୦୧୪, ନଭେମ୍ବର ୪ରେ ଗିରଫ କରିଥିଲା। ତାଙ୍କ ସହିତ ନବଦିଗନ୍ତର ପ୍ରମୁଖ ଅଧିକାରୀ, ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଓ ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା। ୨୦୧୫, ଫେବ୍ରୁଆରି ୧୯ରେ ଉପରୋକ୍ତ ୩ ଜଣଙ୍କ ସହିତ ନବଦିଗନ୍ତ ସିଏମ୍‌ଡି ଅଞ୍ଜନ କୁମାର ବଳିୟାରସିଂ, ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକ, କାର୍ତ୍ତିକେୟ ପରିଡାଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ୨୦୧୫ରେ ଶ୍ରୀ ବଗର୍ତ୍ତି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଚାର୍ଜସିଟ୍‌ ପରେ ପୁଣି ସେ ନିମ୍ନ ଅଦାଲତରେ ଜାମିନ ଆବେଦନ କରିବା ପାଇଁ ଅନୁମତି ଲୋଡିଥିଲେ। ୨୦୧୬, ଜାନୁଆରି ୧୨ରେ ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥି ପାଇଁ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ। ଏହାପରେ ପୁଣି ନିମ୍ନ ଅଦାଲତରୁ ନିରାଶ ହେବା ପରେ ଶ୍ରୀ ବଗର୍ତ୍ତି ୨୦୧୭ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ଏହି ମାମଲାରେ ହାଇକୋର୍ଟରୁ ଜାମିନ ମିଳି ସାରିଛି।

ସମ୍ବନ୍ଧିତ ଖବର